ଲାଖ ଶିଳ୍ପୀଙ୍କୁ ମିଳିବ ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର । ନବରଙ୍ଗପୁର ଶଙ୍ଖାରୀ ସାହିର ଲାଖ ଶିଳ୍ପୀ ପ୍ରଭାତୀ ପାତ୍ରଙ୍କୁ ମିଳିବ ସମ୍ମାନ ।

145

କନକ ବ୍ୟୁରୋ: ଲାଖ ଶିଳ୍ପୀଙ୍କୁ ମିଳିବ ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର । ଆଉ ଏହି ପୁରସ୍କାର ଲାଖ ଶିଳ୍ପୀ ପ୍ରଭାତୀ ପାତ୍ରଙ୍କୁ ମିଳୁଛି । ନବରଙ୍ଗପୁର ଶଙ୍ଖାରୀ ସାହିର ଲାଖ ଶିଳ୍ପୀ ପ୍ରଭାତୀ ପାତ୍ରଙ୍କୁ ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର -୨୦୨୧ ପକ୍ଷରୁ ମନୋନୀତ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଉଦଘାଟନି ଉତ୍ସବ ରେ ତାଙ୍କୁ ସମ୍ମାନୀତ କରାଯିବ । ଏନେଇ ପ୍ରଭାତୀ ପାତ୍ର ଙ୍କୁ ନିମନ୍ତ୍ରଣ ହୋଇଛି । ବହୁ ଅଭାବ ଅସୁବିଧାରେ ରହି ମଧ୍ୟ ଲୋପ ପାଇଯାଉଥିବା ଏହି ଶିଳ୍ପକୁ ବଂଚାଇବାର ପ୍ରୟାସ ଜାରି ରଖିଛନ୍ତି ପ୍ରଭାତୀ । କଂଚାମାଲ ଅଭାବ ସାଙ୍ଗକୁ ବଜାର ବ୍ୟବସ୍ଥା ନଥିବା ବେଳେ ଭଳିକିଭଳି ଲାଖ ଜିନିଷ ତିଆରି କରିଥାନ୍ତି । ଜଉ ପ୍ରଲେପରେ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ଘର ସଜା ଜିନିଷରୁ ନେଇ , ମୟୁର, କଇଁଛ, ମକଳସ, ଜଗନ୍ନାଥ ମୂର୍ତି ଓ ରଙ୍ଗବେରଙ୍ଗର ଚୁଡି ଆଦି ଭଳିକି ଭଳି ଜିନିଷ ତିଆରି କରାଇଥାନ୍ତି । ସବୁ କିଛି ରଙ୍ଗୀନ ଓ ଆଖି ଝଲସା କାରୁକଳା । ପୁରାକାଳରୁ ଏହି ଲାଖ କଳା ପ୍ରସିଦ୍ଧି ଲାଭ କରିଆସିଛି । ତେବେ ହଜିଯାଉଥିବା ଏହି ଶିଳ୍ପକୁ ବଂଚାଇ ରଖିଛନ୍ତି ପ୍ରଭାତୀ । ସମସ୍ତ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲାଖ ଶିଳ୍ପକୁ ବଂଚାଇ ରଖିଥିବା ପ୍ରଭାତୀଙ୍କୁ ଏହି ସମ୍ମାନ ନେଇ ବେଶ ଖୁସି ହୋଇଛନ୍ତି ପ୍ରଭାତୀ ଓ ତାଙ୍କ ପରିବାର ।