ଶ୍ରୀଲଙ୍କାରେ ଗମ୍ଭୀର ଆର୍ଥିକ ସଂକଟ: ବିଶୃଙ୍ଖଳାକାରୀଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

161

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଆଣିଛି ମହାବିପତି । ଦେଖୁ ଦେଖୁ ବେଶ ସାଂଘାତିକ ହୋଇପଡିଛି ଏଠାକାର ପରିସ୍ଥିତି । ହିଂସା, ପ୍ରତିବାଦ,ଉତେଜନା ଭିତରେ ଜଳୁଛି ପୂରା ଦେଶ । ସୋମବାର ପ୍ରଧାନମନ୍ତ୍ରୀ ପଦରୁ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେବା ପରେ କଲମ୍ବୋଠୁ ନେଇ ଅନ୍ୟାନ୍ୟ ସହରରେ ସରକାର ବିରୋଧୀ ଓ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ତ୍ରୀବ ହୋଇଛି ।ପ୍ରଦର୍ଶନକାରୀଙ୍କ ଆକ୍ରୋଶର ନିଆଁରୁ ବାଦ ପଡିନାହାଁନ୍ତି ସାଧାରଣ ଜନତାଙ୍କଠୁ ନେଇ ନେତା ।

ହିଂସାର ନିଆଁରେ ଛାରଖାର ହେଲାଣି ଶ୍ରୀଲଙ୍କା । ସ୍ୱାଧୀନ ହେବା ପରେ ପ୍ରଥମ ଥର ପାଇଁ ୭୪ ବର୍ଷ ଭିତରେ ଏଭଳି ଘଡିସନ୍ଧିମୂୁହର୍ତ ଦେଇ ଗତି କରୁଛି ଦେଶ । ଆର୍ଥିକ ସଙ୍କଟ କିଭଳି ଦେଶ ପାଇଁ ବଡ ବିପତି ଆଣିଛି ତାର ସ୍ପଷ୍ଟ ଚିତ୍ର ଶ୍ରୀଲଙ୍କାରେ ଦେଖିବାକୁ ମିଳିଛି । ଭୋକ ଉପ।।ସ, ଅସନ୍ତୋଷରେ ରହିଥିବା ଜନତାଙ୍କ ଆକ୍ରୋଶଯୋଗୁଁ ଦେଶରେ ହିଂସାତ୍ମକ ମାହୋଲ ସୃଷ୍ଟି ହେବା ସହ ଘୋର ରାଜନୈତିକ ଅସ୍ଥିରତା ମଧ୍ୟ ସୃଷ୍ଟି ହୋଇଛି । ଗୋଟିଏ ପଟେ ରାସ୍ତାରେ ହଜାର ହଜାର ସଂଖ୍ୟକ ପ୍ରଦର୍ଶନକାରୀ ସରକାରଙ୍କ ବିରୁଦ୍ଧରେ ଜୋରଦାର ବିରୋଧପ୍ରଦର୍ଶନ କରୁଥିବାବେଳେ ଅନ୍ୟପଟେ ଏମାନଙ୍କୁ ଆୟତ କରିବା ପାଇଁ ଶ୍ରୀଲଙ୍କା ପ୍ରତିରକ୍ଷା ମନ୍ତ୍ରାଳୟ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ସାଧାରଣ ଲୋକଙ୍କୁ କ୍ଷତି ପହଁଚାଇଲେ ଓ ସରକାରୀ ସମ୍ପତି କ୍ଷୟକ୍ଷତି କଲେ ଉପଦ୍ରବକାରୀଙ୍କୁ ଘଟଣା ସ୍ଥଳରେ ଦେଖିବାମାତ୍ରେ ଗୁଳିମାରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ।

ଏପଟେ ଶ୍ରୀଲଙ୍କାକୁ ଭାରତ ସେନା ସହାୟତା ପଠାଇଥିବା ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତିି ଭାରତୀୟ ହାଇକମିଶନର । ଶ୍ରୀଲଙ୍କାଙ୍କୁ କୌଣସି ପ୍ରକାର ସେନା ପଠାଯିବାର ଯୋଜନା ନଥିବା ଟୁଇଟ କରି ସ୍ପଷ୍ଟ କରିଛନ୍ତି ହାଇକମିଶନର । ସେପଟେ ମହିନ୍ଦା ରାଜପକ୍ଷେ ଓ ତାଙ୍କ ପରିବାର ଭାରତ ଚାଲି ଆସିଥିବା ଖବରକୁ ମଧ୍ୟ ଖଣ୍ଡନ କରାଯାଇଛି ।

