କଳାଟଙ୍କା ବିରୋଧରେ କାର୍ଯ୍ୟାନୁଷ୍ଠାନ : ଦୁଇ ଲକ୍ଷ କମ୍ପାନିର ବ୍ୟାଙ୍କ ଖାତା ଅଚଳ

49

blackବିମୁଦ୍ରାକରଣ ପରେ ରେଜିଷ୍ଟ୍ରାର୍‌ ଅଫ୍‌ କମ୍ପାନିଜ୍‌ ପକ୍ଷରୁ ଯେଉଁ ୨ ଲକ୍ଷରୁ ଊର୍ଧ୍ୱ ଜାଲ୍‌ କମ୍ପାନିକୁ ଚିହ୍ନଟ କରାଯାଇ ସେଗୁଡ଼ିକର ପଞ୍ଜୀକରଣ ରଦ୍ଦ କରାଯାଇଥିଲା ଏବେ ସେଗୁଡ଼ିକର ବ୍ୟାଙ୍କ ଖାତା ଅଚଳ ହେବ । ଏ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆର୍ଥିକ ସେବା ବ୍ୟାପାର ବିଭାଗ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଜାଲ୍‌ କମ୍ପାନି ଆଳରେ ଅନେକ ବ୍ୟକ୍ତି ସେମାନଙ୍କ କଳାଟଙ୍କା କାରବାର ଚଳାଉଥିଲେ । ଏଥିସହିତ ଟିକସ ଠକେଇ ମଧ୍ୟ କରୁଥିଲେ । ତେଣୁ ଏସବୁ ପଞ୍ଜୀକୃତ ଜାଲ କମ୍ପାନିଙ୍କ ନିର୍ଦେଶକମାନେ କମ୍ପାନି ଆଇନ ଟିବ୍ର୍ୟୁନାଲ୍‌ରେ ନିର୍ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ସେମାନଙ୍କ ବ୍ୟାଙ୍କ ଖାତାକୁ ସଚଳ କରାଯିବ ନାହିଁ । କମ୍ପାନି ଆଇନର ଧାରା ୨୪୮(୫) ଅନୁଯାୟୀ ଆର୍‌ଓସି (ରେଜିଷ୍ଟ୍ରାର୍‌ ଅଫ୍‌ କମ୍ପାନିଜ୍‌) ପକ୍ଷରୁ ୨,୦୯,୦୩୨ଟି କମ୍ପାନିର ପଞ୍ଜୀକରଣକୁ ବାତିଲ କରାଯାଇଛି । ଏସବୁ କମ୍ପାନିର ନିର୍ଦେଶକ ଏବଂ ସ୍ୱୀକୃତପ୍ରାପ୍ତ ଦସ୍ତଖତକାରୀମାନେ ଏବେ ପୂର୍ବତନ ନିର୍ଦେଶକ ଏବଂ ପୂର୍ବତନ ସ୍ୱୀକୃତପ୍ରାପ୍ତ ଦସ୍ତଖତକାରୀ ଭାବେ ବିବେଚିତ ହେବେ।

ଆଇନଗତଭାବେ ଏସବୁ କମ୍ପାନି ନିର୍ଦୋଷ ପ୍ରମାଣ ନହେବା ପର୍ଯ୍ୟନ୍ତ ସେମାନଙ୍କର ନିର୍ଦେଶକମାନେ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରିପାରିବେ ନାହିଁ ବୋଲି ଆର୍ଥିକ ସେବା ବିଭାଗ ପକ୍ଷରୁ କୁହାଯାଇଛି । ଏହି କମ୍ପାନି ଗୁଡ଼ିକ ନିର୍ଦୋଷ ପ୍ରମାଣିତ ହେଲେ ସେମାନଙ୍କୁ ସରକାରୀ ରେକର୍ଡପତ୍ରରେ ‘ଷ୍ଟ୍ରାଇକ୍‌ ଅଫ୍‌’ ପରିବର୍ତ୍ତେ ‘ଆକ୍ଟିଭ୍‌’ ବୋଲି ଦର୍ଶାଯିବ । ଏତଦ୍‌ବ୍ୟତୀତ ଯେଉଁ କମ୍ପାନି ଗୁଡ଼ିକ ସେମାନଙ୍କ ଫାଇନାନ୍ସିଆଲ ଷ୍ଟେଟମେଣ୍ଟ ଏବଂ ଆନୁଆଲ ରିଟର୍ଣ୍ଣ ଫାଇଲ୍‌ରେ ଏପଟସେପଟ କରୁଛନ୍ତି ସେମାନଙ୍କ ଉପରେ କଡ଼ା ନଜର ରଖିବା ଲାଗି ବ୍ୟାଙ୍କ କର୍ମଚାରୀମାନଙ୍କୁ କୁହାଯାଇଛି ।

କମ୍ପାନି ଆଇନର ଧାରା ୨୪୮ ଅନୁଯାୟୀ କମ୍ପାନି ବ୍ୟାପାର ମନ୍ତ୍ରାଳୟ କମ୍ପାନି ଗୁଡ଼ିକର ପଞ୍ଜୀକରଣକୁ ବାତିଲ କରିବା କ୍ଷମତା ରଖିଛି। ଏହି କାରଣ ଗୁଡ଼ିକ ମଧ୍ୟରେ ଦୀର୍ଘଦିନ ଧରି କମ୍ପାନି ନିଷ୍କ୍ରିୟ ରହିବା ମଧ୍ୟ ଅନ୍ୟତମ । ଉଲ୍ଲେଖଯୋଗ୍ୟ ଯେ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ଉଦ୍‌ବୋଧନ ଦେବାବେଳେ ଜାଲ୍‌ କମ୍ପାନିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଘୋଷଣା କରିଥିଲେ ।

ଆଗକୁ ବ୍ୟାଙ୍କ ଜମା ଉପରେ କାର୍ଯ୍ୟାନୁଷ୍ଠାନ ହେବ । ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍‌କୁ ଅଚଳ ଘୋଷଣା କରିବା ପରେ ବ୍ୟାଙ୍କରେ ଯେଉଁ କଳାଟଙ୍କା ଜମା ହୋଇଛି ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆୟକର ବିଭାଗକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳାୟ (ପିଏମ୍‌ଓ) ପକ୍ଷରୁ ସ୍ପଷ୍ଟ ନିର୍ଦେଶନାମା ଦିଆଯାଇଛି । ଅଚଳ ହୋଇଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌ ମଧ୍ୟରୁ ୯୯ ପ୍ରତିଶତ ନୋଟ୍‌ ବ୍ୟାଙ୍କ ଗୁଡ଼ିକୁ ଫେରିଆସିଛି ବୋଲି ରିଜର୍ଭ ବ୍ୟାଙ୍କ ରିପୋର୍ଟ ଦେବା ପରେ ପିଏମ୍‌ଓ ପକ୍ଷରୁ ଆୟକର ବିଭାଗକୁ ଏପ୍ରକାର ନିର୍ଦେଶ ଦିଆଯାଇଛି । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧ ଏବଂ ୨ ତାରିଖରେ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏକ ରୁଦ୍ଧ ଦ୍ୱାର ବୈଠକରେ ଯୋଗଦେଇ କଳା ଟଙ୍କା ବାହାର କରିବା ଉପରେ ଗୁରୁତ୍ୱ ଦେବାକୁ ଟିକସ ଅଧିକାରୀମାନଙ୍କୁ କହିଛନ୍ତି ।