ସାଂଘାଇରେ କରୋନାକୁ ବଳି ଗଲା ଲକଡାଉନ କଟକଣା: ନିୟନ୍ତ୍ରଣ ପାଇଁ ପ୍ରଶାସନର କଡା ନିୟମ

164

କନକ ବ୍ୟୁରୋ: ଚୀନ ସାଂଘାଇରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଲୋକେ ଅଧିକ ମାତ୍ରାରେ ସଂକ୍ରମଣ ହେଉଛନ୍ତି । କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ଆଣିବା ପାଇଁ ଏଠାରେ ପ୍ରଶାସନ ଶକ୍ତ କଟକଣା ଲଗାଇଛନ୍ତି । ଯାହାକୁ ନେଇ ସହରରେ ଦୀର୍ଘ ସମୟ ଧରି ଲକଡାଉନ୍ କଟକଣା ଲଗାଯାଇଛି । ଫଳରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ଆରମ୍ଭ କଲେଣି । ସାଂଘାଇରେ ସ୍ଥିତି ଏତେ ଭୟଙ୍କର ହେବାରେ ଲାଗିଛି ଯେ, ସେଠାକାର ସରକାରୀ ଗଣମାଧ୍ୟମ ମଧ୍ୟ ପ୍ରଶାସନ ବିରୋଧରେ ଖବର ପ୍ରସାରଣ କରିବା ଆରମ୍ଭ କଲାଣି । ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଶୁକ୍ରବାର ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ – କରୋନା ଭୂତାଣୁର ଓମିକ୍ରନ୍ ପ୍ରଜାତି ପାଇଁ ସାଂଘାଇରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ଲକଡାଉନ୍ ପାଇଁ ସ୍ଥାନୀୟ ଲୋକଙ୍କ ସମସ୍ୟା ବେଶ ବଢି ଯାଇଛି । ଫଳରେ ଇଂଟରନେଟ୍ରେ ଜନଅସନ୍ତୋଷର ବିଭିନ୍ନ କାହାଣୀ ଦେଖିବାକୁ ମିଳିଛି ।

ସାଙ୍ଘାଇର କରୋନା ସ୍ଥିତି

– ଚୀନର ଅର୍ଥନୈତିକ ରାଜଧାନୀ ସାଙ୍ଘାଇରେ ଲକଡାଉନ୍ରେ ଥିବା ଲୋକଙ୍କ ପାଖରେ ଖାଦ୍ୟ, ଔଷଧ ଭଳି ଜରୁରୀ ସାମଗ୍ରୀର ଅଭାବ ଦେଖିବାକୁ ମିଳିଛି 

– ସହରରେ ଅଧିକାଂଶ ବୟସ୍କ ବ୍ୟକ୍ତି କରୋନାରେ ସଂକ୍ରମିତ ହେଉଥିବା ଲକ୍ଷ୍ୟ କରାଯାଉଛି 

– ସଂକ୍ରମିତଙ୍କୁ ଯଥା ସମୟରେ ଚିକିତ୍ସା ମିଳୁନଥିବା ବି ଅଭିଯୋଗ ହୋଇଛି 

ଲକଡାଉନ୍ ପାଇଁ ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଶେଷ ହେବାକୁ ବସିଲାଣି । ଆଉ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବାରେ ସଫଳ ହୋଇନି ପ୍ରଶାସନ । ଫଳରେ ସାଙ୍ଘାଇରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି । ଏବେ ଉତ୍ୟକ୍ତ ଲୋକେ ନିଜ ଘରୁ ବାହାରି ରାସ୍ତାକୁ ଓହ୍ଲାଇ ପ୍ରତିବାଦକୁ ଓହ୍ଲାଇଛନ୍ତି ।

ସାଂଘାଇର ହଜାର ହଜାର ଲୋକଙ୍କ ପାଖରେ କରୋନାର ଲକ୍ଷଣ ପରିଲକ୍ଷିତ ହୋଇ ନାହିଁ । ଏଭଳି ପରିସ୍ଥିତିରେ ସେମାନଙ୍କୁ କଟକଣାରେ ସାମନ୍ୟ ରିହାତି ଦିଆଯାଉ ବୋଲି ଅଡି  ବସିଛନ୍ତି ସାଙ୍ଘାଇ ବାସିନ୍ଦା । ରାସ୍ତାକୁ ଓହ୍ଲାଇ ପ୍ରଶାସନ ବିରୋଧରେ ପ୍ରତିବାଦ କରିବାକୁ ବି ପଛାଇ ନାହାଁନ୍ତି । ରାସ୍ତାରେ ଏକାତ୍ରିତ ହୋଇ ପ୍ରଶାସନ ଅଧିକାରୀଙ୍କ ସାମ୍ନାରେ ପ୍ରତିବନ୍ଧକ ଉଠାଇବା ପାଇଁ ଅନୁରୋଧ କରିଛନ୍ତି । ତେବେ ଆନ୍ଦୋଳନବେଳେ ପୋଲିସ ଆନ୍ଦୋଳନକାରୀଙ୍କୁ ଜୋର ଜବରଦସ୍ତ କ୍ୱାରେନଟାଇନ୍ ସେଂଟରରେ ଭର୍ତି କରାଯାଉଥିବା ଦେଖିବାକୁ ମିଳିଛି ।

ଚୀନ ବିଶ୍ୱର ସର୍ବାଧିକ ଟିକାକରଣ ଯୁକ୍ତ ଦେଶ ମଧ୍ୟରେ ସାମିଲ ଅଛି । ଦେଶରେ ବର୍ତମାନ ସୁଦ୍ଧା ୮୮ପ୍ରତିଶତରୁ ଅଧିିକ ନାଗରିକଙ୍କୁ କରୋନାର ଉଭୟ ଡୋଜ୍ ଦିଆ ସରିଛି । ହେଲେ ୬୦ ବର୍ଷରୁ ଉଦ୍ଧ୍ୱର୍ ମାତ୍ର ୫୨ ପ୍ରତିଶତ ନାଗରିକଙ୍କୁ ହିଁ କରୋନାର ଉଭୟ ଡୋଜ୍ ଦିଆଯାଇଛି ।

କରୋନା ହଟସ୍ପଟ ପାଲଟିଲାଣି ଚୀନର ସାଙ୍ଘାଇ ସହର । ଚୀନର ଆର୍ଥିକ ରାଜଧାନୀ କୁହାଯାଉଥିବା ସାଙ୍ଘାଇରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା । କେବଳ ଶୁକ୍ରବାର ଦିନ ୨୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ ପ୍ରାୟ ଅଢେଇ କୋଟି ଲୋକ ଲକଡାଉନରେ ରହିଛନ୍ତି । ବଢୁଥିବା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ନୂଆ ଗାଇଡଲାଇନ ଜାରି କରିଛି ଚୀନ ।

ମହାମାରୀ ଶେଷ ହୋଇଗଲା ବୋଲି ଭାବି କୋଭିଡ କଟକଣାକୁ ହଟେଇ ଦେଇଥିଲା ଚୀନ । ଏବଂ ସେହି କାରଣରୁ ଚୀନରେ ପୁଣି ସଂକ୍ରମଣ ବଢୁଥିବା କୁହାଯାଉଛି । ଏବେ ପୁଣି କଟକଣା ଯୋଗୁଁ ଲୋକେ ଖାଦ୍ୟ ସାମଗ୍ରୀ ପାଇବାରେ ମଧ୍ୟ ହଇରାଣ ହେଉଛନ୍ତି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।