ତିନି ତଲାକ୍ ବିରୋଧରେ ଲଢିଥିବା ତିନି ମହିଳା ! ଯାହାଙ୍କ ପାଇଁ ଅନ୍ତ ହେଲା କୁତ୍ସିତ ପ୍ରଥାର ଯୁଗ

54

କନକ ବ୍ୟୁରୋ :  ଲମ୍ବା ଯାତ୍ରାର ଅବସାନ ଘଟିଲା । ଦୀର୍ଘ ବର୍ଷ ଧରି ହକ୍ ପାଇଁ ହେଉଥିବା ଏହି ଲଢେଇର ଶେଷରେ ପରିସମାପ୍ତି ହୋଇଛି । ଆଉ ଶୁଭିବନି ତଲାକ. ତଲାକ.. ତଲାକ… । ନିଜ ହକ୍ ପାଇଁ ଲଢୁଥିବା ମୁସଲିମ ମହିଳାଙ୍କୁ ଖୁସି ଆଣି ଦେଇଛି ସୁପ୍ରିମକୋର୍ଟଙ୍କ ରାୟ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହରଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଆଜି ଟ୍ରିପଲ ତଲାକକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଦେଶରେ ଟ୍ରିପଲ ତଲାକକୁ ରଦ୍ଦ କରିବା ସହ ଏହା ଅସାମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତା ସହିତ ଟ୍ରିପଲ ତଲାକକୁ ନେଇ ୬ ମାସ ମଧ୍ୟରେ ଆଇନ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ତିନି ତଲାକ ପ୍ରଥାକୁ ଉଚ୍ଛେଦ ପାଇଁ କିଛି ପୀଡିତ ମୁସଲିମ ମହିଳା ଓ କିଛି ସଂଗଠନ କୋର୍ଟରେ ଆବେଦନ କରିଥିଲେ । ଆଉ ଏହାକୁ ଆଧାର କରି କୋର୍ଟ ଏହି ମାମଲାର ଶୁଣାଣି କରିଥିଲେ । ତେବେ ଏହି କୁତ୍ସିତ ପ୍ରଥାର ଉଚ୍ଛେଦ ପଛରେ ଥିବା ତିନି ମୁଖ୍ୟ ପୁରୋଧାଙ୍କୁ ଜାଣିଛନ୍ତି କି?

ସାୟରା ବାନୋ: ଉତ୍ତରାଖଣ୍ଡ କାଶୀପୁରର ସାୟରା ବାନୋ । ତଲାକ୍ ନେଇ ଆସିଥିଲା ତାଙ୍କ ଜୀବନରେ ଝଡ଼ ।୧୫ ବର୍ଷର ସମ୍ପର୍କକୁ ଭାଙ୍ଗି ଦେଇଥିଲା ତନିଟି ଅକ୍ଷରର ଗୋଟିଏ ଶବ୍ଦ ‘ତଲାକ୍’ । ସ୍ୱାମୀଙ୍କ ଠାରୁ ଛାଡପତ୍ର ପାଇବା ପରେ ମଧ୍ୟ ଭାଙ୍ଗି ପଡି ନଥିଲେ ସେ । ନିଜର ହକ୍ ପାଇବା ପାଇଁ ସୁପ୍ରିମକୋର୍ଟର କବାଟ ବାଡେଇଥିଲେ । ତଲାକ,ବହୁବିବାହ ଓ ନିକାହ ଭଳି କୁତ୍ସିତ ପ୍ରଥା ସମ୍ବିଧାନ ଦେଇଥିବା ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ତେଣୁ ଏଭଳି କୁତ୍ସିତ ପ୍ରଥାର ଉଚ୍ଛେଦ ପାଇଁ ସେ କୋର୍ଟରେ ପିଟିସନ ଦାୟର କରିଥିଲେ । ଆଉ ଆଜି ସୁପ୍ରିମକୋର୍ଟଙ୍କ ରାୟ ମଧ୍ୟ ତାଙ୍କ ସପକ୍ଷରେ ହିଁ ଯାଇଛି ।

