ମନ୍ଦିର ଘରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଲା ପକାଇଲେ ଗାଁ ମହିଳା । ପୋଲିସ କଥା ଶୁଣିଲେନି, ଜିଲ୍ଲାପାଳ ଆସି ସମସ୍ୟାର ସମାଧାନ କରିବାକୁ କଲେ ଦାବି ।

394

କନକ ବ୍ୟୁରୋ : ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଲା ପକାଇଲେ ମହିଳା । ପ୍ରାୟ ୩ ଘଣ୍ଟା ଧରି ମନ୍ଦିର ଘରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ବନ୍ଦ କରି ରଖିଲେ ମହିଳା । ଏପରିକି ଯେତେବେଳେ ଯାଏଁ ସମସ୍ୟାର ସମାଧାନ ନ ହେବ ସେତେବେଳେ ଯାଏଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଲା ପକାଇ ରଖାଯିବ ବୋଲି କହିଛନ୍ତି ମହିଳା । ଏଭଳି ଏକ ଅଭାବନୀୟ ଘଟଣା ବଲାଙ୍ଗୀରର ମୁରସୁଣ୍ଡ ଗାଁରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ବଲାଙ୍ଗୀର ମୁରସୁଣ୍ଡ ଗାଁରେ ଇନ୍ଦିରା ଆବାସ ଗୃହ ବଣ୍ଟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏପରିକି ହିତାଧିକାରୀଙ୍କ ନାଁରେ ନକଲି ବିଲ୍ କରି ଟଙ୍କା ମଧ୍ୟ ଉଠାଯାଇଥିଲା । ଧନୀ ଓ ସରକାରୀ ଚାକିରିଆଙ୍କ ନାଁରେ ଇନ୍ଦିରା ଆବାସ ରହିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦିଆଯାଇଥିଲା । ଯାହାକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ଏପରିକି ଏହି ଘଟଣାକୁ ବିଡିଓ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ବାରମ୍ବାର ଅଭିଯୋଗ କରିଥିଲେ ଇନ୍ଦିରାଆବାସରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ ।

ବାରମ୍ବାର ଅଭିଯୋଗ ଆସିବା ପରେ ଆଜି ଏହାର ସତ୍ୟତା ଜାଣିବା ପାଇଁ ଉକ୍ତ ଗାଁରେ ପହଞ୍ଚିଥିଲେ ଅତିରିକ୍ତ ଜିଲ୍ଲାପାଳ । ମିଛ ବିଲ୍ କରି ଟଙ୍କା ଉଠା ଯାଇଥିବା ଘର ଗୁଡିକୁ ମଧ୍ୟ ଦେଖିବାକୁ ଦାବି କରିଥିଲେ ଗ୍ରାମବାସୀ । କିନ୍ତୁ ଗାଁର ଅଳ୍ପ କିଛି ଘର ଦେଖି ଫେରି ଆସୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଗୋଟିଏ ଘରେ ବନ୍ଦ କରି ତାଲା ପକାଇ ଦେଇଥିଲେ ଗାଁର ମହିଳା । ଏପରିକି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ ମଧ୍ୟ ତାଲା ଫିଟାଇ ନଥିଲେ ମହିଳା । ଜିଲ୍ଲାପାଳ ପହଞ୍ଚି ଘଟଣାର ସମାଧାନ ନ କରିବା ଯାଏଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ବନ୍ଦ କରି ରଖାଯିବ ବୋଲି ଗାଁର ମହିଳା କହିଛନ୍ତି ।