ବଲାଙ୍ଗୀର ବିଲେଇସର୍ଡା ଗ୍ରାମପଞ୍ଚାୟତରେ ସରପଞ୍ଚ ପଦ ନିଲାମୀ ପ୍ରସଙ୍ଗ । ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ କମିଶନର ।

174

କନକ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା ବିଲେଇସର୍ଡା ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ନିଲାମ ଘଟଣାରେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ସରପଞ୍ଚ ପଦ ପାଇଁ ଇଚ୍ଛା ରଖିଥିବା କୌଣସି ବ୍ୟକ୍ତି ଯେପରି ବିନା କୌଣସି ଅସୁବିଧାରେ ନିର୍ବାଚନରେ ଭାଗ ନେଇପାରିବେ ସେନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖାଲି ସେତିକି ନୁହେଁ, କୌଣସି ଆଶାୟୀ ଯେମିତି ନୋମିନେସନ ଭରିବାରେ ଅସୁବିଧା ଅନୁଭବ ନକରନ୍ତି ସେ ନେଇ ଦେଖିବାକୁ ରାଜ୍ୟ ନିର୍ବାଚନ କମିଶନର ବଲାଙ୍ଗୀର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ବଲାଙ୍ଗୀର ଜିଲ୍ଲା ବିଲେଇସର୍ଡା ଗ୍ରାମ ପଞ୍ଚାୟତରେ ଏଥର ସରପଞ୍ଚ ପଦବୀ ୪୪ ଲକ୍ଷ ଟଙ୍କାରେ ନିଲାମ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଗ୍ରାମର କିଛି ମୁରବୀ ଶ୍ରେଣୀର ଲୋକ ଇଛୁକ ପ୍ରାର୍ଥୀମାନଙ୍କ ସହ ବୈଠକ କରି ଇଲେକ୍ସନ ବଦଳରେ ସିଲେକ୍ସନ କରିଥିବା ଜଣାପଡିଥିଲା । ଏହି ଖବରକୁ ନେଇ ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହେବା ପରେ ଏବେ ଏହାକୁ ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ।