ପାଠ ପାଇଁ ସଂଘର୍ଷ

34

ବାରିପଦା : ଯୁକ୍ତ ଦୁଇ ଛାତ୍ରୀ ଝାନସୀରାଣୀ ପଣ୍ଡା । ନିଜ ପାଠପଢା ଓ ଘର ଖର୍ଚ୍ଚରେ ହାତ ବଢାଇବା ପାଇଁ ଅଂଟା ଭିଡିଛନ୍ତି ସେ । ପୁଣି ଯେଉଁ ପେଶାକୁ ଆଦରି ନେବାକୁ ସାହାସ ଦେଖାଇଛନ୍ତି, ତାହା ସାଧାରଣ ଝିଅମାନଙ୍କ କ୍ଷେତ୍ରରେ ଦେଖାଯାଇ ନଥାଏ । ଡ୍ରାଇଭର ଭାବେ ଅଟୋ ଚଳାଇ ନିଜକୁ ରୋଜଗାରକ୍ଷମ କରିପାରିଛନ୍ତି ଝାନସୀରାଣୀ । ଆଉ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ନିକଟରେ ତାଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଠପଢାରେ ଝାନସୀ ଯେପରି ନିପୂଣା, ମନୋବଳ ମଧ୍ୟ ସେହିପରି ଦୃଢ । ଅଭାବ ଅନଟନ ଯୋଗୁଁ ଯୁକ୍ତ ଦୁଇ ବିଜ୍ଞାନ ପଢିବା ସ୍ୱପ୍ନ ସିନା ଅଧାରେ ରହିଯାଇଛି ,କିନ୍ତୁ ଇନ୍ଦିରା ଗାନ୍ଧୀ ଓପନ ୟୁନିଭରସିଟିରେ ନାମ ଲେଖାଇ ଜାରି ରଖିଛନ୍ତି ପାଠପଢା । ଏବେ ଲକ୍ଷ୍ୟ ହେଉଛି, ଆଇପିଏସ ଅଫିସର ହୋଇ ଦେଶ ମାତୃକାର ସେବା କରିବା ।

ଝାନସୀରାଣୀ ଏବେ ବାରିପଦାରେ ବେଶ ଜଣାଶୁଣା ନାଁ । ଝିଅର ପ୍ରଶଂସାରେ ବାପା ଅଜୟ କୁମାର ପଣ୍ଡା ମଧ୍ୟ ବେଶ ଖୁସି । ସକାଳ ବେଳା ପାଠପଢା, ଉପରବେଳା ଅଟୋ ଚଳାଇବା, ଏହି ଦୁଇଟି କାର୍ଯ୍ୟକୁ ସୂଚାରୁରୂପେ କରି ଆସୁଛନ୍ତି ଝାନସୀ । ବୟସ ଅଳ୍ପ ହେଲେ ବି ସେ ଯେଉଁ ସାହସ ଦେଖାଇଛନ୍ତି, ତାହା ଅନ୍ୟ ଝିଅଙ୍କ ପାଇଁ ନିଶ୍ଚୟ ଉଦାହରଣ ପାଲଟିବ ।