ରାଜ୍ୟରେ କରୋନା ନିୟମ କଡାକଡି ପାଇଁ ଚିଠି ଲେଖିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ଜନଗହଳି ସ୍ଥାନରେ ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ କରାଯିବ ସଚେତନ ।

407

କନକ ବ୍ୟୁରୋ: ଗ୍ରାହକଙ୍କ ଭିଡ ଏବଂ ବଜାରର ଚଂଚଳତା ଭିତରେ ସାମୟିକ ଭାବେ ଲୋକେ ଯେମିତି ଭାବି ନେଇଥିଲେ ଯେ, କରୋନା ଚାଲିଯାଇଛି । ଭାବିବା ବି ସ୍ୱାଭାବିକ ଥିଲା କାରଣ, ହୁ-ହୁ ହୋଇ ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣ କମିଯାଇଥିଲା । ଆଉ ପ୍ରାୟ ୯ ମାସ ଭିତରେ ବାନ୍ଧି ହୋଇ ରହିଥିବା ଲୋକମାନେ ବାହାରକୁ ବାହାରି ଆସିଥିଲେ । ହେଲେ, କରୋନାର ନୂଆ ନୂଆ ଷ୍ଟ୍ରେନ୍ ଏବଂ ପଡ଼ୋଶୀ ରାଜ୍ୟରେ ବଢ଼ୁଥିବା ସଂକ୍ରମଣ, କରୋନାକୁ ନେଇ ପୁଣି ଥରେ ଚିନ୍ତା କରିବାର ସମୟ ଆଣି ଦେଇଛି ।

ଆଜି ସ୍ପେଶାଲ ରିଲିଫ୍ କମିଶନର, ରାଜ୍ୟର ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏବଂ ଏସପି ମାନଙ୍କୁ ଚିଠି ଲେଖିଛନ୍ତି । କରୋନା ନିୟମ କଡ଼ାକଡ଼ି ପାଳନ ହେଉଛି ନା ନାହିଁ, ତା ଉପରେ ନଜର ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚିଠିରେ ଲେଖା ଯାଇଛି ଯେ, ଅନେକ ସ୍ଥାନରେ ଲୋକେ ଆଉ କରୋନା ନିୟମ ମାନୁ ନାହାଁନ୍ତି ଏବଂ ଏହାକୁ ହାଲୁକା ଭାବେ ନେଉଛନ୍ତି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଏବଂ କରୋନାର କିଛି ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ନେଇ ଏଥିରେ ଲେଖାଯାଇଛି ।

କରୋନା ପାଇଁ ପଦକ୍ଷେପ
୧- ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସମାଜିକ ଦୂରତା ମାନିବା ନିୟମ ଉପରେ ଜିଲ୍ଲା ଓ ପୁଲିସ ଅଧିକାରୀ ନଜର ରଖିବେ ।
୨- ବଜାର ଓ ହାଟ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ଲାଉଡସ୍ପିକର ଜରିଆରେ ସତର୍କ କରିବେ ଜିଲ୍ଲା ପ୍ରଶାସନ ।
୩- ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ନିୟମ ପାଳନ ନେଇ ସଂପୃକ୍ତ ଅଧିକାରୀ ଉତ୍ତରଦାୟୀ ରହିବେ ।
୪- ବାହାଘର, ଧାର୍ମିକ ସମାବେଶ, ଖେଳ, ସାଂସ୍କୃତିକ ଆଦି ସମାବେଶରେ କୋଭିଡ୍ ନିୟମ ପାଳନ ବାଧ୍ୟତାମୂଳକ ହେବ ।
୫- ସ୍କୁଲ ଓ କଲେଜରେ ନିୟମ ପାଳନ ଉପରେ ସଂପୃକ୍ତ ଅଧିକାରୀ ଓ ଶିକ୍ଷକମାନେ ନଜର ରହିବେ ।
୬-କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହେଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ଦରକାର ।
୭-ହୋଟେଲ, ରେସ୍ତୋରାଂ, ଢ଼ାବା ଓ ଅନ୍ୟ ସର୍ବସାଧାରଣ ସ୍ଥାନରେ ଖାଇବା ସମୟରେ ନିୟମ ପାଳନ ଉପରେ ପୁଲିସ ନଜର ରଖିବ ।
୮-ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନ କରୋନା ନିୟମ ଭାଙ୍ଗିଲେ ଦୋକାନକୁ ସିଲ୍ କରାଯାଇପାରେ ।

ରାଜ୍ୟ ସରକାରଙ୍କ ଏହି ପ୍ରସ୍ତୁତି ଭିତରେ ମୁଖ୍ୟମନ୍ତ୍ରୀ କୋଭିଡ୍ ଗାଇଡଲାଇନ୍ ମାନିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତେ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ମାନନ୍ତୁ । ରାଜ୍ୟ ସରକାରଙ୍କ ପରାମର୍ଶ ଏବଂ ଜିଲ୍ଲା ପ୍ରଶାସନ ଗୁଡ଼ିକର ପ୍ରସ୍ତୁତି ଭିତରେ, ଜନତାଙ୍କର ବଡ଼ ଦାୟିତ୍ୱ ହେଉଛି, କରୋନା ଭଳି ମହାମାରୀ ସମୟରେ ସାବଧାନ ରହିବା ଏବଂ ସତର୍କତାକୁ ମାନି ସରକାର ଓ ପ୍ରଶାସନକୁ ସହଯୋଗ କରିବା ।