ବଜେଟରେ ଶିକ୍ଷା ଓ ଦକ୍ଷତାକୁ ଗୁରୁତ୍ୱ । ଶିକ୍ଷିତ ହେବାପରେ ନିଯୁକ୍ତି ଉପଯୋଗୀ ଦକ୍ଷତାକୁ ବୃଦ୍ଧି କରିବା ଲାଗି ବଜେଟ୍ ୨୨ ହଜାର ୬୩୧ କୋଟି ।
କନକ ବବ୍ୟୁରୋ: ଶିକ୍ଷା ଓ ଦକ୍ଷତା ବିକାଶକୁ ସରକାର ଚଳିତ ବଜେଟରେ ପ୍ରାଧାନ୍ୟ ଦେଇଛନ୍ତି । ତେଣୁ କରି ଗୁଣାତ୍ମକ ଶିକ୍ଷା ଏବଂ ନିଯୁକ୍ତି ଉପଯୋଗୀ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଚଳିତ ବଜେଟରେ ଶିକ୍ଷା ପାଇଁ ୨୨ ହଜାର ୬୩୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଯେଉଁଥିରେ ଆଦର୍ଶ ବିଦ୍ୟାଳୟ ନିମନ୍ତେ ୪ଶହ କୋଟି, ସମଗ୍ର ଶିକ୍ଷା ଅଭିଯାନ ନିମନ୍ତେ ୩ ହଜାର ୧୫୭ କୋଟି, ମଧ୍ୟାହ୍ନ ଭୋଜନ ନିମନ୍ତେ ୮କୋଟି ଏବଂ ଏପିଜି କନେକସନ୍ ପାଇଁ ୮କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେହିଭଳି ଲୋକପ୍ରିୟ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ନିମନ୍ତେ ୪୦ କୋଟି ଟଙ୍କା ଓ ମୋ କଲେଜ ଅଭିଯାନ ନିମନ୍ତେ ୧୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ଏହାସହ ଗଙ୍ଗାଧର ମେହେର ଶିକ୍ଷାମାନକ ବୃଦ୍ଧି ଯୋଜନା ପାଇଁ ୨୩୧ କୋଟି ଟଙ୍କା ଓ ଅନୁସୂଚିତ ଜନଜାତି ଛାତ୍ରୀନିବାସ ଏବଂ ସହରାଞ୍ଚଳରେ ଛାତ୍ରାବାସ ନିର୍ମାଣ ପାଇଁ ୨୭୭ କୋଟି ଟଙ୍କାର ବ୍ୟୟବରାଦ । ସମସ୍ତ ଛାତ୍ରବୃତ୍ତି ସିଧାସଳଖ ଛାତ୍ରଛାତ୍ରୀମାନଙ୍କର ଖାତାକୁ ଡିବିଟି ପ୍ରକ୍ରିୟାରେ ପ୍ରେରଣା ପୋର୍ଟାଲ ମାଧ୍ୟମରେ ଦିଆଯାଊଉଛି । ଏଥିଲାଗି ୧ ହଜାର ୪ଶହ ୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଅନ୍ୟପଟେ ବିଶ୍ୱବ୍ୟାଙ୍କ ଆର୍ଥିକ ସହାୟତାରେ ପ୍ରଚଳିତ ଓଏଚଇପିଇଇ ଯୋଜନା ପାଇଁ ୧୩୦ କୋଟି ବ୍ୟୟବରାଦ କରାଯାଇଥିବାବେଳେ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୫ କୋଟି ଟଙ୍କା, ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମିର ବିକାଶ ପାଇଁ ୨ଶହ କୋଟି ଟଙ୍କା ଭଳି ବିଭିନ୍ନ କ୍ଷେତ୍ରରେ ବଜେଟରେ ବ୍ୟବସ୍ଥା କରାଯାଇଛି । ,ଏସବୁ ବାଦ୍ ଦକ୍ଷତା ବିକାଶରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଯେଉଁଥି ପାଇଁ ୨୨୦କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି ।