କନକ ବ୍ୟୁରୋ: ‘ଯିବା ପୂର୍ବରୁ ପୁଅ ମୋର ଭାରି ଖୁସିରେ ସପିଙ୍ଗ କଲା, ଯାହା ଦରକାର ସବୁ କିଣିଲା । ଘର ଛାଡି ଡାକ୍ତର ହେବାକୁ ଯାଇଥିଲା । ହେଲେ ଘରକୁ ଶବ ହୋଇ ଫେରିଲା । ଯେଉଁ ବେକରେ ଡଉଁରିଆ ଫିତାଟେ ବି ବାନ୍ଧିବାକୁ ବିରକ୍ତ ହେଉଥିଲା ସେ ବେକରେ ଫାଶିର କଳାଦାଗ ଥିଲା । ମୋ ପୁଅକୁ ସେମାନେ ଜାଣିଶୁଣି ମାରିଦେଲେ’ । ଏ ହେଉଛି ପୁଅକୁ ହରାଇଥିବା ଜଣେ ଅସହାୟ ମା’ର କୋହ

Advertisment

କୋଟା ସହରକୁ ପୁଅ ପଢିବାକୁ ଯାଇଥିଲା । ଘରେ ସମସ୍ତେ ଭାବିଥିଲେ ପୁଅ ଡାକ୍ତର ହେବ ନାଁ ରଖିବ । ହେଲେ ସବୁ ଓଲଟପାଲଟ ହୋଇଗଲା । ଦିନେ ରାତିରେ ଉମେଶ ମା’ ପାଖକୁ ଫୋନ କଲା । ଭାରି ଧିମା ଗଳାରେ କଥା ହେଉଥିଲା, ଲାଗୁଥିଲା ଯେପରି ଉମେଶ ଅସୁସ୍ଥ ଥିଲା । ତାହା ଥିଲା ଉମେଶର ଶେଷ କଲ । ମନ ନବୁଝିବାରୁ ପୁଅକୁ ବିଳମ୍ବିତ ରାତିରେ ଫୋନ୍ କରିଥିଲେ ବି ଫୋନ୍ ଉଠାଇନଥିଲା ଉମେଶ । ସକାଳୁ ମଧ୍ୟ ଚେଷ୍ଟା କରିଥିଲେ ବି ଫୋନ୍ କେହି ରିସିଭ କରିନଥିଲେ । ମନରେ ସନ୍ଦେହ ହେବାରୁ ସେଠାରେ ଜଣେ ସମ୍ପର୍କୀୟଙ୍କୁ ଯାଇ ଘଟଣା କ’ଣ ବୁଝିବାକୁ କହିଥିଲେ ମା’ । ଅନେକ ସମୟ ହଷ୍ଟେଲ ରୁମର କବାଟ ବାଡେଇବା ପରେ ବି ନଖୋଲିବାରୁ ପୁଲିସକୁ ଡାକି କବାଟ ଭଙ୍ଗାଯାଇଥିଲା । ପଙ୍ଖାରେ ଝୁଲୁଥିଲା ଉମେଶଙ୍କ ମୃତଦେହ । ଡାକ୍ତରୀ ପାଇଁ ପ୍ରସ୍ତୁତ ହେବାକୁୁ ଯାଇଥିବା ପୁଅ ଘରକୁ ଶବ ଫେରିଲା । ଏ ହେଉଛି ମେ ୧୧ ତାରିଖରେ କୋଟାର ଏକ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ଉମେଶ ବର୍ମାଙ୍କ କାହାଣୀ ।

