ନନ୍ଦନକାନନରେ ବିଚିତ୍ର ଦୃଶ୍ୟ, ଜଳହସ୍ତୀ ଖୁଆଡରେ କୁମ୍ଭୀର: ପର୍ଯ୍ୟଟକ ଦେଖିବା ପରେ ସାମନାକୁ ଆସିଲା ଘଟଣା

151

କନକ ବ୍ୟୁରୋ: ନନ୍ଦନକାନନର ଜଳହସ୍ତୀ ଖୁଆଡ । ଯେଉଁଠି ଜଳହସ୍ତୀ ସାଙ୍ଗରେ ରହିଛି କୁମ୍ଭୀର । ଏହି କଥା ଶୁଣିବାକୁ ଆପଣଙ୍କୁ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ପର୍ଯ୍ୟଟକମାନେ ଏହି ଦୃଶ୍ୟ ଦେଖି ସେତିକି ଭୟଭୀତ ହୋଇଥିଲେ । ଆଉ ନିଜ କ୍ୟାମେରାରେ କଏଦ କରିଥିଲେ ଜଳହସ୍ତୀ ଖୁଆଡରେ ଥିବା ଏହି କୁମ୍ଭୀରର ଫଟୋ । ଧିରେ ଧିରେ ଏହି କଥା ନନ୍ଦନକାନନରେ ପ୍ରଚାର ହୋଇଗଲା । ଆଉ ଜଳହସ୍ତୀ ଖୁଆଡ ପାଖରେ ଜମିଗଲା ପର୍ଯ୍ୟଟକଙ୍କ ଭିଡ । କୁମ୍ଭୀର କାମୁଡାରେ ଜଳହସ୍ତୀର କ୍ଷତି ହେବ ନାହିଁ ତ ଏଭଳି ଆଶଙ୍କା କରୁଥିଲେ ପର୍ଯ୍ୟଟକ । ଅନେକଙ୍କୁ ଏହି ଦୃଶ୍ୟ ଆଶ୍ଚର୍ଯ୍ୟ କରୁଥିବାବେଳେ ଏହା ଏକ ସ୍ୱାଭାବିକ ଘଟଣା ବୋଲି କହିଛନ୍ତି ନନ୍ଦନକାନନ କର୍ତୃପକ୍ଷ ।

କୁମ୍ଭୀର ଖୁଆଡ ଓ ଜଳହସ୍ତୀ ଖୁଆଡ ମଝିରେ ରହିଛି ଗୋଟିଏ ରାସ୍ତା । ରାସ୍ତା ଅତିକ୍ରମ କରି କୁମ୍ଭୀର ଜଳହସ୍ତୀ ଖୁଆଡରେ ଆସିବା ଏତେ ସହଜ ନୁହଁ । ତେବେ କୁମ୍ଭୀର ଜଳହସ୍ତୀ ଖୁଆଡରେ କେମିତି ଆସିଲା, ଏହି ପ୍ରଶ୍ନ ଉଠୁଥିବା ବେଳେ ନନ୍ଦନକାନନ କର୍ତୃପକ୍ଷଙ୍କ କହିବା କଥା ପୂର୍ବରୁ ମଧ୍ୟ ଏହି ଦୁଇ ପ୍ରାଣୀ ଏକାଠି ରହିଥିବାର ନଜିର ରହିଛି । କୁମ୍ଭୀର ଜଳହସ୍ତୀ ସାଙ୍ଗରେ ରହିଲେ ମଧ୍ୟ କୌଣସି କ୍ଷତି ପହଂଚାଏ ନାହିଁ । ତେବେ କୁମ୍ଭୀର ପାଣିରୁ ବାହାରକୁ ଆସିଲେ ତାକୁ କୁମ୍ଭୀର ଖୁଆଡକୁ ଆଣିବାକୁ ପ୍ରୟାସ କରାଯିବ ।