ଏହାରି ଭିତରେ ନିଜ ପରିବାର ସହ କଲମ୍ବୋରୁ ସ୍ୱତନ୍ତ୍ର ବିମାନରେ ମହିନ୍ଦ୍ରା ରାଜପକ୍ଷେ ଏକ ସୁରକ୍ଷିତ ନାଭାଲ ବେସରେ ଶରଣ ନେଇଥିବା କୁହାଯାଉଛି । ଅନେକ ଆକ୍ରୋଶିତ ଜନତା ଏଠାରେ ବି ପହଁଚି ରାଜପକ୍ଷେ ପରିବାର ବିରୋଧରେ ହଙ୍ଗାମା ଆରମ୍ଭ କରିଛନ୍ତି । ଦେଶରେ କର୍ଫ୍ୟୁ ଲାଗୁ ଓ ଏମରଜେନ୍ସି ଘୋଷଣା କରାଯିବା ସହ ସବୁଠି କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଦେଶରେ ଦେଖାଯାଇଥିବା ରାଜନୈତିକ ଅସ୍ଥିରତା ଭିତରେ ବିରୋଧୀଦଳ ନେତା ସାଜିଥ ପ୍ରେମଦାସା ଦେଶର ଆଗାମୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହୋଇଛି । ତେବେ ଏନେଇ ସେ ଏକ ସର୍ତ ମଧ୍ୟ ରଖିଥିବା କୁହାଯାଯଉଛି । ଯଦି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେବେ ତେବେ ପ୍ରେମଦାସ ପ୍ରଧାନମନ୍ତ୍ରୀ ହେବେ ବୋଲି ନିଜର ଏହି ସର୍ତ ରଖିଛନ୍ତି ।

ଶ୍ରୀଲଙ୍କାର ବର୍ତମାନ ସ୍ଥିତି ଭିତରେ ଗୋଟେ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି । ଋଣ ଭାରରେ ବୁଡି ରହିଥିବା ଶ୍ରୀଲଙ୍କା କିଭଳି ସ୍ୱାଭାବିକ ପରିସ୍ଥିତିକୁ ଫେରିବ? ଶ୍ରୀଲଙ୍କା ମୁଣ୍ଡ ଉପରେ ଥିବା ଋଣ ଭାର ମଧ୍ୟରୁ କେବଳ ଚୀନରୁ ୧୫ ପ୍ରତିଶତ ରହିଛି । ଜାତୀୟ ଓ ଅର୍ନ୍ତଜାତୀୟ ବଜାରରୁ ୩୭% । ଏସିଆନ ଡେଭଲପମେଂଟ ବ୍ୟାଙ୍କରୁ ୧୩% । ୱାର୍ଲ୍ଡ ବ୍ୟାଙ୍କରୁ ୧୦% ଜାପାନରୁ ୧୦% ଓ ଭାରତରୁ ୨% ଋଣ ରହିଛି ।

ଶ୍ରୀଲଙ୍କା ଏବେ ଯେଉଁ ଆର୍ଥିକ ସଙ୍କଟ ଭିତରେ ଗତି କରୁଛି ତାହା ଆଗାମୀ ଦିନରେ କି ରୂପ ନେବ ସେକଥା ମଧ୍ୟ ଏବେ ସ୍ପଷ୍ଟ ହୋଇପାରୁନାହିଁ । ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଶ୍ରୀଲଙ୍କା ଗତ ୧୦ବର୍ଷ ମଧ୍ୟରେ ବିଭିନ୍ନ ରାଷ୍ଟ୍ରଙ୍କଠୁ ଯେଉଁ ବଡ ଆକାରର ଋଣ ନେଇ ଦେଶର ଆର୍ଥିକ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲା ସେଥିରେ ବିଫଳ ହୋଇଛି । ଅନ୍ୟପଟେ ପ୍ରାକୃତିକ ବିପଯତି ଓ କରୋନା ମହାମାରୀର ବଡ ପ୍ରଭାବ ଯୋଗୁଁ ଦୋହଲିଯାଇଛି ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ।

ହିଂସାର ନିଆଁରେ ଏବେ ସୁଦ୍ଧା ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେପଟେ ୧୪ଜଣ ମନ୍ତ୍ରୀ ଓ ୭ଜଣ ସାଂସଦଙ୍କ ଘରେ ନିଆଁ ଲଗାଇଛନ୍ତି ପ୍ରଦର୍ଶନକାରୀ । ଅଢେଇ କୋଟି ଜନସଂଖ୍ୟା ବିଶିଷ୍ଠ ଶ୍ରୀଲଙ୍କାରେ ପ୍ରଥମ ଥର ପାଇଁ ଏଭଳି ଆର୍ଥିକ ଓ ରାଜନୈତିକ ବିପତି ଦେଖାଦେଇଛି ।