କନକ ବ୍ୟୁରୋ : ଭେକ୍ଟା ଗାଁକୁ ଦୁଇ ଭାଗ କରିଛି ଭିତରକନିକାର ଏକ ଶାଖା ନଦୀ । ନଦୀ ଏପଟେ ଘର, ସେପଟେ ବିଦ୍ୟାଳୟ ରହିଛି । ତେଣୁ କୁମ୍ଭୀରପୂର୍ଣ୍ଣ ନଦୀରେ ୨ଟି ବାଉଁଶରେ ତିଆରି ପୋଲ ଦେଇ ବିଦ୍ୟାଳୟକୁ ଯାଉଛନ୍ତି ୫୦ରୁ ଅଧିକ ପିଲା । ଉତ୍ତର ଭେକ୍ଟା ଗାଁରେ ରହୁଥିବା ଛାତ୍ରଛାତ୍ରୀ ଦକ୍ଷିଣ ଭେକ୍ଟା ବିଦ୍ୟାଳୟକୁ ଯାଉଛନ୍ତି । ବାଉଁଶକୁ ଧରିବା ପାଇଁ ଯେଉଁ ପିଲାଙ୍କ ହାତ ପାଏନି, ସେମାନେ ଆଣ୍ଠେଇ ଆଣ୍ଠେଇ ଯିବା ଆସିବା କରନ୍ତି    ।

Advertisment

ଭେକ୍ଟା ଗାଁକୁ ଭାଗ କରିଥିବା ନଦୀଟି ସିଧାସଳଖ ଭିତରକନିକାର ନଦୀକୁ ସଂଯୋଗ କରୁଛି । ତେଣୁ ଅଧିକାଂଶ ସମୟରେ ଏହି ନଦୀରେ କୁମ୍ଭୀର ଦେଖିଥିବା ଗ୍ରାମବାସୀ ଅଭିଯୋଗ କହିଛନ୍ତି । ଏଭଳି ସ୍ଥିତିରେ ଥରେ ଭାବନ୍ତୁ ତ ଯଦି କୌଣସି କାରଣରୁ କାହାର ଗୋଡ଼ ଖସିଯାଏ ତେବେ ପରିସ୍ଥିତି କ’ଣ ହେବ? ଏମିତି ଆଶଙ୍କାରେ ଦିନ କାଟୁଥିବା ଗ୍ରାମବାସୀ ନଦୀରେ ପୋଲଟିଏ ପାଇଁ ଗୁହାରୀ କରିଛନ୍ତି । ହେଲେ କେହି ସେମାନଙ୍କ କଥା ଶୁଣୁନଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ତୁରନ୍ତ ଏହି ଗାଁର ସମସ୍ୟା ଦୂର ହେବ ବୋଲି କେନ୍ଦ୍ରାପଡା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ।

ଜୀବନକୁ ବାଜି ଲଗାଇ ପାଠ ପଢିବାକୁ ଆସୁଥିବା କୁନି କୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି ପୋଲଟିଏ ନିର୍ମାଣ କରିବାର ଆବଶ୍ୟକତା ରହିଛି ।