ନକଲି କାରବାର କରି ଗିରଫ ହୋଇଛନ୍ତି ସୁବାଷ ଘିଅର ମାଲିକ ସୁବାଷ ମଲିକ । ନକଲି ଘିଅ କାରବାର ଅଭିଯୋଗରେ ଗିରଫ କଲା ପୋଲିସ

141

କନକ ବ୍ୟୁରୋ: ଆପଣ ଠାକୁର ଘରେ ସୁବାଷ ଘିଅରେ ଦୀପ ଜାଳୁଛନ୍ତି କି, ସତର୍କ ରୁହନ୍ତୁ । ସେ ଘିଅ ନକଲି । କାରଣ ନକଲି ଘିଅ କାରବାର ଅଭିଯୋଗରେ ସୁବାଷ ଘିଅର ମାଲିକ, ସୁବାଷ ମଲିକଙ୍କୁ ଗିରଫ କରିଛି ଜଗତପୁର ପୁଲିସ । ଅନ୍ୟମାନେ ଲୁଚା ଛପାରେ ନକଲି କାରବାର ଚଳାଉଥିବା ବେଳେ ସୁବାଷ ଘିଅ ଏକ ଲୋକାଲ ବ୍ରାଣ୍ଡ ପାଲଟିଯାଇଥିଲା । ଗ୍ରାହକଙ୍କ ବିଶା୍ୱସ ଜିତିବା ପାଇଁ ପ୍ରତିଷ୍ଠିତ କଳାକାରଙ୍କୁ ନେଇ ଟିଭିରେ ବିଜ୍ଞାପନ ପ୍ରସାରଣ କରୁଥିଲା । ଲୋକେ ବି ସୁବାଷ ଘିଅକୁ ଅସଲି ମନେ କରି କିଣି ନେଉଥିଲେ । ହେଲେ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ଅସଲି ବ୍ରାଣ୍ଡରେ ନକଲି କାରବାର କରୁଥିଲା ଏହି ସଂସ୍ଥା ।

ଡବା ଅସଲି, ଘିଅ ନକଲି 

ନକଲି ଗହଳିରେ ଅଚିହ୍ନା ଅସଲି 

ଅସଲି ବଜାରରେ ନକଲି ଜାଲ । ନକଲି ହଳଦୀ ଗୁଣ୍ଡ, ନକଲି ଲଙ୍କା ଗୁଣ୍ଡ, ନକଲି ସସ୍, ନକଲି ସିମେଂଟ ଆଉ ନକଲି ଘିଅ । ବଜାରରେ ଏମିତି କେତେ କଣ ନକଲି ସାମଗ୍ରୀ ବିକ୍ରି ହେଉଛି ଯେ, କିଏ ଅସଲି କିଏ ନକଲି ଜାଣିବା ମୁସ୍କୁଲ ହୋଇପଡିଛି । କଟକରେ ନକଲି ସାମଗ୍ରୀ ଉପରେ କଡା ନଜର ରଖିଥିବା ପୁଲିସ ମର୍କତନଗର ଅଂଚଳରେ ଏକ ନକଲି ଘିଅ କାରଖାନା ଠାବ କରି ୨୭ଟି ନକଲି ଘିଅ ଟିଣ ଜବତ କରିଛି ।

ଗତ କିଛି ମାସ ଧରି କେବଳ କଟକ ନୁହେଁ ଭୁବନେଶ୍ୱର ସମେତ ବହ୍ମପୁର ଓ ଅନୁଗୁଳରେ ମଧ୍ୟ ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ସାମ୍ନାକୁ ଆସିଛି । ଅନୁଗୁଳ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଓ ଜନସ୍ୱାସ୍ଥ୍ୟ ବିଭାଗ ଚଢ଼ାଉ ବେଳେ ସଦର ମହକୁମାରେ ନକଲି ପାମୋଲିନ ତେଲ କାରଖାନା ଠାବ ହୋଇଛି । ଆଉ ଜଣାପଡିଛି ଏଠାରେ ମଧ୍ୟ ନକଲି କାରବାର ପାଇଁ କୋଲକାତାରୁ ଆସୁଥିଲା ଅପମିଶ୍ରିତ ତେଲ ।