ଆଜି ଲୋକାର୍ପିତ ହେବ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତୀ ଷ୍ଟାଚ୍ୟୁ ଅଫ୍ ୟୁନିଟି । ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ପ୍ରଧାନମନ୍ତ୍ରୀ ମୋଦି କରିବେ ଉନ୍ମୋଚନ

୧୨ କିଲୋମିଟର ଦୂରରୁ ଦେଖାଯିବ ୧୮୨ ମିଟର ଉଚ୍ଚର ବିଶାଳ ପ୍ରତିମା

140

କନକ ବ୍ୟୁରୋ: ଆଜି ଉନ୍ମୋଚିତ ହେବ ବିଶ୍ୱର ସବୁଠୁ ବଡ ମୂର୍ତ୍ତି ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟି । ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ନିର୍ମାଣ ହୋଇଥିବା ଏହି ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହି ଭବ୍ୟ ମୂର୍ତ୍ତି କୁ ଉତ୍ସର୍ଗ କରିବା ପାଇଁ ଗୁଜୁରାଟରେ କାଲି ରାତିରୁ ପହଂଚି ସାରିଛନ୍ତି ପ୍ରଧାନମନ୍ତ୍ରୀ । ସର୍ଦ୍ଦାର ପଟେଲଙ୍କ ଜନ୍ମଶତବାର୍ଷିକୀ ଅବସରରେ ଏହି ବିଶାଳ ମୂର୍ତ୍ତି କୁ ଲୋକାର୍ପଣ କରିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା ।

ଆଜିର ଏହି ଦିନକୁ ଏକତା ଦିବସ ଭାବେ ପାଳନ କରିବା ପାଇଁ ଘୋଷଣା କରିଛନ୍ତି ମୋଦି ସରକାର । ଗୁଜରାଟ ରାଜ୍ପିପଲା ନିକଟ ସାଧୁ ବେତ୍ ଦ୍ୱୀପରେ ନର୍ମଦା ନଦୀରେ ପ୍ରତିଷ୍ଠା ହୋଇଛି ଏହି ଲୌହ ପ୍ରତିକୃତି । ବିନ୍ଧ୍ୟ ଓ ସତରୁପା ପର୍ବତମାଳାର ମଧ୍ୟବର୍ତ୍ତୀ ଅଂଚଳ ସୁଲ୍ପନେଶ୍ୱର ୱାଇଲ୍ଡ ଲାଇଫ ସାଂଚୁଆରୀରେ ସମ୍ମାନର ସହ ପ୍ରତିଷ୍ଠା କରାଯାଇଛି ଦେଶର ଲୌହମାନବଙ୍କ ଲୌହ ପ୍ରତିକୃତି ।

୨୦୧୦ରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହିଁ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତି ସ୍ଥାପନ ପାଇଁ ଘୋଷଣା କରିଥିଲେ ମୋଦି । ପ୍ରଥମେ ଗୁଜରାଟ ସରକାର ଓ ବିଜେପି ମିଶି ଏହାକୁ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଥିଲେ । ପରେ ମୋଦି ସରକାର ଆସିବା ପରେ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ ହୋଇଥିଲା ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲ ତଥା ଷ୍ଟାଚ୍ୟୁ ଅଫ ୟୁନିଟିର ଖାସିୟତ

ଷ୍ଟାଚ୍ୟୁ ଅଫ ୟୁନିଟି ହେଉଚି ବିଶ୍ୱର ଉଚ୍ଚତମ ମୂର୍ତ୍ତି । କିନ୍ତୁ ଆପଣ ଜାଣିଛନ୍ତି ଏହାକୁ ତିଆରି କରିବାକୁ କେତେବର୍ଷ ଲାଗିଥିଲା ଓ କିଭଳି ତିଆରି ହେଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମାକୁ ତିଆରି କରିବା ଲାଗି ୪୪ ମାସ ଲାଗିଛି । ମୂର୍ତ୍ତିକୁ ତିଆରି କରିବା ଲାଗି ୮ ଶହ ସ୍ଥାନୀୟ ଓ ୨ ଶହ ଚୀନରୁ ଆସିଥିବା କାରିଗର ଲାଗିଥିଲେ ।

