ଶ୍ରୀଲଙ୍କାକୁ ବିଶ୍ୱ ବ୍ୟାଙ୍କର ୧୬ କୋଟି ଡଲାର ସହାୟତା । ତେଲ କିଣିବାରେ ଖର୍ଚ୍ଚ ହେବନାହିଁ ସମସ୍ତ ଟଙ୍କା : ୱକ୍ରିମସିଂଘେ

144

କନକ ବ୍ୟୁରୋ : ସୁଧୁରିପାରୁନାହିଁ ଶ୍ରୀଲଙ୍କାର ଆର୍ଥିକ ସ୍ଥିତି । ଘୋର ସଙ୍କଟ ଦେଇ ଗତି କରୁଥିବା ଦେଶକୁ ବିଶ୍ୱ ବ୍ୟାଙ୍କ ୧୬ କୋଟି ଡଲାର ପ୍ରଦାନ କରିଛି । ପ୍ରଧାନମନ୍ତ୍ରୀ ରାନିଲ ୱକ୍ରିମସିଂଘେ କହିଛନ୍ତି ଏହି ଟଙ୍କାରେ ଦେଶରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ଇନ୍ଧନ, ଗ୍ୟାସ କିଣିବା ପାଇଁ କିଛି ଟଙ୍କା ଖର୍ଚ୍ଚ କରାଯିବ । ବୁଧବାର ସଂସଦରେ ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱ ବ୍ୟାଙ୍କର ଏହି ଟଙ୍କାର କିଛି ଅଂଶ ଆମେ ସମସ୍ୟାର ସମାଧାନ ପାଇଁ ଖର୍ଚ୍ଚ ପାଇଁ ଚିନ୍ତା କରୁଛୁ ।

ଦେଶରେ ଯେଉଁ ବିରୋଧ ପ୍ରଦର୍ଶନ ଚାଲିଛି ଏହାକୁ ଦେଖି କେଉଁଭଳି ଆଉ କେତେ ପରିମାଣର ଟଙ୍କା ଖର୍ଚ୍ଚ ହେବ ସେ ନେଇ ଚିନ୍ତା କରାଯାଉଛି । ସୋମବାର ଜଣାପଡିଥିଲା ଯେ ଦେଶରେ କେବଳ ଗୋଟିଏ ଦିନ ପାଇଁ ପଟ୍ରୋଲ ରହିଛି । ପ୍ରଧାନମନ୍ତ୍ରୀ ରାନିଲ ୱକ୍ରିମସିଂଘେ ପ୍ରଥମରୁ କହିଛନ୍ତି ତାଙ୍କର ପ୍ରଥମ ଲକ୍ଷ୍ୟ ଦେଶକୁ ବଞ୍ଚାଇବା । କୌଣସି ବ୍ୟକ୍ତି କିମ୍ବା ପରିବାରକୁ ବଞ୍ଚାଇବା ମୋର ଦାୟିତ୍ୱ ନୁହେଁ ।

ବିଶ୍ୱ ବ୍ୟାଙ୍କରୁ ମିଳିଥିବା ଟଙ୍କାର କଣ ହେବ?

ୱକ୍ରିମସିଂଘେ କହିଛନ୍ତି, ବିଶ୍ୱବ୍ୟାଙ୍କରୁ ୧୬ କୋଟି ଡଲାର ସହାୟତା ମିଳିଛି । ଏସିଆ ବିକାଶ ବ୍ୟାଙ୍କରୁ ମଧ୍ୟ ସହାୟତା ମିଳିବାର ଆଶା ରହିଛି । ସେ କହିଛନ୍ତି ବିଶ୍ୱବ୍ୟାଙ୍କରୁ ମିଳୁଥିବା ଟଙ୍କା ଇନ୍ଧନ କିଣିବାରେ ବ୍ୟବହାର କରାଯାଇପାରିବ ନାହିଁ । ୱକ୍ରିମସିଂଘେ ଆହୁରି ମଧ୍ୟ କହିଛନ୍ତି ଆମେ ଚିନ୍ତା କରିଛୁ ଏହି ଟଙ୍କାର କିଛି ଅଂଶ ଆମେ ଇନ୍ଧନ କିଣିବାରେ ଆମେ ଖର୍ଚ୍ଚ କରିପାରିବୁ କି ।

ସୋମବାର ଦେଶକୁ ସମ୍ବୋଧନ ବେଳେ ୱକ୍ରିମସିଂଘେ କହିଥିଲେ ଭାରତ ପାଖରୁ ମିଳିଥିବା ପେଟ୍ରୋଲ ଚଳିତ ସପ୍ତାହରେ  କିମ୍ବା ୨୯ ମେ ସୁଦ୍ଧା ଆସିବ । ଇନ୍ଧନ ଏବଂ ଗ୍ୟାସର ଅଭାବ କାରଣରୁ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ବୁଧବାର ଏହାକୁ ନେଇ ରାସ୍ତାରୋକ ମଧ୍ୟ ଦେଖିବାକୁ ମିଳିଥିଲା । ସେ ଦେଶବାସୀଙ୍କୁ କହିଛନ୍ତି ଆଗାମୀ କିଛି ଦିନ ଆମମାନଙ୍କ ପାଇଁ କଷ୍ଟ ସମୟ । ମୁଁ କୌଣସି କଥା ଜନତାଙ୍କ ଠାରୁ ଲଚାଇବାକୁ ଚାହୁଁ ନାହିଁ , ତାଙ୍କୁ ମିଛ କହିବା ବି ମୋର ଉଦ୍ଦେଶ୍ୟ ନୁହଁ ।

ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ 

ଶ୍ରୀଲଙ୍କା ସରକାରକୁ ଖର୍ଚ୍ଚ ଚଳାଇବା ପାଇଁ ୨.୪ ଟ୍ରିଲିୟନ ଶ୍ରୀଲଙ୍କା ମୁଦ୍ରାର ଆବଶକତା ରହିଛି । ସେପଟେ କିନ୍ତୁ ଶ୍ରୀଲଙ୍କାକୁ ମାତ୍ର ୧.୬ ଟ୍ରିଲିୟନ ରାଜସ୍ୱ ମିଳିଥାଏ । ଦେଶରେ ସଙ୍କଟ ଦେଖାଦେବା ପରେ ସରକାର ପ୍ରଥମ ଥର ଏହି ସତକୁ ସ୍ୱୀକାର କରିଛନ୍ତି । କେବଳ ଏତିକି ନୁହେଁ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଶେଷ ହେବାର ସତ ମଧ୍ୟ ସରକାର ସ୍ୱୀକାର କରିଛନ୍ତି । ଏହି କାରଣରୁ ତେଲ ଏବଂ ଅନ୍ୟ ଜରୁରୀ ଜିନିଷ କିଣିବାରେ ଅସୁବିଧା ହେଉଛି ।