ଆର୍ମି ପରୀକ୍ଷା ପାଇଁ ଆସିଥିବା ଶହ ଶହ ଛାତ୍ରଙ୍କ ଫୁଟପାଥରେ କଟିଲା ରାତି । ନା ଶୋଇବା ପାଇଁ, ନା ପାଣି ପାଇଁ ବ୍ୟବସ୍ଥା, ଅବ୍ୟବସ୍ଥା ନେଇ ଟୁଇଟ କରି ପ୍ରତିକ୍ରିୟା ରଖିଲେ ପୋଲିସ କମିଶନର ।

3,213

କନକ ବ୍ୟୁରୋ : ରାଜଧାନୀର ଫୁଟପାଥରେ କଟିଲା ଶହ ଶହ ପରୀକ୍ଷାର୍ଥୀଙ୍କ ରାତି । ନା ଶୋଇବାର ବ୍ୟବସ୍ଥା ଥିଲା ନା ପାଣି ପିଇବାର ବ୍ୟବସ୍ଥା ଥିଲା । ରାତି ପାହିଲେ ମୁଣ୍ଡ ଉପରେ ଆର୍ମୀ ର୍ୟାଲି ପରୀକ୍ଷାର ଚିନ୍ତା ଥିଲା । କିନ୍ତୁ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରମାନଙ୍କ ପାଇଁ କୌଣସି ବ୍ୟବସ୍ଥା ହୋଇନଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଏହି ପରୀକ୍ଷାର୍ଥୀମାନେ କିପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ, ତାହା ପରଖିଥିଲା କନକ ନ୍ୟୁଜ ।

ଜୟଦେବ ବିହାର-ଗଭର୍ଣ୍ଣର ହାଉସ ରାସ୍ତାରେ ଥିବା ୧୨୦ ବାଟାଲିୟନ ସମ୍ମୁଖରେ ଶହ ଶହ ସଂଖ୍ୟାରେ ଛାତ୍ର ରୁଣ୍ଡ ହୋଇଥାନ୍ତି । ଆଖିରେ ନିଦ ନଥାଏ । ରାତି ପାହିଲେ ପରୀକ୍ଷା ଦେବାକୁ ପଡିବ । ଶୋଇବେ ତ କେଉଁଠି ଶୋଇବେ । ଘଂଟା ଘଂଟା ଧରି ଏମିତି ରାତି ତମାମ ଅପେକ୍ଷା କରିଥାନ୍ତି ପରୀକ୍ଷାର୍ଥୀ । ୧୨୦ ବାଟାଲିୟନରେ ଆଜି ହେଉଥିବା ଆର୍ମୀ ର୍ୟାଲିରେ ଯୋଗ ଦେବା ପାଇଁ ଦୂରଦୂରାନ୍ତରୁ ଆସିଛନ୍ତି ଏହି ପରୀକ୍ଷାର୍ଥୀମାନେ । ସେମାନଙ୍କ ଅଭିଯୋଗ ହେଲା, ସକାଳେ ପରୀକ୍ଷା ଥିଲେ ମଧ୍ୟ ରାତିରେ ରହିବାର କୌଣସି ବ୍ୟବସ୍ଥା ହୋଇନାହିଁ ।

ରାସ୍ତାକଡ ଫୁଟପାଥ ଉପରେ ଶୋଇ ରହିଥିଲେ ପରିକ୍ଷାର୍ଥୀ । ରାଜ୍ୟ ବାହାରୁ ଆସିଥିବା ଏହି ଛାତ୍ରମାନେ ରାତି ଅଧରେ ଯିବେ ତ କୁଆଡେ ଯିବେ । କାରଣ ଭୋର ସାଢେ ଚାରିଟାରେ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ୧୨୦ ବାଟାଲିୟନରେ ପ୍ରବେଶ କରିବାର ଅଛି । ତେଣୁ ଖାଇବା, ରହିବା ଏବଂ ଶୋଇବା ପାଇଁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଏହିପରି ରାତି କାଟିଛନ୍ତି ପରୀକ୍ଷାର୍ଥୀ ।

ଦେଶ ପାଇଁ ସେବା କରିବାର ମନବୃତି ଏପରି ରହିଛି ଯେ କିଛି ଛାତ୍ର ବସି ରହିଛନ୍ତି । ଏତେ ସବୁ ଅବ୍ୟବସ୍ଥା ଭିତରେ ମଧ୍ୟ ଦେଶମାତୃକାର ସେବା ପାଇଁ ଏପରି ରାତି କଟାଇବାକୁ ପ୍ରସ୍ତୁତ ହୋଇଯାଇଛନ୍ତି । ୧୨୦ ବାଟାଲିୟନ ନିକଟ ରାସ୍ତାର ଦୁଇ ପାଶ୍ୱର୍ରେ ଶହ ଶହ ସଂଖ୍ୟାରେ ଛାତ୍ର ଏହିପରି ରାତି କଟାଇଛନ୍ତି । ପାଣି ପିଇବା ଠାରୁ ଆରମ୍ଭ କରି ଶୌଚ ଏବଂ ବିଶ୍ରାମ ନେବା ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ଯାହାର ପ୍ରଭାବ ପରୀକ୍ଷା ଉପରେ ପଡିପାରେ ବୋଲି କିଛି ଛାତ୍ର ଅଭିଯୋଗ ଆଣିଛନ୍ତି ।