ଇସରତ ଜହାଁ: ପଶ୍ଚିମବଙ୍ଗର ଇସରତ ଜହାଁ । ୨୦୦୦ ମସିହାରେ ମୁସଲିମ ପରମ୍ପରା ଅନୁଯାୟୀ ନିକାହ କରିଥିଲେ ବିହାରର ମୁର୍ତାଜାଙ୍କୁ । ବେଶ୍ ହସଖୁସିରେ ଚାଲିଥିଲା ତାଙ୍କ ସଂସାର । କିନ୍ତୁ ଗୋଟିଏ ଫୋନ କଲ୍ ହିଁ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା ।  ସୁଦୂର ଦୁବାଇରେ ରହୁଥିବା ସ୍ୱାମୀ ଫୋନରେ ହିଁ ଗୋଟିଏ ନିଶ୍ୱାସରେ ତିନି ଥର ତଲାକ୍ କହି ତାଙ୍କ ସହ ସର୍ମ୍ପକ ଭାଙ୍ଗି ଦେଇଥିଲେ । ତାସହ ଜୋର ଜବରଦସ୍ତି ଚାରି ସନ୍ତାନଙ୍କୁ ମଧ୍ୟ ତାଙ୍କ ଠାରୁ ଛଡାଇ ନେଇଥିଲେ । କିଛିକ୍ଷଣ ମଧ୍ୟରେ ଏତେବଡ ଦୁଃଖର ପାହାଡ ତାଙ୍କ ଉପରେ ପଡିଥିଲେ ମଧ୍ୟ ସେ ଭାଙ୍ଗି ନଥିଲେ । ନିଜର ଅଧିକାର ଫେରି ପାଇବା ପାଇଁ  ଅଣ୍ଟା ଭିଡିଥିଲେ । ନିଜର ସନ୍ତାନ ଓ କ୍ଷତିପୂରଣ ଫେରି ପାଇବା ପାଇଁ ସୁପ୍ରିମକୋର୍ଟରେ ସ୍ୱାମୀଙ୍କ ବିରୋଧରେ ପିଟିସନ ଦାୟର କରିଥିଲେ । ସେ ନିଜ ଆବେଦନରେ କହିଥିଲେ, ଭାରତୀୟ ସମ୍ବିଧାନ ଅନୁଯାୟୀ ଟ୍ରିପଲ ତଲାକ ଆଇନସମତଃ ନୁହେଁ ଏବଂ ଏଭଳି ପ୍ରଥା ମୁସିଲିମ ମହିଳାଙ୍କର ଅଧିକାର କ୍ଷୁର୍ଣ୍ଣ କରୁଛି ।

ଜାକିଆ ନିଜାମି ସୋମନ:  ଭାରତୀୟ ମୁସଲିମ୍ ମହିଳାଙ୍କ ଆନ୍ଦୋଳନ ପଛର ମୁଖ୍ୟ ପୁରୋଧା ଜାକିଆ ସୋମନ । ତାଙ୍କ ସଂଗଠନ ଦୀର୍ଘ ୧୧ ବର୍ଷ ଧରି ମୁସଲିମ୍ ମହିଳାଙ୍କ ହକ୍ ପାଇଁ ଲଢେଇ କରୁଛି । ଟ୍ରିପଲ ତଲାକ ଉଚ୍ଛେଦ ପାଇଁ ତାଙ୍କ ସଂଗଠନ ଅନେକ ସମୟରେ ଆନ୍ଦୋଳନ କରିଥିବାର ନଜିର ରହିଛି । ଏପରିକି ତିନି ତଲାକ ଉଚ୍ଛେଦ ପାଇଁ ତାଙ୍କ ସଂଗଠନ ୫୦ ହଜାର ମୁସଲିମ୍ ମହିଳାଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । କେବଳ ମହିଳା ନୁହେଁ ଏହି ଅଭିଯାନରେ କିଛି ମୁସଲିମ୍ ପୁରୁଷ ମଧ୍ୟ ସାମିଲ ହୋଇଥିଲେ ।  ଏତେ ଦିନର ଲଢେଇ ପରେ ଆଜି ତାର ଫଳ ମିଳିଛି । ସୁପ୍ରିମକୋର୍ଟ ତିନି ତଲାକକୁ ଅସାମ୍ବିଧାନିକ କହିବା ସହ ୧୦୦୦ ବର୍ଷ ତଳର ଏହି କୁତ୍ସିତ ପ୍ରଥାକୁ ରଦ୍ଦ କରିଛନ୍ତି ।