ନବୀନଙ୍କ ରାସ୍ତାରେ ନବ, ଏଣିକି ସିଧାସଳଖ ରୋଗୀଙ୍କ ଗୁହାରି ଶୁଣିବେ ସ୍ୱାସ୍ଥ୍ୟମନ୍ତ୍ରୀ ।

561

କନକ ବ୍ୟୁରୋ : ଆକ୍ସନ ମୋଡରେ ରାଜ୍ୟ ସରକାର । ‘ମୋ ସରକାର’ ଯୋଜନାକୁ ବିଧିବଦ୍ଧ ଭାବେ ଆରମ୍ଭ କରାଯିବା ପୂର୍ବରୁ ଏହି ଯୋଜନାର ସଫଳ ରୂପାୟନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଅଂଟା ଭିଡିଛନ୍ତି ତାଙ୍କ କ୍ୟାବିନେଟର ଅନ୍ୟ ସଦସ୍ୟ । ବିଭିନ୍ନ ମେଡିକାଲରେ କେମିତି ମିଳୁଛି ସେବା ସେ ନେଇ ରୋଗୀଙ୍କୁ ପଚାରି ବୁଝିବେ ସ୍ୱାସ୍ଥ୍ୟମନ୍ତ୍ରୀ । ସେହିପରି ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ଅଭିଭାବକଙ୍କ ମତାମତ ନେବେ ବିଭାଗୀୟ ମନ୍ତ୍ରୀ ।

ନବୀନ ସରକାରଙ୍କ ମୋ’ ସରକାର ଅଭିଯାନକୁ ଆଉ ଗୋଟିଏ ପାଦ ଆଗେଇ ନେବା ପାଇଁ ଅଂଟା ଭିଡିଛନ୍ତି ନବ ଦାସ । ଏଣିକି ସିଧାସଳଖ ରୋଗୀଙ୍କ ଗୁହାରୀ ଶୁଣିବେ ସ୍ୱାସ୍ଥ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ବିଭାଗର ସଂସ୍କାର ଲକ୍ଷ୍ୟରେ ସିଡିଏମଓ ସମ୍ମିଳନୀରେ ଏଭଳି ଏକ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।

ହସ୍ପିଟାଲକୁ ଆସୁଥିବା ସମସ୍ତ ରୋଗୀଙ୍କ ଫିଡବ୍ୟାକ୍ ବା ଚିକିତ୍ସା ସେବା କେମିତି ଚାଲିଛି ସେ ନେଇ ମତାମତ ସଂଗ୍ରହ କରିବ ସ୍ୱାସ୍ଥ୍ୟ ବିଭାଗ । କେମିତି ମିଳୁଛି ଚିକିତ୍ସା ସୁବିଧା? କେଉଁଠି ରହୁଛି ସମସ୍ୟା? କ’ଣ କଲେ ଉପକୃତ ହେବେ ରୋଗୀ? ଏଭଳି ତମାମ୍ ପ୍ରଶ୍ନ ସଂଗ୍ରହ କରି ତା’ର ଉତର ଖୋଜିବାକୁ ଉଦ୍ୟମ କରାଯିବ । ଆଉ ଆବଶ୍ୟକ ହେଲେ ରୋଗୀ ଜଣାଇବେ ସମସ୍ୟା ।

ସେହିପରି ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି ପାଇଁ ଭରପୁର ଉଦ୍ୟମ ଆରମ୍ଭ କରିଛି ଉଭୟ ଗଣଶିକ୍ଷା ଏବଂ ଉଚ୍ଚ ଶିକ୍ଷା ବିଭାଗ । କେମିତି ଚାଲିଛି ପାଠପଢ଼ା? ପାଠପଢ଼ାରେ କ’ଣ ରହୁଛି ଅସୁବିଧା? ଏଭଳି ତମାମ୍ ମତାମତ ନିଆଯିବ ଅଭିଭାବକଙ୍କଠାରୁ । ସେହିପରି ଶିକ୍ଷକଙ୍କ ମୁଲ୍ୟାୟନ କରିବେ ଛାତ୍ରଛାତ୍ରୀ ।

ଏହାରି ଭିତରେ ଯୁକ୍ତ ୨କୁ ଯୁକ୍ତ ୩ଠାରୁ ଅଲଗା କରିବା ପାଇଁ ଉଚ୍ଚଶିକ୍ଷା ଏବଂ ଗଣଶିକ୍ଷା ବିଭାଗର ଏକ ମିଳିତ ବୈଠକରେ ମାନସ ମନ୍ଥନ ହୋଇଛି । ଯେଉଁଥିରେ ଟିଚିଂ ଷ୍ଟାଫ୍, ନନ୍ ଟିଚିଂ ଷ୍ଟାଫ୍ ଏବଂ କଲେଜଗୁଡ଼ିକର ଭିତ୍ତିଭୂମି ସଂପର୍କରେ ବିସ୍ତୁତ ଭାବରେ ଆଲୋଚନା ହୋଇଛି ।ବର୍ତମାନ ପାଇଁ ପାଠପଢ଼ା ଯେମିତି ଚାଲିଛି ସେମିତି ଚାଲିବ । କିନ୍ତୁ ୩-୪ ବର୍ଷ ଭିତରେ ଯୁକ୍ତ ଦୁଇ ପାଇଁ ନୂଆ ନିଯୁକ୍ତି ସୃଷ୍ଟି କରି, ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିକୁ ସଂପୂର୍ଣ୍ଣ ଭାବରେ ଅଲଗା କରାଯିବ ।