ବିଚାରପତି କହିଲେ, “ଅଳିଆ ଉଠାଇବନି ତ ମୁଁ ବି ଏଠାରୁ ଉଠିବି ନାହିଁ ।”ଆଉ ତାପରେ ଯାହା ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।

36

ସ୍ୱଚ୍ଛ ଭାରତ ଅଭିଯାନ ନେଇ କେବଳ କଥା କହିଲେ ହେବ ନାର୍ହିଁ। ଏଥିପାଇଁ ନିଜ ଭିତରେ ଆନ୍ତରିକତା ରହିବା ଉଚିତ। ଆଉ ଏପରି କରି ଦେଖାଇଛନ୍ତି କେରଳର ଏର୍ଣ୍ଣାକୁଳମ ସହରର ଜଣେ ସବ୍ ଜଜ୍। ଅଳିଆ ନ ଉଠିବା ପ୍ରତିବାଦରେ ଅଳିଆଗଦା ନିକଟରେ ଚେୟାର ପକାଇ ବସି ରହିବାରୁ ଶେଷରେ ପୌର କର୍ତ୍ତୃପକ୍ଷ ବାଧ୍ୟ ହୋଇ ସେଠାରୁ ଅଳିଆ,ଆବର୍ଜନା ସଫା କରିଛନ୍ତି।

ଏର୍ଣ୍ଣାକୁଲମ ସହରର ଏକ ପରିବା ଓ ଫଳ ବଜାରରୁ ମାସ ମାସ ଧରି ଅଳିଆ ଉଠୁ ନ ଥିଲା। ଲୋକେ ଏ ନେଇ ଏର୍ଣ୍ଣାକୁଲମ ନଗରପାଳିକାକୁ ବାରମ୍ବାର କହିବା ସତ୍ତ୍ୱେ କେହି କିଛି ଶୁଣୁ ନ ଥିଲେ। ଦିନକୁ ଦିନ ଅଳିଆ,ଆବର୍ଜନା ବଢ଼ିବଢ଼ି ଚାଲିଥିଲା। ଆଉ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଥିଲା। ତେବେ ବ୍ୟବସାୟୀଙ୍କ ସୌଭାଗ୍ୟକୁ ସହରରେ ଖୋଲିଥିବା ବେଆଇନ ଦୋକାନ ସମ୍ପର୍କରେ ତଦାରଖ କରିବାକୁ ଆସିଥିଲେ ଏର୍ଣ୍ଣାକୁଲମ ଜିଲ୍ଲା ସବ୍ ଜଜ୍ ତଥା ଜିଲ୍ଲା ନ୍ୟାୟିକ ସେବା ପ୍ରାଧିକରଣର ସଚିବ ଏ.ଏମ ବସୀର। ଆଉ ଦୋକାନୀମାନେ ତାଙ୍କୁ ଭେଟି ଏହି ଅବ୍ୟବସ୍ଥା ସମ୍ପର୍କରେ କହିଥିଲେ। ତେବେ ବାରମ୍ବାର କହିବା ସତ୍ତ୍ୱେ ଏର୍ଣ୍ଣାକୁଲମ ନଗରପାଳିକା ସେଠାରୁ ଅଳିଆ ଉଠାଉ ନ ଥିବା ଶୁଣିବା ପରେ ସବ୍ ଜଜ୍ ଏ.ଏମ ବସୀର ଏକ ଦୋକାନରୁ ଗୋଟିଏ ଚୌକି ମାଗିଆଣି ଅଳିଆଗଦା ପାଖରେ ବସିଗଲେ।

ବାସ୍, ଏହା ପରେ ଆରମ୍ଭ ହୋଇଗଲା ଚର୍ଚ୍ଚା। ଯେତେବେଳେ ଜଣେ ବିଚାରପତି ଅଳିଆଗଦା ପାଖରେ ବସିଥିବା ଖବର ପୁଲିସ ପାଇଲା, ସଙ୍ଗେ ସଙ୍ଗେ ଜଜ୍ଙ୍କ ପାଖରେ ଯାଇ ପହଞ୍ଚି ଯାଇଥିଲା। ତେବେ ଯେ ପର୍ୟ୍ୟନ୍ତ ସେ ସ୍ଥାନରୁ ଅଳିଆ ନ ଉଠିଛି ସେ ପର୍ୟ୍ୟନ୍ତ ସେ ତାଙ୍କ ସ୍ଥାନରୁ ଉଠିବେ ନାହିଁ ବୋଲି ପୁଲିସକୁ କହିବା ପରେ ପୁଲିସ ସଙ୍ଗେ ସଙ୍ଗେ ଏ ନେଇ ନଗରପାଳିକା କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲା। ଆଉ ସବ୍ ଜଜଙ୍କ ଏପରି ନିଷ୍ପତ୍ତି ଶୁଣିବା ପରେ ସଙ୍ଗେ ସଙ୍ଗେ ଟ୍ରାକ୍ଟର, ଟ୍ରଲି ଧରି ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ଏର୍ଣ୍ଣାକୁଲମ ପୌରପାଳିକାର ସାନିଟାରି ଇନସପେକ୍ଟର। ଆଉ ଦେଖୁ ଦେଖୁ ଏକ ମାସ ଧରି ଯେଉଁ ଅଳିଆ ଉଠୁ ନ ଥିଲା, ସେହି ଅଳିଆ ଘଣ୍ଟା କେତୋଟି ମଧ୍ୟରେ ସେଠାରୁ ଉଠିଗଲା। ସବ୍ ଜଜ୍ ଏ.ଏମ ବସୀରଙ୍କ ଏହି କାର୍ୟ୍ୟକୁ ସମସ୍ତ ଫଳ, ପରିବା ବ୍ୟବସାୟୀଙ୍କ ସହିତ ସାଧାରଣ ଲୋକେ ବେଶ୍ ପ୍ରଶଂସା କରିଛନ୍ତି।