ଶ୍ରୀଲଙ୍କା ନାଗରିକଙ୍କୁ ପାକିସ୍ତାନରେ ହତ୍ୟା ଘଟଣା, ୮୦୦ ଲୋକଙ୍କ ଉପରେ ଆତଙ୍କବାଦ ମାମଲା ରୁଜୁ

216

କନକ ବ୍ୟୁରୋ : ହତ୍ୟା, ଆତଙ୍କବାଦ, ଦାରିଦ୍ରତା ଭଳି ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଶ୍ୱ ଦରବାରରେ ସବୁବେଳେ ସମାଲୋଚିତ ହୋଇଛି । ଏହାରି ଭିତରେ ପୁଣି ଏକ ନୂଆ ମାମଲା ପାକିସ୍ତାନର ଛବିକୁ ବିଶ୍ୱ ଦରବାରରେ ନିନ୍ଦିତ କରିଛି । ଏକ ନିନ୍ଦା ଅଭିଯୋଗ ନେଇ ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ପାକିସ୍ତାନରେ ହତ୍ୟା କରି ତାଙ୍କର ଶବକୁ ପୋଡିଦେବା ଘଟଣା ଏବେ ପାକିସ୍ତାନ ରାଜନୀତିକୁ ସରଗରମ କରିଛି । ଏହି ମାମଲାରେ ପାକ୍ ସରକାର ପାକିସ୍ତାନର ୮୦୦ ନାଗରିକଙ୍କ ଉପରେ ଆତଙ୍କବାଦ ମାମଲା ରୁଜୁ କରିଛନ୍ତି   । କେବଳ ସେତିକି ନୁହେଁ ଏହି ମାମଲାରେ ସଂପୃକ୍ତ ଦର୍ଶାଇ ୧୧୮ ଜଣ ଲୋକଙ୍କୁ ବି ଗିରଫ କରିଛି ପାକ୍ ପୋଲିସ । ଏହି ମାମଲାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶ୍ରୀଲଙ୍କା ସରକାରଙ୍କୁ ଆଶ୍ୱସନା ଦେଭଇଛନ୍ତି କି ଦୋଷୀଙ୍କୁ କଠୋରେ ଦଣ୍ଡରେ ଦଣ୍ଡିତ କରାଯିବ ।

ଶୁକ୍ରବାର ଦିନ ଏକ ନିର୍ମମ ଘଟଣା କ୍ରମରେ କଟ୍ଟରପନ୍ଥୀ ଇସଲାମିକ ପାର୍ଟିର ସମର୍ଥକମାନେ ଜଣେ ଶ୍ରୀଲଙ୍କା ନାଗରିକ ପ୍ରିୟନ୍ତା କୁମାର ଦିୟାବଦାନାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ଏହାପରେ ସେମାନେ ପ୍ରିୟନ୍ତାଙ୍କ ଶବକୁ ଲୋକ ଗହଳି ଭିତରେ ପୋଡି ଦେଇଥିଲେ । ଏକ ନିନ୍ଦା ଘଟଣାକୁ ନେଇ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ଏକ କପଡା କାରଖାନାରେ ଆକ୍ରମଣ କରିଥିଲେ ଇସଲାମିକ ପାର୍ଟିର ସମର୍ଥକ ମାନେ । ଏହାପରେ ସେମାନେ ଏହି କପଡା ଦୋକାନର ମହାପ୍ରବନ୍ଧକ ପ୍ରିୟନ୍ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ ।

ପୋଲିସର କହିବା ମୁତାବକ ପ୍ରିୟନ୍ତା କୁମାରା କଟ୍ଟରପନ୍ଥୀ ସଂଗଠନ ଟିଏଲପି ପାର୍ଟିର ଏକ ପୋଷ୍ଟରକୁ ଚିରି ଦେଇଥିଲେ । ଏହାପରେ କଟ୍ଟରପନ୍ଥୀମାନେ ପୁଣିଥରେ ସେହି କପଡା ଦୋକାନରେ ପାର୍ଟିର ପୋଷ୍ଟର ଲଗାଇଥିଲେ । ପୁଣିଥରେ ପ୍ରିୟନ୍ତା ଏହି ପୋଷ୍ଟରକୁ ସେଠାରୁ ଖୋଲିଦେବା ପରେ ଘଟଣା ପ୍ରଘଟ ହୋଇଥିଲା । ଏହାପରେ ଟିଏଲପିର ସମର୍ଥକମାନେ ସେଠାରେ ପହଂଚି ପ୍ରିୟନ୍ତାଙ୍କ ଉପରେ ଆକ୍ରମଣ କରିଥିଲେ । ତାଙ୍କୁ ଦୋକାନରୁ ବାହାରକୁ ନେଇ ପିଟି ପିଟି ହତ୍ୟା କରିଥିଲେ । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଂଚିବା ପୂର୍ବରୁ ଟିଏଲପି ସମର୍ଥକମାନେ ପ୍ରିୟନ୍ତାଙ୍କ ଶବକୁ ପୋଡି ଦେଇଥିଲେ ।

କହିରଖୁ କି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କିଛିଦିନ ପୂର୍ବରୁ ଟିଏଲପି ସଂଗଠନ ସହ ବୁଝାମଣା କରିଥିଲେ । ଏହାପରେ ଏହି କଟ୍ଟରପନ୍ଥୀ ସଂଗଠନ ଉପରେ ଲାଗିଥିବା ସମସ୍ତ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ସହ ବୁଝାମଣା ପରେ ଟିଏଲପି ସଂଗଠନର ମୁଖ୍ୟ ସା ରିଜବୀ ଓ ୧୫୦୦ରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ଜେଲରୁ ବାହାର କରାଯାଇଥିଲା ।