କନକ ବ୍ୟୁରୋ: ଏ ବର୍ଷ ହେବନି ଛାତ୍ର ସଂସଦ ନିର୍ବାଚନ । ଆଇନ ମନ୍ତ୍ରୀ ଏ ନେଇ ମନ୍ତବ୍ୟ ଦେବା ପରେ ଛାତ୍ର ସଂଗଠନ ଗୁଡିକ ମଧ୍ୟରେ ନିର୍ବାଚନକୁ ନେଇ ଦେଖାଦେଇଥିଲ ଉତ୍ସାହ ହଠାତ୍ ଫିକା ପଡିଯାଇଛି । ପର୍ୟ୍ୟାପ୍ତ ସମୟ ନଥିବା ଦର୍ଶାଇ ୬ ବର୍ଷ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନକୁ ଆଉ ଗୋଟିଏ ଟାଳି ଦେଇଛନ୍ତି ରାଜ୍ୟ ସରକାର ।

Advertisment

ନୂଆ ସରକାର ଆସିବା ପରେ ଛାତ୍ର ସଂସଦ ନିର୍ବାଚନ ପାଇଁ କଲେଜ କ୍ୟାମ୍ପସରେ ଯେଉଁ ଉତ୍ସାହ ଥିଲା, ତାହା ମନ୍ତ୍ରୀଙ୍କ ଏହି ବୟାନ ପରେ ମଉଳି ଯାଇଛି ।  ଯାଜପୁର ବଡଚଣାରେ ଆଇନମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ପୁଣି ଥରେ ଅନିଶ୍ଚିତତା ମଧ୍ୟକୁ ଠେଲିଦେଇଛି ।

ଛାତ୍ର ସଂସଦ ନିର୍ବାଚନ ପାଇଁ ଆଇନମନ୍ତ୍ରୀଙ୍କ ଯୁକ୍ତି ହେଲା, ନୂଆ ସରକାର ଗଠନ ହେବା ପରଠୁ  ଯଥେଷ୍ଟ ସମୟ ନଥିବାରୁ  ଚଳିତବର୍ଷ ଛାତ୍ରସଂସଦ ନିର୍ବାଚନ ହୋଇପାରିନି ।  ଏ ନେଇ କଲେଜଗୁଡିକୁ ପ୍ରସ୍ତତ କରାଯାଇ  ଆସନ୍ତାବର୍ଷ କଲେଜଗୁଡିକୁ ଛାତ୍ର ସଂସଦ ପାଇଁ ପ୍ରସ୍ତୁତ କରାଯିବ।

ଦେଶ ଓ ରାଜ୍ୟ ରାଜନୀତିରେ ଛାତ୍ର ନେତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି ହେଉଥିବା ଦର୍ଶାଇ ତତକାଳୀନ ସରକାର ୨୦୧୮ରେ ଛାତ୍ରସଂସଦ ନିର୍ବାଚନକୁ ବନ୍ଦ କରିଦେଇଥିଲେ । କରୋନା ପରେ ଏନେଇ ଆଉ ଆଗକୁ ବଢିନଥିଲେ ତତକାଳୀନ ସରକାର । କ୍ୟାମ୍ପସ କମିଟି ନାଁରେ ରାଜନୀତି କରିଥିଲେ ବିଜେଡି ସରକାର , ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏବେ ନିର୍ବାଚନ ହେବନି ବୋଲି ମନ୍ତ୍ରୀ କହିବା ପରେ ବିଭିନ୍ନ ଛାତ୍ର ସଙ୍ଗଠନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

୬ ବର୍ଷ ପରେ କ୍ୟାମ୍ପସକୁ ରାଜନୀତି ଫେରିବ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ଏବର୍ଷ ମଧ୍ୟ ନିରାଶ ହେବାକୁ ପଡିଲା । ସରକାର ନିର୍ବାଚନ ପାଇଁ ରୋକଠୋକ ମନାକରିଦେଲେ । ଏବେ ପ୍ରଶ୍ନ ଉଠିଛି,ଆସନ୍ତ ବର୍ଷ  ନିର୍ବାଚନ ହେବ ତ?