ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ : ସମ୍ବୋଦନ କରିବେ ପ୍ରଧାନମନ୍ତ୍ରୀ; ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ରଣନୀତି

ବଢ଼ିପାରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଅବଧି, ଧର୍ମେନ୍ଦ୍ରଙ୍କୁ ମିଳିପାରେ ସାଙ୍ଗଠନିକ ଦାୟିତ୍ୱ

64

କନକ ବ୍ୟୁରୋ : ବିଜେପି କଷୁଛି ୨୪ ଅଙ୍କ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଆରମ୍ଭ ହୋଇଛି ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ । ଆଜି କାର୍ଯ୍ୟକାରିଣୀକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱ ବହନ କରୁଛି । ଆଗକୁ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହି ବୈଠକରେ ଅନେକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇପାରେ ।

ସେପଟେ ଜାନୁଆରୀ ୨୦ରେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ସରୁଛି । ତେଣୁ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଆଗାମୀ ନିର୍ବାଚନ ପାଇଁ ବଢ଼ାଯାଇପାରେ ବୋଲି କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା ହୋଇପାରେ । ସେହିପରି ବରିଷ୍ଠ ନେତାଙ୍କୁ ସଙ୍ଗଠନ ଦାୟିତ୍ୱ ଦିଆଯାଇପାରେ । କାର୍ଯ୍ୟକାରିଣୀ ବୈଠକ ପରେ ଅର୍ଥାତ ଚଳିତ ମାସ ଶେଷ ସୁଦ୍ଧା ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ଚର୍ଚ୍ଚା ହେଉଛି । କିଛି ହେଭିୱେଟ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇ ସଂଗଠନ ଦାୟିତ୍ୱ ଦିଆଯାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି, ଗୁଜରାଟରେ ଭଲ ପ୍ରଦର୍ଶନ କରିଥିବା କିଛି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ ।

ଅନ୍ୟପଟେ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ସେହି ରାଜ୍ୟର କିଛି ସାଂସଦଙ୍କୁ ମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ କରାଯାଇପାରେ । ସେପଟେ ଏହାରି ଭିତରେ ଓଡ଼ିଶା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ତେଣୁ ତାଙ୍କ କାର୍ଯ୍ୟକାଳ ଆଗକୁ ବଢ଼ିବା ନେଇ କାର୍ଯ୍ୟକାରିଣୀ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଗୁରୁତ୍ୱପୂର୍ଣ୍ଣ ପେଟ୍ରୋଲିୟମ ମନ୍ତ୍ରୀ ପଦ ପରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ଦାୟିତ୍ୱ ପାଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂଗଠନର କିଛି ଗୁରୁଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ହେଉଛି ।