ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାକୁ ନେଇ ତାତିଲା ଛାତ୍ର କଂଗ୍ରେସ: ବିକ୍ଷୋଭ ବେଳେ ଅଣ୍ଡା, ଟମାଟୋ ମାଡ

94

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଛାତ୍ର କଂଗ୍ରେସର ଯୁଦ୍ଧଂ ଦେହି ଡାକରା । ପୁରୀ ୧୧ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି ଛାତ୍ର କଂଗ୍ରସ । ନବୀନ ନିବାସ ଆଡକୁ ଯାଉଥିବା ବେଳେ ଅଟକାଇବାରୁ ବିକ୍ଷୋଭକାରୀ ପୁଲିସ ଉପରକୁ ଅଣ୍ଡା ଓ ଟୋମାଟୋ ମାଡ଼ କରିଥିବା ଅଭିଯୋଗ ହୋଇଛି । ଛାତ୍ର କଂଗ୍ରେସ କର୍ମୀ ଓ ପୁଲିସ ମୁହାମୁହିଁ ହୋଇଛନ୍ତି । ଧର୍ମେନ୍ଦ୍ର ସାହୁ ମାମଲାରେ ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ମନ୍ତ୍ରୀଙ୍କ ବହିଷ୍କାର ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ବିକ୍ଷୋଭକାରୀ । ନବୀନ ନିବାସ ଘେରାଉ କରିବାକୁ ଚେଷ୍ଟା ପରେ ଛାତ୍ର କଂଗ୍ରେସ କର୍ମୀମାନେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାକାନ୍ତି ବେହେରାଙ୍କ ସରକାରୀ ବାସଭବନରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଏହାସହ ଅଣ୍ଡା ମାଡ଼ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ ।

ମଲ୍ଲିକାର୍ଜୁନ ଖାଡ଼ଗେ କଂଗ୍ରେସ ସଭାପତି ହେବା ପରେ କଂଗ୍ରେସରେ କିଛି ପରିବର୍ତନ ଘଟିବ କି ? ଦଳରେ ନୂଆ ଉତ୍ସାହ ଭରିବ କି ? ଏହି ପ୍ରଶ୍ନ ଭିତରେ ଓଡ଼ିଶାରେ ଛାତ୍ର କଂଗ୍ରେସ ସକ୍ରିୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି ।

ରାଜ୍ୟରେ ବିଜେପି ୨ ନମ୍ବର ଦଳ ପାଲଟିଯିବା ପରେ କଂଗ୍ରେସ ଏହାର ସ୍ଥିତି ଜାହିର କରିବାକୁ ଚେଷ୍ଟା କରିଆସୁଛି । ଆଉ ମଲ୍ଲିକାର୍ଜୁନ ଖାଡ଼ଗେ କଂଗ୍ରେସ ସଭାପତି ହେବା ପରେ ଦଳୀୟ ନେତା ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଛି । ଫଳରେ ନୂଆ ଜୋସ୍ ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ର କଂଗ୍ରେସ କର୍ମୀ ।