ଅରିନ୍ଦମଙ୍କ ପରିବାରର ଅନୁରୋଧ : ସୋସିଆଲ ମିଡିଆ କଥା ବିଶ୍ୱାସ ନକରିବାକୁ ଟୁଇଟ୍ କରି ଅନୁରୋଧ କଲେ ଭଉଣୀ

ଅରିନ୍ଦମଙ୍କ ପରିବାରକୁ ସହାୟତା ନାଁରେ ସୋସିଆଲ ମିଡିଆରେ ଟଙ୍କା ମାଗିଥିଲେ ଜଣେ ବ୍ୟକ୍ତି; ଦୁଃଖ ସମୟରେ ଉପହାସ ନକରିବାକୁ କଲେ ଅନୁରୋଧ

399

କନକ ବ୍ୟୁରୋ : ଚର୍ଚ୍ଚାକୁ ଆସିଛି ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଭଉଣୀ ଝରଣା ଦାସଙ୍କ ଏକ ଟୁଇଟ୍ । ସୋସିଆଲ ମିଡିଆରେ ଅରିନ୍ଦମ ଦାସଙ୍କ ନାଁରେ ଟଙ୍କା ମାଗିବା ଘଟଣାକୁ ପରିବାର ଲୋକେ ନାପସନ୍ଦ କରିଛନ୍ତି । ବର୍ତମାନ ପରିସ୍ଥିତିରେ ସେମାନେ ଏଭଳି କଥାକୁ ଗ୍ରହଣ କରିପାରିବେ ନାହିଁ ବୋଲି ତାଙ୍କ ଭଉଣୀ ଲେଖିଛନ୍ତି । ଏଥିସହ ଏଭଳି ଦୁଃଖଦ ସମୟରେ ଉପହାସ ନକରାଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଭଗବାନଙ୍କ କୃପାରୁ ସେମାନେ ଏହି ଅସମୟରେ ପରିସ୍ଥିତିର ମୁକାବିଲା ପାଇଁ ସକ୍ଷମ ବୋଲି ଲେଖିଛନ୍ତି ।

ତେଣୁ ସୋସିଆଲ ମିଡିଆରେ ଅପପ୍ରଚାର ନକରିବାକୁ ଅନୁରୋଧ କରିଛନ୍ତି । ସେମାନେ ତିନି ଭଉଣୀ ଓ ଦୁଇ ଭାଇ ଏବଂ ପରିବାରର ଅନ୍ୟ ସଦସ୍ୟ ଏକାଠି ଅଛନ୍ତି, ଏବଂ ଏହି ପରିସ୍ଥିତିକୁ ସାମନା କରୁଛନ୍ତି । ପରିବାର ଭାବେ ଅରିନ୍ଦମଙ୍କ ଯାହାବି ଆର୍ଥିକ ବୋଝ ରହିଛି ତାହାକୁ ସେମାନେ ମିଳିତ ଭାବେ ତୁଲାଇବେ ବୋଲି ଲେଖିଛନ୍ତି । ଜଣେ ଲୋକ ସୋସିଆଲ ମିଡିଆରେ ଅରିନ୍ଦମଙ୍କ ୬୦ ଲକ୍ଷ ଟଙ୍କା ଋଣ ଅଛି ବୋଲି କହି ପ୍ରଚାର କରୁଥିଲେ । ଏବଂ ସହାୟତା ପାଇଁ ଟଙ୍କା ମାଗୁଥିବାର ଭିଡିଓ ସାମନାକୁ ଆସିଥିଲା । ଏସବୁ ଘଟଣା ପରେ ଅରିନ୍ଦମଙ୍କ ପରିବାର ପକ୍ଷରୁ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ଏକ ଅପମାନ ଭାବେ ନେଇଛନ୍ତି ତାଙ୍କ ପରିବାର ।