କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର । ୩ ଜିଲ୍ଲାରେ ପାନୀୟ ଜଳଯୋଗାଣ ପ୍ରକଳ୍ପକ ଅନୁମୋଦନ, ସିଇଟି ଭୁବନେଶ୍ୱରକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ନିଷ୍ପତ୍ତି । 

310

କନକ ବ୍ୟୁରୋ : ସରିଲା କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଷ୍ଟେଟ ୱାଇଡ ଏରିଆ ନେଟୱର୍କ ପ୍ରକଳ୍ପର ଅପ-ଗ୍ରେଡେସନକୁ ଅନୁମୋଦନ କରିଛି କ୍ୟାବିନଟ । ରାଜ୍ୟର ଆଇଟି କ୍ଷେତ୍ର ପାଇଁ ଏହି ପ୍ରକଳ୍ପ ବେଶ ସହାୟକ ହେବ । ଏଥିପାଇଁ ଖର୍ଚ୍ଚ ହେବ ୩୩୨ କୋଟି ଟଙ୍କା ।

ସିଇଟି, ଭୁବନେଶ୍ୱରକୁ ଏକକ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ମିଳିବା ନେଇ କ୍ୟାବିନେଟରେ ନିଷ୍ପତି ହୋଇଛି । ଏହାସହ ଓୟୁଟିଆର ପ୍ରତିଷ୍ଠା ନିମନ୍ତେ ନୂଆ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ କ୍ୟାବିନେଟରେ ପାରିତ ହୋଇଛି । ସେହିଭଳି ଯୋଡା ଏବଂ ଚମ୍ପୁଆରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ୱାଟକୋ ମାଧ୍ୟମରେ ‘Drink From Tap Quality’ର ବ୍ୟବସ୍ଥା କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅଣ୍ଟା ଭିଡିଛି । ଯାହାକୁ କ୍ୟାବିନେଟରେ ଅନୁମୋଦନ ମିଳିଛି । ଏଥିପାଇଁ ପାଖାପାଖି ୧୦୪ କୋଟି ଖର୍ଚ୍ଚ ହେବ । ସୁନ୍ଦରଗଡ ଜିଲ୍ଲାର ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତାକୁ ଦୁଇ ଲେନ କରିବାକୁ କ୍ୟାବିନେଟରେ ନିଷ୍ପତି । ଏଥିପାଇଁ ୧୦୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଦ୍ୱାରା ଛତିଶଗଡର ରାଇଗଡ ଓ ସୁନ୍ଦରଗଡ ସହ ମଧ୍ୟରେ ଯୋଗାଯୋଗ ସହଜ ହେବ ।

ଏହାବାଦ୍ ସୁନ୍ଦରଗଡରେ ଦୁଇଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ମଧ୍ୟ କ୍ୟାବିନେଟ ମୋହର ବାଜିଛି । ଏହି ଦୁଇଟି ପ୍ରକଳ୍ପରେ ଯଥାକ୍ରମେ ୩୮୯ କୋଟି ଓ ୭୮୭ କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ୨୪ ମାସ ମଧ୍ୟରେ ପ୍ରକଳ୍ପ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି । କଟକରେ ମଧ୍ୟ ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ପାଇଁ କ୍ୟାବିନେଟ ଅନୁମୋଦନ ମିଳିଛି । ପ୍ରାୟ ୨୭୫ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ର୍କଳ୍ପର ଲାଭ ଜିଲ୍ଲାର ୪ଟି ବ୍ଲକର ୨୬୨ଟି ଗାଁର ଲୋକ ପାଇବେ ।