କନକ ବ୍ୟୁରୋ : ବନ୍ଦ ହୋଇଗଲା ଉଠା ଦୋକାନ, କୌଣସି ଉପାୟ ନପାଇ ଆତ୍ମହତ୍ୟା କରିଦେଲେ ରାଜଧାନୀର ଦୁଇ ଉଠାଦୋକାନୀ । ପ୍ରଦର୍ଶନୀ ପଡିଆ ଓ ମାର୍କେଟ ବିଲ୍ଡିଂର ଦୁଇ ଉଠା ଦୋକାନୀଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସାଂଘାତିକ । ପରିବାର ସଦସ୍ୟ କହିଛନ୍ତି, ବିଏମସିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜୀବିକା ହରାଇ ଏପରି ଚରମ ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି ଦୁଇ ଛୋଟ ଉଠା ବ୍ୟବସାୟୀ ।
ଭୁବନେଶ୍ୱରର ଏହି ଘଟଣା ସମସ୍ତଙ୍କୁ ବିଚଳିତ କରିଛି । ମାତ୍ର ଚାରି ଦିନ ଭିତରେ ଦୁଇ ଦୁଇ ଜଣ ଉଠା ଦୋକାନୀ ଆତ୍ମହତ୍ୟା କରିବା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଅଜିତ ସାହାଣୀ ନାମକ ବେଡସିଟ୍ ଓ କମ୍ବଳ ବ୍ୟବସାୟୀ ଗତ ରବିବାର ଆତ୍ମହତ୍ୟା କରିଥିବାବେଳେ ପ୍ଲାଷ୍ଟିକ୍ ବ୍ୟବସାୟ କରୁଥିବା ସୁବାଷ ପଣ୍ଡିତ ମଙ୍ଗଳବାର ଆତ୍ମହତ୍ୟା କରିଛନ୍ତି । ଆଉ ମୃତ୍ୟୁ ପଛର କାରଣ, ଦୋକାନ ବନ୍ଦ ହୋଇଯିବାର ଚାପ ବୋଲି କୁହାଯାଉଛି । ଉଭୟଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସାଂଘାତିକ । ଅଭିଯୋଗ କରି କହିଛନ୍ତି ବିଏମସିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଜୀବିକା ହରାଇ ଏପରି ଚରମ ନିଷ୍ପତି ନେବାକୁ ବାଧ୍ୟ ହୋଇଛନ୍ତି ଦୁଇ ଛୋଟ ଉଠା ବ୍ୟବସାୟୀ ।
ଗତ କିଛି ଦିନ ହେବ ମାର୍କେଟ ବିଲଡିଂରେ ବ୍ୟବସାୟ କରୁଥିବା ସ୍ଥାୟୀ ଦୋକାନୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଉଠା ଦୋକାନୀଙ୍କୁ ଉଠାଇବା ପାଇଁ ଦାବି କରି ଆସୁଛନ୍ତି ସ୍ଥାୟୀ ଦୋକାନୀ ସଂଘ । ଆଉ ବ୍ୟବସାୟୀ ସଂଘର ଦାବି ଯୋଗୁଁ ଉଠା ଦୋକାନୀମାନଙ୍କୁ ଦୋକାନ ଖୋଲିବା ପାଇଁ ବାରଣ କରିଆସୁଛି ବିଏମସି । ଯେଉଁଥିପାଇଁ ଭାରସାମ୍ୟ ହରାଇ ଏହି ବ୍ୟବସାୟୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ବିଏମସି ବିରୋଧରେ ଉଠାଦୋକାନୀମାନେ ଅଭିଯୋଗ ଆଣୁଥିବାବେଳେ, ପ୍ରଦର୍ଶନୀ ପଡିଆ ସମ୍ମୁଖ ରାସ୍ତାରେ ଯାହା ଘଟିଛି, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ରାସ୍ତା କଡରେ ଚାହା ଓ ମାସ୍କ ବ୍ୟବସାୟ କରି ଗୁଜୁରାଣ ମେଂଟାଉଥିବା ଜଣଙ୍କ ଉଠାଦୋକାନକୁ ଭାଙ୍ଗି ଦେଇଛନ୍ତି ବିଏମସିର କର୍ମଚାରୀ । ଦୋକାନ ଦେଇଥିବା ମହିଳା ଜଣଙ୍କ କାକୁତି ମିନତି ହେଲେ ବି ଛାଡି ନଥିଲେ ବିଏମସି କର୍ମଚାରୀ । ଦୋକାନ ଭାଙ୍ଗିବା ସହ ଗାଳି ବି କରୁଛନ୍ତି । ଯାହାକି କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ ।
ଗୋଟିଏ ପଟେ ଉଠାଦୋକାନୀଙ୍କୁ କରୋନା ସହାୟତା ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ଦୋକାନୀ ପିଛା ୩ ହଜାର ଲେଖାଏଁ ଟଙ୍କା ଦେଉଛନ୍ତି । କରୋନା ଆରମ୍ଭରୁ ଏପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଉଠାଦୋକାନୀମାନଙ୍କୁ ଏହି ଆର୍ଥିିକ ସହାୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ବହୁ ଉଠା ଦୋକାନୀଙ୍କୁ ଋଣ ଆକାରରେ ୧୦ ହଜାର ଲେଖାଏଁ ଟଙ୍କା ଦେଇଛନ୍ତି ସରକାର । କିନ୍ତୁ ଉଠାଦୋକାନୀଙ୍କ ପ୍ରତି ବିଏମସିର ଆଭିମୁଖ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳତାକୁ ପାଣିଚିଆ କରି ଦେବାର ଆଶଙ୍କା ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/20-12.jpg)