ମାର୍କେଟ ବିଲ୍ଡିଂ ମନା ପରେ ଚାପରେ ଉଠାଦୋକାନୀ । ୩ ଦିନରେ ଆତ୍ମହତ୍ୟା କଲେଣି ୨ ଜଣ ବ୍ୟବସାୟୀ

ଅତ୍ୟଧିକ ଋଣଭାର ଯୋଗୁଁ ବଢୁଛି ମାନସିକ ବିଷାଦ । ବଡ଼ ବ୍ୟବସାୟୀଙ୍କ ଆନ୍ଦୋଳନ ଯୋଗୁଁ ଉଠାଦୋକାନୀଙ୍କୁ ଦୋକାନ ପାଇଁ ମିଳୁନି ଅନୁମତି

303

କନକ ବ୍ୟୁରୋ : ଭୁବନେଶ୍ୱର ମାର୍କେଟ ବିଲ୍ଡିଂରୁ ଉଠାଦୋକାନୀକୁ ଉଠାଇ ଦିଆଯିବା ପରେ ଜୀବିକା ହରାଇଥିବା ଜଣକ ପରେ ଜଣେ ବ୍ୟବସାୟୀ ଆତ୍ମହତ୍ୟା କରୁଥିବା ଖବର ଆସୁଛି । ଦୁଇଦିନ ବ୍ୟବଧାନରେ ଦୁଇଜଣ ଉଠାଦୋକାନୀ ଆତ୍ମହତ୍ୟା କରିସାରିଲେଣି । ରବିବାର ଜଣେ ବ୍ୟବସାୟୀ ଅଜିତ ସାହାଣୀ ଆତ୍ମହତ୍ୟା କରିଥିବାବେଳେ ଗତକାଲି ଆଉ ଜଣେ ବ୍ୟବସାୟୀ ସୁବାସ ପଣ୍ଡିତ ନିଜ ଜୀବନ ହାରିଛନ୍ତି । ସୁବାସ ପଣ୍ଡିତ ମାର୍କେଟ ବିଲ୍ଡିଂରେ ପ୍ଲାଷ୍ଟିକ ଦୋକାନ କରିଥିଲେ ।

ତେବେ କରୋନା ପାଇଁ ଦୋକାନ ବନ୍ଦ ହୋଇଯାଇଥିବାକୁ ସମସ୍ୟା ଦେଖାଦେଇଥିଲା । ସ୍ଥିତି ସୁଧୁରିବା ପରେ ପୁଣି ମାର୍କେଟ ବିଲ୍ଡିଂରେ ଦୋକାନ ଖୋଲିଥିଲେ । ଏଥିପାଇଁ ସୁବାସ ଧାରଉଧାର ବି କରିଥିଲେ । କିନ୍ତୁ ଗତ ସପ୍ତାହରେ ଉଠାଦେକାନୀଙ୍କ ବିରୋଧରେ ବ୍ୟବସାୟୀ ସଂଘ ଆନ୍ଦୋଳନ କରିବାରୁ ତାଙ୍କ ବେପାର ବନ୍ଦ ହୋଇଯାଇଥିଲା । ଶୁକ୍ରବାର ବଜାର ଖୋଲିଥିଲେ ବି କୋର୍ଟଙ୍କ ନିର୍ଦ୍ଦେଶ ଓ ଭୁବନେଶ୍ୱର ମହାନଗର ନିଗମର ପଦକ୍ଷେପ ଯୋଗୁଁ ଉଠାଦୋକାନୀଙ୍କୁ ବ୍ୟବସାୟ ପାଇଁ ବାରଣ କରାଯାଇଥିଲା । ଏହା ପରେ ସେ ମାନସିକ ସ୍ତରରେ ଭାଙ୍ଗିପଡିଥିଲେ ।

ଶେଷରେ ଚିନ୍ତାଗ୍ରସ୍ତ ହୋଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରବିବାରଦିନ ମଧ୍ୟ ମାର୍କେଟ ବିଲ୍ଡିଂର ଅନ୍ୟ ଜଣେ ବ୍ୟବସାୟୀ ଅଜିତ ସାହାଣୀ ଆତ୍ମହତ୍ୟା କରିଥିଲେ । ଋଣଭାର ଯୋଗୁଁ ସେ ଚାପଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଥିଲା । ଅଜିତ ୨୦ ବର୍ଷ ଧରି ମାର୍କେଟ ବିଲ୍ଡିଂର ବୟନିକା ସାମ୍ନାରେ ବେଡସିଟ ଦେକାନ କରିଥିଲେ । ସେ ଲକ୍ଷାଧିକ ଟଙ୍କାର ଲୋନ କରିଥିଲେ ।