କଲେଜ ଛାତ୍ରୀଙ୍କ ସଂଘର୍ଷ କାହାଣୀ । ପାଠପଢ଼ା ସହ ମେଣ୍ଢା ଚରାଇ ରୋଗିଣା ବାପାଙ୍କୁ ପ୍ରତିପୋଷଣ କରୁଛନ୍ତି ଖୋର୍ଦ୍ଧା ବାଲିପାଟଣାର ସସ୍ମିତା ପାଳ ।

246

କନକ ବ୍ୟୁରୋ : ଖରାରେ ଛତାଧରି ମେଣ୍ଢା ଚରାଉଥିବା ଏହି ଯୁବତୀ ଜଣଙ୍କ ହେଉଛନ୍ତି ସସ୍ମିତା ପାଳ । ସସ୍ମିତା ଏବେ ଯୁକ୍ତ ୩ ର ଛାତ୍ରୀ । ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ କଲେଜରେ ପାଠପଢ଼ୁଥିବା ସସ୍ମିତା କାହିଁକି ମେଣ୍ଢା ଚରାଉଛନ୍ତି ? ପରିବାରର ବୋଝରେ ସସ୍ମିତା ବାଧ୍ୟ ହୋଇଛନ୍ତି ମେଣ୍ଡା ଚରାଇବାକୁ । ସସ୍ମିତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ସେମାଣା ଶାସନ ପଂଚାୟତ ପାଳସାହି ୮ ନମ୍ବର ୱାଡରେ । ପରିବାର କହିଲେ ସସ୍ମିତା ଓ ତାଙ୍କ ବାପା ଧନେଶ୍ୱର । ୯ ବର୍ଷ ତଳୁ ମା’ ପର କରି ଆରପାରିକୁ ଚାଲିଯାଇଛନ୍ତି । ନିଜ ରୋଗଗ୍ରସ୍ତ ବାପାଙ୍କ ସହ ତମ୍ବୁ ତଳେ ରହନ୍ତି ସସ୍ମିତା । ବାପା କିଡନୀ ଓ ବ୍ଲଡପ୍ରେସର ରୋଗରେ ପୀଡ଼ିତ । ତେଣୁ ସବୁ ଦାୟିତ୍ୱ ଏବେ ସସ୍ମିତାଙ୍କ ଉପରେ ।

ସକାଳୁ ନିଜ ବାପାଙ୍କ କଥା ବୁଝି ମେଣ୍ଢା ଗୁହାଳର ଦାୟତ୍ୱ ନେଇ କଲେଜ ବାହାରି ପଡ଼ନ୍ତି ସସ୍ମିତା । ସେ ଏବେ ଜ୍ଞାନଦେବର ଡିଗ୍ରୀ ମହାବିଦ୍ୟାଳୟରେ ପଢ଼ନ୍ତି । କଲେଜରୁ ପାଠପଢ଼ା ସାରି ଘରକୁ ଫେରିଲେ ମେଣ୍ଢା ନେଇ ବାହାରରି ଯାଆନ୍ତି ଚରାଇବାକୁ । ହାତରେ ଛତା ଓ ଛୋଟିଆ ପାଣି ବୋତଲ ଧରି ମେଣ୍ଢା ଚରାନ୍ତି ସସ୍ମିତା ।

ଫନିରେ ସସ୍ମିତାଙ୍କ ଘର ଭାଙ୍ଗିଯାଇଥିଲା । ହେଲେ ଏପର୍ଯ୍ୟନ୍ତ କୌଣସି ସହାୟତା ମିଳିନାହିଁ । ତମ୍ବୁ ତଳେ ଅଶ୍ରୟ ନେଇଛନ୍ତି ବାପ-ଝିଅ । କେବଳ ମିଳୁଥିବା ସରକାରୀ ଚାଉଳ ଓ ଧନେଶ୍ୱରଙ୍କୁ ମିଳୁଥିବା ଭତା ହିଁ ସାହାରା । ସେତିକିରେ କେମିତି ଚଳିବେ ? କାହିଁକି ସସ୍ମିତାଙ୍କୁ ଘର ମିଳି ନାହିଁ ? ଏପଟେ ରୋଗଗ୍ରସ୍ଥ ବାପାଙ୍କ ଦାୟିତ୍ୱ, ସେପଟେ ପାଠପଢ଼ା । ଅର୍ଥର ଅଭାବ । ଏସବୁ ସହ ଲଢ଼ି ଆଗକୁ ବଢ଼ୁଛନ୍ତି ସସ୍ମିତା । ଅପେକ୍ଷା କରିଛନ୍ତି କେବେ ମିଳିବ ସରକାରୀ ସହାୟତା ?