ମମିତା ମେହେର ମୃତ୍ୟୁ ଘଟଣାରେ ଜାତୀୟ ମହିଳା କମିଶନରଙ୍କ ଚିଠି । ପ୍ରଶ୍ନ ଉଠାଇଲେ ବିଜେଡି ମୁଖପାତ୍ର ।

471

କନକ ବ୍ୟୁରୋ: କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ ଜାତୀୟ ମହିଳା କମିଶନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିବା ପରେ ଏହି ଚିଠିକୁ ନେଇ ଆରମ୍ଭ ହୋଇଛି ବିବାଦ । ଜାତୀୟ ମହିଳା କମିଶନର ରେଖା ଶର୍ମା ରାଜ୍ୟର ଦୁଇ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କୁ ବହିଷ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଲେଖି ଜଣାଇଛନ୍ତି । ହେଲେ ଏହାକୁ ନେଇ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।

ସୁଲତା ଟୁଇଟ୍ କରି ଲେଖିଛନ୍ତି ଯେ, ଜାତୀୟ ମହିଳା କମିଶନରଙ୍କ ଏପରି ଆଚରଣ ଏକ ପ୍ରକାରର ମଜାକ୍ । ସେ ଭାରତର ଜାତୀୟ ମହିଳା କମିଶନକୁ ଏକ ଜାତୀୟ ଜୋକରେ ବଦଳାଇ ଦେଇଛନ୍ତି । ତଦନ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଏପରି ଚିଠିକୁ ନେଇ ସୁଲତା ପ୍ରଶ୍ନ ଉଠାଇଛନ୍ତି । ତେବେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ଆସାମରେ କେତେଜଣ ମନ୍ତ୍ରୀଙ୍କୁ ଏଭଳି ସ୍ଥଳରେ ଇସ୍ତଫା ଦେବାକୁ କୁହାଯାଇଛି ବୋଲି ସୁଲତା ପ୍ରଶ୍ନ କରିଛନ୍ତି । ତା ସହିତ ଜାତୀୟ କମିଶନ ଗୋଟିଏ ରାଜନୈତିକ ଦଳ ଭଳି ଆଚରଣ ନକରୁ ବୋଲି ସୁଲତା ନିଜ ଟୁଇଟରେ ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ, ମମିତା ମେହେର ମୃତ୍ୟୁ ଘଟଣାରେ ରାଜ୍ୟର ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କରଙ୍କ ହାତ ଥିବା ବିରୋଧୀ ଦାବି କରି ଆସୁଛନ୍ତି । ଏହାରି ଭିତରେ ଆଜି ଜାତୀୟ ମହିଳା କମିଶନର ରେଖା ଶର୍ମା ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ । ସେ ଚିଠିରେ ଲେଖାଯାଇଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ପ୍ରତାପ ଜେନା ସ୍କୁଲକୁ ବାରମ୍ବାର ଯାଉଥିଲେ । ତେଣୁ ପୁଲିସର ତଦନ୍ତ ପ୍ରଭାବିତ ହୋଇପାରେ ଯଦି ଏମାନେ ମନ୍ତ୍ରୀ ପଦରେ ରହିବେ । ତେଣୁ ଦୁଇ ମନ୍ତ୍ରୀଙ୍କୁ ବହିଷ୍କାର କରିବାକୁ ଜାତୀୟ ମହିଳା କମିଶନର ରେଖା ଶର୍ମା ଚିଠିରେ କହିଥିଲେ । ଯାହାକୁ ନେଇ ଏବେ ବିଜେଡି ମୁଖପାତ୍ର ପ୍ରଶ୍ନ ଉଠାଇଛନ୍ତି ।