ବ୍ରଜରାଜନଗର ଉପନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ପଢନ୍ତୁ, ଲିଷ୍ଟରେ ସାମିଲ ଅଛନ୍ତି କେଉଁ କେଉଁ ନେତା?

910

କନକ ବ୍ୟୁରୋ: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି । ଏହି ଲିଷ୍ଟରେ ୫ରୁ ଅଧିକ କେନ୍ଦ୍ରମନ୍ତ୍ରୀ ସାମିଲ ଥିବାବେଳେ ରାଧାରାଣୀ ପଣ୍ଡାଙ୍କ ପାଇଁ ରାଜ୍ୟ ବିଜେପିର ବହୁ ତୁଙ୍ଗ ନେତା ପ୍ରଚାର କରିବେ ବୋଲି ଜଣାପଡିଛି । ରାଜ୍ୟ ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ୪୦ ଜଣିଆ ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ପୀୟୁଷ ଗୋଏଲ, ଅଶ୍ୱିନୀ ବୈଷ୍ଣବଙ୍କ ଭଳି ନେତାଙ୍କ ନାଁ ରହିଛି । ଯେଉଁମାନେ ବ୍ରଜରାଜନଗର ଉପ ନିର୍ବାଚନରରେ ବିଜେପି ପାଇଁ ପ୍ରଚାର କରିବେ ।

୪୦ ଜଣିଆ ଏହି ଲିଷ୍ଟରେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ପ୍ରଭାରୀ ପୁରନ୍ଦେଶ୍ୱରୀ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ , ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ସଙ୍ଗୀତା ସିଂହଦେଓଙ୍କ ନାଁ ରହିଛି । ତା ସହିତ ରାଜ୍ୟ ବିଜେପିର ଏକାଧିକ ବିଧାୟକଙ୍କ ନାଁ ମଧ୍ୟ ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ।

ସୂଚନାଯୋଗ୍ୟ ଯେ, ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ବ୍ରଜରାଜନଗରରେ ଉପ ନିର୍ବାଚନ ହେଉଛି । ବିଜେଡି ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପି ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଅନ୍ୟପଟେ କଂଗ୍ରେସ କିଶୋର ପଟେଲଙ୍କୁ ପ୍ରାର୍ଥୀ କରି ସଫଳତା ହାସଲ କରିବାକୁ ଲକ୍ଷ୍ୟ ରଖିଛି । ସୂଚନାଯୋଗ୍ୟ ଯେ, ଆସନ୍ତା ମେ ୩୧ ତାରିଖରେ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଭୋଟ୍ ପଡିବାକୁ ଥିବାବେଳେ, ଜୁନ୍ ୩ ତାରିଖରେ ଫଳାଫଳ ପ୍ରକାଶ ପାଇବ ।