କଟକ ବଡମ୍ବାରୁ ହାତୀର ଗଳିତ ମୃତଦେହ ଉଦ୍ଧାର : ହାତୀର ମୃତ୍ୟୁ କେମିତି ହେଲା ଏବଂ କିଏ ମାରିଲା ତାକୁ ନେଇ ଚାଲିଛି ଖୋଳତାଡ

110

କନକ ବ୍ୟୁରୋ : କଟକ ବଡମ୍ବାରୁ ହାତୀର ଗଳିତ ମୃତଦେହ ଉଦ୍ଧାର । ମାଟି ତଳୁ ମୃତ ହାତୀ ଶରୀର ଖୋଳି ବାହାର କଲା ଏସଟିଏଫ୍ । ଜେସିବି ଦ୍ୱାରା ଖୋଳାଯାଇଥିଲା ଦୁଇଟି ଜାଗା । ଦନ୍ତାହାତୀର ମୃତଦେହକୁ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ବଡ଼ମ୍ବା ରେଞ୍ଜରୁ ଜବତ କରାଯାଇଛି । ଏସଟିିଏଫ୍ ଟିମ୍ ବଡ଼ମ୍ବା ରେଞ୍ଜ ଗୋପପୁର ସେକ୍ସନର ଚନ୍ଦ୍ରଗିରି ଜଙ୍ଗଲରେ ପହଞ୍ଚି ଖୋଳତାଡ଼ କରିବା ସହିତ ହାତୀ କଙ୍କାଳ ଜବତ କରିଛି ।

ମାଜିଷ୍ଟ୍ରେଟ୍ ଓ ବନବିଭାଗର ଉପସ୍ଥିତିରେ ଚନ୍ଦ୍ରଗିରି ପାହାଡ଼ର ତଳ ଅଞ୍ଚଳରୁ ହାତୀର ଗଳିତ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି । ମାସକ ପୂର୍ବରୁ ହାତୀଟିକୁ ପୋତା ଯାଇଥିବା ଏବଂ ଏହା ଏକ ଦନ୍ତା ହାତୀ ହୋଇଥିବା ସନ୍ଦେହ କରାଯାଉଛି । ଲୁଣ ଦେଇ ଅତି ସୁରକ୍ଷିତ ଭାବେ ଜେସିବିରେ ଖାତ ଖୋଳାଯାଇ ହାତୀକୁ ପୋତାଯାଇଛି । ତେବେ ଯେଉଁ ସ୍ଥାନରେ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି, ତାର ୧୦ କିଲୋମିଟର ଦୂରତା ମଧ୍ୟରେ ଆଉ ଏକ ହାତୀକୁ ମାରି ମାଟି ତଳେ ପୋତି ଦିଆଯାଇଥିବା ସନ୍ଦେହ କରାଯାଉଛି ।

ହାତୀକୁ ଲୁଣ ଦେଇ ପୋତା ଯାଇଥିବାବେଳେ ହାତୀର ବିଭିନ୍ନ ହାଡରେ ପୋଡା ଚିହ୍ନ ରହିଛି । ହାତୀକୁ ପୋତିବା ସମୟରେ ପୋଡିବା ପାଇଁ କିଛି କେମିକାଲ ପକାଯାଇଥିବା ସନ୍ଦେହ କରାଯାଉଛି । ଗତ ଫେବ୍ରୁଆରି ମାସରେ ନରସିଂହପୁର ପଶ୍ଚିମାଂଚଳ ରେଞ୍ଜରେ ମଧ୍ୟ ଏସଟିଏଫ୍ ଟିମ୍ ସମାନ ଢଙ୍ଗରେ ଚଢଉ କରି ହାତୀର ଗଳିତ ମୃତଦେହ ମାଟି ତଳୁ ଜବତ କରିଥିଲା । କିନ୍ତୁ ପ୍ରଶ୍ନ ଉଠୁଛି ହାତୀ ଗୁଡିକୁ କିଏ ମାରୁଛି । ଏବଂ କେମିତି ମାରୁଛି । ଯାହାକୁ ନେଇ ଏସଟିଏଫ୍ ଖୋଳତାଡ ଜାରି ରଖିଛି ।