କୁହାଯାଉଛି ଏହି ମୂର୍ତିକୁ ତିଆରି କରିବା ଲାଗି ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିମଧ୍ୟରୁ ୨ ହଜାର ୩୩୨ କୋଟି ମୂର୍ତି ନିର୍ମାଣ ପାଇଁ ଖର୍ଚ ହୋଇଥିବାବେଳେ ଅନ୍ୟ ୬ ଶହ କୋଟି ୧୫ ବର୍ଷ ଯାଏଁ ଦେଖାଶୁଣା କରିବା ପାଇଁ ରହିଛି । ମୂର୍ତି ନିର୍ମାଣ ଲାଗି ନିର୍ଦ୍ଦାରିତ ସମୟରେ କାମ କରିବାକୁ ୪ ହଜାରରୁ ଅଧିକ ଶ୍ରମିକ ଦୁଇଟି ସିଫଟରେ କାମ କରିଛନ୍ତି । ରେକର୍ଡ ସମୟ ୪୪ ମାସରେ ଷ୍ଟାଚ୍ୟୁ ଅଫ ୟୁନିଟି ତିଆରି କରାଯାଇଛି । ଆମେରିକାର ଷ୍ଟାଚ୍ୟୁ ଅଫ ୟୁନିଟି ନିର୍ମାଣ ପାଇଁ ୫ ବର୍ଷ ଲାଗିଥିଲା ।

ମୂର୍ତି ନିର୍ମାଣରେ ୪ଟି ଧାତୁ ବ୍ୟବହାର କରାଯାଇଛି । ମୂର୍ତିରେ ଏଭଳି ଧାତୁର ଉପଯୋଗ କରାଯାଇଛି, ଯେଉଁଥିରେ କଳଙ୍କି ଲାଗିବ ନାହିଁ । ମୂର୍ତିରେ ୮୫ ପ୍ରତିଶତ ତମ୍ବାର ବ୍ୟବହାର ହୋଇଛି । ଏହାସହ ଦୁଇହଜାର ମେଟ୍ରିକ ଟନ୍ ବ୍ରୋଞ୍ଜ, ୫ ହଜାର ୭ ଶହ ମେଟ୍ରିକ ଟନ୍ ଷ୍ଟ୍ରକଚରାଲ ଷ୍ଟିଲ ବ୍ୟବହାର ହୋଇଛି । ଏହାଛଡା ୨୨ ହଜାର ୫ ଶହ ମିଲିୟନ ଟନ୍ ସିମେଂଟ ବି ବ୍ୟବହାର କରାଯାଇଛି ମୂର୍ତି ନିର୍ମାଣରେ । ଷ୍ଟାଚ୍ୟୁ ଅଫ ୟୁନିଟିରୁ ଆପଣ ସର୍ଦ୍ଦାର ସରୋବର ବନ୍ଦର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ଏହାର ଶିଳାନ୍ୟାସ ୨୦୧୩ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଥିଲେ । ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ।

୬.୫ ତୀବ୍ରତାର ଭୂମିକମ୍ପକୁ ସହ୍ୟ କରିପାରିବ ପଟେଲଙ୍କ ଏହି ପ୍ରତିମୂର୍ତି । ଘଂଟା ପ୍ରତି ୧୮୦ କିଲୋମିଟର ବେଗରେ ପବନ ବହିଲେ ବି କିଛି କ୍ଷତି ହେବନାହିଁ । ୬ ଲକ୍ଷ ଗାଁରୁ ପୁରୁଣା କୃଷି ଉପକରଣରୁ ସଂଗୃହିତ ଲୁହାରୁ ଏହାର ନିର୍ମାଣ ହୋଇଛି । ପ୍ରତିମାର ୧୫୩ ମିଟର ଉଚ୍ଚତା ପର୍ଯ୍ୟନ୍ତ ଚଢିପାରିବେ ପର୍ଯ୍ୟଟକ । ଦୀର୍ଘ ୧୨ କଲୋମିଟର ଦୂରରୁ ଦେଖାଯିବ ପଟେଲଙ୍କ ଏହି ବିରାଟ ପ୍ରତିମୂର୍ତି ।