ମଠ ସିଲ୍ ହେବା ପରେ ଆସିଲା ରୋଚକ ତଥ୍ୟ ! ମଠର ମହନ୍ତ ସାଜିଥିଲା ଟିଟୋ ଏବଂ ଚଳାଉଥିଲା ଦରବାର, ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିଲା ତାଲା । 

33

କନକ ବ୍ୟୁରୋ : ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ଦୁନିଆ ଓ କଳା ସାମ୍ରାଜ୍ୟ ଉପରେ ଯେତିକି ତଦନ୍ତ ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଟିଟୋର କୋଟି କୋଟି ଟଙ୍କାର ସଂପତି ଠାବ କରିଛି ଏସଟିଏଫ୍ । କେନ୍ଦ୍ରାପଡ଼ା ଓ ପାରାଦୀପରେ ଥିବା ବ୍ୟବସାୟିକ ଅନୁଷ୍ଠାନକୁ ସିଲ କରାଯିବା ସହ ବ୍ୟାଙ୍କ ଆକାଉଂଟକୁ ସିଜ୍ କରିବା ପାଇଁ କର୍ତୃପକ୍ଷଙ୍କୁ ଚିଠି ଲେଖିଛି କ୍ରାଇମବ୍ରାଂଚ । ସେପଟେ କେନ୍ଦ୍ରାପଡ଼ାରେ ଥିବା ଟିଟୋର ମଠକୁ ନେଇ କୌତୁହଳ ବଢିବାରେ ଲାଗିଛି । କୁହାଯାଉଛି, ଏହି ମଠର ମହନ୍ତ ଥିଲା ନିଜେ ଟିଟୋ । ଆଉ ଏଇଠୁ ଚଳାଉଥିଲା ତା’ର ଦରବାର ।

ଗ୍ୟାଙ୍ଗଷ୍ଟର ଟିଟୋର ମଠକୁ ସିଲ୍ କରି ଛାନଭିନ୍ ଚଳାଇଛି ଏସଟିଏଫ୍ । ଏହି ମଠ ସଂପର୍କରେ ଆସୁଛି ବହୁ ରୋଚକ ତଥ୍ୟ । ମଠର ମହନ୍ତ ଆସନରେ ବସୁଥିଲା ନିଜେ ଟିଟୋ । ଧଳା ପୋଷାକ ପିନ୍ଧି ନିଜେ ସାଜୁଥିଲା ବାବା, ଆଉ ଚଳାଉଥିଲା ଦରବାର । ଟିଟୋର ବିନା ଅନୁମତିରେ ପକ୍ଷୀଟିଏ ପଶିିବା ବି ଥିଲା ଅସମ୍ଭବ । କାରଣ ମଠର ୨୦୦ ମିଟର ପରଧିରେ ଲାଗିଥିଲା ଅନେକ ସିସିଟିଭି । ଏହା ସାଙ୍ଗକୁ ଥିଲା ସହଯୋଗୀ ଗ୍ୟାଙ୍ଗ ସଦସ୍ୟଙ୍କ କଡ଼ା ପହରା । ହେଲେ ମଠ ଭିତରକୁ ମଦ ଆଉ ନାରୀଙ୍କର ପ୍ରବେଶ ନିଷେଧ ଥିଲା । କେବଳ ଜମୁଥିଲା ଟିଟୋ ଭାଇର ଆସର । ତିଆରି ହେଉଥିଲା ହତ୍ୟା, ଦାଦା ବଟି ଏବଂ ଟେଣ୍ଡର ଫିକ୍ସିଂର ବ୍ଲୁ ପ୍ରିଂଟ । ସେପଟେ ଟିଟୋର ଅପରାଧ ଓ ବ୍ୟବସାୟିକ ସାମ୍ରାଜ୍ୟ କେଉଁ ପର୍ଯ୍ୟନ୍ତ ଲମ୍ବିଛି, ସେ ନେଇ ଛାନଭିନ କରୁଛି ଏସଟିଏଫ । ଏହି ଗ୍ୟାଙ୍ଗଷ୍ଟରର ରହିଛି କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତି । ନିଜ ନାଁରେ ନିଜ ପରିବାର ନାଁରେ ରହିଛି ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ।

ଏସଟିଏଫର ତଦନ୍ତ ଯେତିକି ଆଗଉଛି ଟିଟୋ ସାମ୍ରାଜ୍ୟର ଗୁମର ସେତିକି ଖୋଲିବାରେ ଲାଗିଛି । ପ୍ରାଥମିକ ପର୍ଯ୍ୟାୟରେ ଟିଟୋ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟ ଗୁଡିକ ଅଚଳ କରିବାକୁ ସମସ୍ତ ବ୍ୟାଙ୍କକୁ ଏସଟିଏଫ୍ ଚିଠି ଲେଖିଛି । ଏହାସହ ବ୍ୟବସାୟିକ କାରବାର ଗୁଡିକୁ ବି ସିଲ କରାଯାଇ ଘଟଣାର ତଦନ୍ତ ଚାଲିଛି । ଟ୍ରାନ୍ସପୋର୍ଟ କଂପାନୀ, ୨୫ଟି ହାଇୱା ଟ୍ରେଲର, ବେନଜୀର ଇନଫ୍ରା ପ୍ରାଇଭେଟ୍ ଲିମିଟେଡ୍ ନାଁରେ ରିୟଲ ଇଷ୍ଟେଟ୍ କଂପାନୀ, ପଟ୍ଟାମୁଣ୍ଡାଇରେ ଗାଡି ସୋରୁମ୍, ପାରାଦୀପ ଓ କେନ୍ଦ୍ରାପଡାରେ ଥିବା ପେଟ୍ରୋଲ ପମ୍ପ ଆଦି ସିଲ୍ କରିଛି ଏସଟିଏଫ୍ । ରବିବାର ଟିଟୋର ରିମାଣ୍ଡ ଅବଧି ସରିବାକୁ ଯାଉଥିବା ବେଳେ, ଏସଟିଏଫର ତଦନ୍ତ ଜାରି ରହଛି । ତେବେ ଅଧିକ ପଚରାଉଚରା ପାଇଁ ପୁଣି ଥରେ ଟିଟୋକୁ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ କ୍ରାଇମବ୍ରାଂଚ ।