ସୁଇସାଇଡ୍ ଫ୍ୟାକ୍ଟ୍ରି ପାଲଟିଛି କୋଟା । ୧୨ ବର୍ଷରେ ୧୬୦ ଆତ୍ମହତ୍ୟା, ବର୍ଷକରେ ୩୦ ଆତ୍ମହତ୍ୟା, ମାସରେ ୪ ସୁଇସାଇଡ । ସ୍ୱପ୍ନର ସହର କୁହାଯାଉଥିବା ରାଜସ୍ଥାନର କୋଟା ସହରରେ ବର୍ଷକୁ ବର୍ଷ ବଢୁଛି ଆତ୍ମହତ୍ୟା ଘଟଣା । ଅକାଳରେ ଝରିଯାଉଛି ଅନେକ ଛାତ୍ରଛାତ୍ରୀଙ୍କ ଜୀବନ । ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ଉମେଶ । ହେଲେ ଏବାବଦରେ କାହାରି କିଛି ପଦକ୍ଷେପ ନାହିଁ । ନା ସମ୍ପୃକ୍ତ କୋଚିଙ୍ଗ ସେଣ୍ଟର ନା ପ୍ରଶାସନ କାହାରି ନିଘା ନାହିଁ ।
କୋଟା ଏଭଳି ଏକ ସହର ଯୁଆଡେ ଯିବେ ଖାଲି ଭେଳା ଭେଳା କୋଚିଙ୍ଗ ସେଣ୍ଟ । ତା ସାଙ୍ଗକୁ ହେଲ୍ପଲାଇନ୍ ସେଣ୍ଟର । ଖାଲି ଏତିକି ନୁହେଁ ମନୋବିଜ୍ଞାନୀଙ୍କ ଫଟୋ ଥିବା ହୋର୍ଡିଂ । କାରଣ ଏଠି କେବଳ ନିଜର ନୁହେଁ ବାପା, ମା’ଙ୍କ ଇଚ୍ଛାକୁ ପୂରଣ କରିବାକୁ ବିଭିନ୍ନ ଆଡୁ ଛୁଟିଆସନ୍ତି ଛାତ୍ରଛାତ୍ରୀ । ହେଲେ ଏତେ ପ୍ରତିଯୋଗିତା ଭିତରେ ସେମାନେ ସମୟ କ୍ରମେ ଅଣନିଃଶ୍ୱାସୀ ହୋଇପଡନ୍ତି । ଏଠିକାର କୋଚିଙ୍ଗ ସେଣ୍ଟର ଗୁଡିକ ପାଇଁ ଛାତ୍ରଛାତ୍ରୀ ମାନେ ଗୋଟେ ଗୋଟେ ମେସିନ୍ । ସାମାନ୍ୟ ପଛରେ ପଡିଗଲେ କେହି ପଚାରିବେନି । ଫଳରେ ଉଭୟ ଶିକ୍ଷକ ଓ ସାଙ୍ଗସାଥୀଙ୍କ ଆଗରେ ନିଜକୁ ନ୍ୟୁନ ମନେ କରନ୍ତି ଅନେକ ପିଲା । ଏବଂ ମାନସିକ ଅବସାଦର ଶିକାର ହୋଇ ଆତ୍ମହତ୍ୟା ଭଳି ଚରମ ବାଟକୁ ବାଛି ନିଅନ୍ତି ।

କୋଟାରେ ଛାତ୍ରଛାତ୍ରୀଙ୍କ ଏଭଳି କ୍ରମାଗତ ଆତ୍ମହତ୍ୟା ପାଇଁ ବିଶେଷଜ୍ଞମାନେ ଉଭୟ ଶିକ୍ଷାନୁଷ୍ଠାନ ଓ ଅଭିଭାବକଙ୍କୁ ଦାୟୀ କରିଛନ୍ତି । ଅଭିଭାବକମାନେ ପିଲାର ଜ୍ଞାନକୁ ମାପି ସେମାନଙ୍କୁ ଯୋଗ୍ୟ କରିବା ବଦଳରେ ନିଜ ଅନୁଷ୍ଠାନର ନାଁ କରିବାକୁ କେବଳ ସ୍କଲାର ପିଲାଙ୍କୁ ଅଧିକ ଗୁରୁତ୍ୱ ଦିଅନ୍ତି । ପଛରେ ପଡିଯାନ୍ତି ଅନେକ ଛାତ୍ରଛାତ୍ରୀ । ଦ୍ୱିତୀୟରେ ଏଥିପାଇଁ ଦାୟୀ ବାପା, ମା’ଙ୍କ ଅହେତୁକ ଆଶା । ପିଲାର ନିଜ ଇଚ୍ଛାକୁ ଗୁରୁତ୍ୱ ନଦେଇ ସବୁବେଳେ ନିଜ ଇଚ୍ଛାକୁ ସେମାନଙ୍କ ଉପରେ ଲଦିଦେବାକୁ ଚେଷ୍ଟା କରୁଛନ୍ତି ଅନେକ ଅଭିଭାବକ ଏବଂ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଯାଇ ପ୍ରତିଯୋଗିତା ଭିତରେ ହାରିଯିବା ପରେ ନିଜକୁ ଅସହାୟ ମନେକରି ଆତ୍ମହତ୍ୟା କରୁଛନ୍ତି ଛାତ୍ରଛାତ୍ରୀ ।

ତେଣୁ ପିଲାମାନଙ୍କର ସୁରକ୍ଷିତ ଭବିଷ୍ୟତ ପାଇଁ ପ୍ରତିଯୋଗିତା ଅପେକ୍ଷା ସେମାନଙ୍କୁ ଠିକ୍ କାଉନସେଲିଙ୍ଗ ଆବଶ୍ୟକ । ଏହାସହ ବାପା, ମା’ ବନ୍ଧୁ ଭଳି ବ୍ୟବହାର କରି ସେମାନଙ୍କ ମନକଥା ବୁଝିବା ନିହାତି ଜରୁରୀ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।