ରାଜସ୍ଥାନ କରୌଲୀରେ ତୁମୁଳକାଣ୍ଡ । ବାଇକ୍ ରାଲି ଉପରକୁ ଭୟଙ୍କର ପଥରମାଡ । ଲାଗିଲା କର୍ଫ୍ୟୁ, କଟିଲା ଇଣ୍ଟରନେଟ୍ ।

155

କନକ ବ୍ୟୁରୋ: ରାଜସ୍ଥାନର କରୌଲୀରେ ତୁମୁଳକାଣ୍ଡ । ଶନିବାର ଏକ ବାଇକ୍ ରାଲି ଉପରେ ପଥରମାଡ ହେବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ଏହି ପଥରମାଡ ଏତେ ଭୟାନକ ଥିଲା ଯେ, ଏଥିରେ ପ୍ରାୟ ୪୨ ଜଣ ଲୋକ ଆହତ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ସ୍ଥିତି ଯେପରି ଅଣାୟତ୍ତ ନହୁଏ ସେଥିପାଇଁ ସମ୍ପୃକ୍ତ ଅଂଚଳରେ ଧାରା ୧୪୪ ଲାଗୁ କରାଯାଇଛି ଏବଂ ସହରରେ କର୍ଫ୍ୟୁ ଲଗାଇ ଦିଆଯାଇଛି । ତା ସହିତ ଇଣ୍ଟରନେଟ୍ ସେବାୁ ମଧ୍ୟ ବନ୍ଦ କରି ଦିଆଯାଇଛି ।

ବାଇକ୍ ରାଲି ଉପରେ ହୋଇଥିବା ପଥରମାଡକରେ କୋତବାଲୀ ଥାନା ଅଧିକାରୀ ସମେତ ୪ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଆହତ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହିତ ଗୁରୁତରଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଅନ୍ୟପଟେ ସ୍ଥିତିକୁ ସମ୍ଭାଳିବାକୁ ପୋଲିସ କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏହି ଘଟଣା ପରେ ପୋଲିସ ଡିଜିଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ତା ସହିତ ପୋଲିସକୁ ଉପଦବ୍ରୀ ମାନଙ୍କ ସହିତ ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ, ଲୋକଙ୍କୁ ଅପିଲ କରି ଶାନ୍ତି ବଜାୟ ରଖିବା ସହିତ ଆଇନ୍ କାନୁନ୍ ବ୍ୟବସ୍ଥାରେ ସହଯୋଗ କରିବାକୁ ସେ କହିଛନ୍ତି ।

ସେହିପରି ରାଜସ୍ଥାନ ପୋଲିସ କରୌଲୀରେ ଶାନ୍ତି ବ୍ୟବସ୍ଥା ବଜାୟ ରଖିବା ପାଇଁ ଆଇଜି ଭରତପୁର ପ୍ରଫୁଲ କୁମାର ଖମେସରା ଓ ଆଇଜି କାନୁନ୍ ବ୍ୟବସ୍ଥା ଭରତ ମୀଣାଙ୍କୁ ଦାୟିତ୍ୱ ଦେଇଛି । ତା ସହିତ ୫୦ ଅଧିକାରୀ ଓ ୬ ଶହରୁ ଅଧିକ ପୋଲିସକର୍ମୀ ସେଠାରେ ନିୟୋଜିତ ହୋଇଛନ୍ତି ।