୪ ବର୍ଷ ପ୍ରତୀକ୍ଷାର ଅନ୍ତ ! ରୌପ୍ୟ ଜିତିଲେ ଓଡିଆ ଝିଅ, ଜାଣନ୍ତୁ ଏସିଆନ୍ସ ଗେମ୍ସ ପାଇଁ କିଭଳି ସଂର୍ଘଷ କରିଥିଲେ ଦୂତି

60

କନକ ବ୍ୟୁରୋ : ଏସିଆନ୍ ଗେମ୍ସର ଶହେ ମିଟର ଦୌଡରେ ଓଡିଆ ଧାବିକା ଦୂତିଙ୍କୁ ବଡ ସଫଳତା । ୧୦୦ ମିଟର ମହିଳା ବର୍ଗରେ ଭାରତକୁ ରୌପ୍ୟ ଦେଇଛନ୍ତି ଦୂତି ଚାନ୍ଦ । ୪ ବର୍ଷ ତଳେ କମନୱେଲଥ ଗେମ୍ସରୁ ବାଦ ପଡିଥିବା ଦୂତି ଆଜି ଏସିଆନ୍ ଗେମ୍ସର ଫାଇନାଲ ମ୍ୟାଚ ଖେଳିବା ସହ ରୌପ୍ୟ ଜିତି ଓଡିଶା ତଥା ଦେଶକୁ ଗର୍ବିତ କରିଛନ୍ତି । ତେବେ ଏସିଆନ ଗେମ୍ସରେ ପଦକ ଜିତିବା ଦୂତିଙ୍କ ପାଇଁ ଏତେ ସହଜ ନଥିଲା । ଏସିଆନ୍ ଗେମ୍ସ ପାଇଁ ଦୂତିଙ୍କ ସଂଘର୍ଷ ବିଷୟରେ ଶୁଣିଲେ ଆପଣ ଅଶ୍ଚଯ୍ୟ ହେବେ ।

dutee chandଜୁଲାଇ ୨୦୧୪ । ଶେଷ ମୁହୂର୍ତରେ ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାଦ ପଡିଲେ ଓଡିଆ ଆଥଲେଟ୍ ଦୂତି ଚାନ୍ଦ । ଭାରତୀୟ କ୍ରୀଡା ପ୍ରାଧୀକରଣ ପକ୍ଷରୁ କୁହାଗଲା, ଦୂତିଙ୍କ ଶରୀରରେ ପୁରୁଷ ହରମୋନ୍ ହାଇପର ଆଣ୍ଡ୍ରୋଜେନ୍ ଅଧିକା ରହିଛି । ଫଳରେ ସେ କମନୱେଲଥ ଗେମ୍ସର ମହିଳା ବର୍ଗରେ ଭାଗ ନେଇପାରିବେ ନାହିଁ । ରାତାରାତି ସବୁ ସ୍ୱପ୍ନ ଭାଂଗିଗଲା ଏହି ଅନ୍ତର୍ଜାତୀୟ ଆଥଲେଟଙ୍କର ।

Dutee Chand୨୦୧୪ରେ ଦକ୍ଷିଣ କୋରିଆର ଇଂଚିଅନରେ ଖେଳାଗଲା ୧୭ତମ ଏସିଆନ୍ ଗେମ୍ସ । ହେଲେ ଏଥିରେ ଖେଳିପାରିଲେ ନାହିଁ ଦୂତି । ପୁରୁଷ ହରମୋନ୍ ବିବାଦରେ ଛନ୍ଦି ହୋଇପଡିଥିବା ଦୂତିଙ୍କ ପାଇଁ ଏହାଥିଲା ସବୁଠୁ ଦୁଃଖଦ ମୁହୂର୍ତ । କାରଣ ଏସିଆନ୍ ଗେମ୍ସ ଦୂତିଙ୍କ ପାଇଁ ଥିଲା ପ୍ରଥମ ଅନ୍ତର୍ଜାତୀୟ ଇଭେଂଟ୍ । ଯାହାକୁ ଆଦୌ ହାତଛଡା କରିବାକୁ ଚାହୁଁନଥିଲେ ଦୂତି । କିନ୍ତୁ ଭାଗ୍ୟର ବିଡମ୍ବନା, ପୁରୁଷ ହରମୋନ ବିବାଦରେ ବାଦ୍ ପଡିଥିଲେ ଦୂତି ।

ତେବେ ଏହା ପୂର୍ବରୁ ୨୦୧୩ ଚାଇନିଜ ତାଇପେରେ ଅନୁଷ୍ଠିତ ଷୋଡଶ ଏସୀୟ ଜୁନିୟର ଆଥଲେଟିକ୍ ଚାମ୍ପିୟନସିପରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ଦୂତି । ୨୦୦ମିଟର ଏବଂ ୪ହଜାର ୪ଶହ ମିଟର ରିଲେ ଦୌଡରେ ସେ ୨ଟି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ୨୦୧୨ରେ ୧୮ ବର୍ଷରୁ କମ୍ ବର୍ଗରେ ଦୂତି ହୋଇଥିଲେ ନାସନାଲ୍ ଚାମ୍ପିଅନ୍ । ଏଥିସହ ପୁନେ ଏସିଆନ୍ ଚାମ୍ପିଅନସିପର ୨୦୦ମିଟରରେ ବ୍ରୋଞ୍ଜ ଜିତିଥିଲେ ଦୂତି । ଏବେ ୪ ବର୍ଷ ପରେ ଜାକର୍ତାରେ ଦୂତିଙ୍କ ଦୀର୍ଘ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ପୂରଣ ହୋଇଛି ଦୂତିଙ୍କ ସ୍ୱପ୍ନ । ଅଳ୍ପକେ ସ୍ୱର୍ଣ୍ଣରୁ ବଞ୍ଚିତ ହୋଇଥିଲେ ମଧ୍ୟ ରୌପ୍ୟ ଜିଣି ସମସ୍ତଙ୍କ ମନ ଜିଣିଛନ୍ତି ଦୂତି । ଆଉ ଦୂତିଙ୍କ ଏହି ସଫଳତାକୁ ନେଇ ପୂରା ରାଜ୍ୟ ଗର୍ବିତ ।