ସଙ୍କଟ ଭିତରେ ଶ୍ରୀଲଙ୍କା । ଦେଶରେ ଔଷଧର ଅଭାବ ।

103

କନକ ବ୍ୟୁରୋ:  ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ଯେ କେତେ ଭୟଙ୍କର ହୋଇପଡିଛି ସେକଥା ଦେଶରେ ଦେଖାଦେଇଥିବା ଖାଦ୍ୟଭାବ, ପେଟ୍ରୋଲ, ଗ୍ୟାସ  ସରଯିବା ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ଜିନିଷ ନମିଳିବା ଘଟଣାରୁ ସ୍ପଷ୍ଟ ଅନୁମେୟ ।  ଦେଶବାସୀଙ୍କ କଷ୍ଟର କାହାଣୀ ବଖାଣୁଛି  କି କିଭଳି ଦିନକୁ ଦିନ  ଶ୍ରୀଲଙ୍କାର ସ୍ଥିତି ଭୟାନକ ରୂପ ନେଉଛି । ଏହା ଭିତରେ ସ୍ଥାନୀୟ  ଡାକ୍ତର ସରକାରଙ୍କୁ ଆଗାମୀ ଦିନରେ ଆସିବାକୁ ଥିବା ଆଉ ଏକ ବଡ ସମସ୍ୟାକୁ ନେଇ  ସର୍ତକ କରାଇଛନ୍ତି । ସ୍ଥାନୀୟ ଚିକିତ୍ସକଙ୍କ ମତରେ ଦେଶରେ ଦେଖାଦେଲାଣି ଔଷଧ ଅଭାବ । ଯଦି ସମୟ ଥାଉ ଥାଉ ଏହାର କିଛି ବ୍ୟବସ୍ଥା କରାନଯାଏ ତେବେ ଔଷଧ ଅଭାବରେ ଲୋକଙ୍କ ମୃତ୍ୟୁ ବିଭିଷିକା ଖୁବ ଶିଘ୍ର ଆରମ୍ଭ ହୋଇପାରେ । ଡାକ୍ତରଖାନାରେ ଆବଶ୍ୟକୀୟ ଚିକିତ୍ସା ଉପକରଣ, ଔଷଧ ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ନାହିଁ । ତେଣୁ ଏଭଳି ସ୍ଥିତିରେ ଯଦି ଦେଶରେ ବଡ ମହାମାରୀ ସମସ୍ୟା ଆସେ ତେବେ ଲୋକଙ୍କ ଜୀବନ ବଂଚାଇବା କଷ୍ଟକର ବ୍ୟପାର ହୋଇପଡିବ ବୋଲି ଦେଶର ଡାକ୍ତରମାନେ ପୂର୍ବରୁ ସର୍ତକ କରାଇଛନ୍ତି ।

ଶ୍ରୀଲଙ୍କାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାଜଧାନୀ କଲୋମ୍ବୋର ସବୁଠୁ ବଡ କ୍ୟାନସର ହସପିଟାଲରେ ଘୋର ଔଷଧର ଅଭାବ ଦେଖାଦେଇଛି । ରୋଗୀ ପରିକ୍ଷାଠୁ ନେଇ ଅସ୍ତ୍ରୋପଚାର ବନ୍ଦ କରାଯାଉଛି । ଏଭଳି ସ୍ଥିତିରେ ରୋଗୀ କଲବଲ ହେବା ସହ ମୃତ୍ୟୁ ଆଶଙ୍କା ବି ଦେଖାଦେଲାଣି । ଔଷଧ ଅଭାବରୁ ରୋଗୀଙ୍କ ଜୀବନ ସଙ୍କଟରେ ରହିଛି । ସେପଟେ ବହୁବ୍ୟାଧି ଓ ଗୁରୁତର ରୋଗରେ ପୀଡିତ ରୋଗୀଙ୍କ ଚିକିତ୍ସା କିଭଳି କରାଯିବ ତାକୁ ନେଇ ଚିନ୍ତାରେ ସରକାର ଓ ସର୍ମ୍ପକୀୟ ।

୧୯୪୮ ମସିହା ସ୍ୱାଧୀନତା ପରେ ବର୍ତମାନ ସବୁଠୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା ।ଦେଶର ନୂଆ ପ୍ରଧାନମନ୍ତ୍ରୀ  ରାନିଲ ବିକ୍ରମସିଂଘେ ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଫେରାଇବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ମଧ୍ୟ କରୁଛନ୍ତି  । ତେବେ ସ୍ଥିତିରେ କିଛି ସୁଧାର ଆସିବା ବଦଳରେ ଦିନକୁ ଦିନ ଏହା ବିଗିଡିବାରେ ଲାଗିଛି ।