ପାଗ ବଦଳିଲା, ବଢିବ ଶୀତ । ଡିସେମ୍ବର ୧୧ରୁ ଥରିବ ସାରା ରାଜ୍ୟ

144

୪ ଦିନ ପରେ ରାଜ୍ୟକୁ ପୁଣି ଶୀତ ଫେରିବାକୁ ଯାଉଛି। ଏବେ ପ୍ରବଳ ଶୀତ ଅନୁଭୂତ ହେବ। ବାତ୍ୟା ‘ଜୱାଦ’ ଜନିତ ମେଘୁଆ ପାଗ ଓ ବର୍ଷା ଯୋଗୁଁ ରାଜ୍ୟରେ ଶୀତର ପ୍ରକୋପ କମିଥିଲା। ରାତ୍ରି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଥିଲା। ଏହା ଧୀରେ ଧୀରେ ଖସିବା ଆରମ୍ଭ କରିବ ଓ ଆସନ୍ତା ୩ରୁ ୪ ଦିନ ଭିତରେ ଶୀତ ବଢ଼ିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସାମୁଦ୍ରିକ ଝଡ଼ ‘ଜୱାଦ’ର ଦୁର୍ବଳ ଅବଶେଷ ‘ଅବପାତ’ ଏବେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବା ସହ ଅଧିକ ଦୁର୍ବଳ ହୋଇ ସମୁଦ୍ରରେ ଲୀନ ହୋଇଯିବ। ଓଡ଼ିଶାରେ ଏହାର ଆଉ ବିଶେଷ ପ୍ରଭାବ ରହିବ ନାହିଁ। ତେଣୁ ଆସନ୍ତାକାଲିଠାରୁ ପାଗ ‌ଶୁଖିଲା ଓ ଖରାଟିଆ ରହିବ। ୮ ତାରିଖ ଦିନ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ଏହା ପରେ ସାରା ଓଡ଼ିଶାର ପାଗରେ ପରିବର୍ତ୍ତନ ଦେଖାଯିବ। ପାଗ ସମ୍ପୂର୍ଣ୍ଣ ଭାବେ ଶୁଖିଲା ଓ ଖରାଟିଆ ରହିବ। ୧୧ ତାରିଖରୁ ଶୀତର ପ୍ରକୋପ ମଧ୍ୟ ବଢ଼ିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।