ଭାରତକୁ ମିଳିଲା ତୃତୀୟ କୋଭିଡ-୧୯ ଟିକା । ଋଷ ଟିକା ‘ସ୍ଫୁଟନିକ-ଭି’ କୁ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିଲା ଅନୁମତି । ଦୂର ହେବ ଟିକା ସଂକଟ

191

କନକ ବ୍ୟୁରୋ : ଦେଶରେ କରୋନାର ଦ୍ୱିତୀୟ ଲହର ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏହି ସମୟରେ କରୋନାରୁ ମୁକ୍ତି ପାଇବାକୁ ଟିକା ଏକମାତ୍ର ବିକଳ୍ପ ହୋଇଥିବା ବେଳେ କିଛିଦିନ ହେବ ଦେଶରେ ଟକା ସଂକଟ ଦେଖାଦେଇଥିଲା । ଏନେଇ କିଛି ରାଜ୍ୟରେ ଟିକାକରଣ କେନ୍ଦ୍ର ବି ବନ୍ଦ ହୋଇଯାଇଥିଲା । ହେଲେ ଏବେ ତୃତୀୟ କୋଭିଡ୍ ଟିକା ଭାବେ ଋଷ ଟିକା ସ୍ଫୁଟନିକ ଭି କୁ ଭାରତ ସରକାର ବ୍ୟବହାରିକ ମଞ୍ଜୁରି ପ୍ରଦାନ କରିଛନ୍ତି ବିଶେଷଜ୍ଞ କମିଟି ।

ଆଜି ଏନେଇ ସବଜେକ୍ଟ ଏକ୍ସପର୍ଟ କମିଟିର ବୈଠକ ବସିଥିଲା । ଏଠାରେ ସ୍ଫୁଟନିକ୍ ଭି ଟିକାର ପରୀକ୍ଷଣ ଡାଟା ଉପସ୍ଥାପନ କରାଯାଇଥିଲା । ଏହି ଆଧାରରେ ସ୍ଫୁଟନିକ୍ ଭି କୁ ଭାରତରେ ବ୍ୟବହାରିକ ମଞ୍ଜୁରି ପ୍ରଦାନ କରାଯାଇଛି । ଆଜି ରାତିସୁଦ୍ଧା ସରକାରଙ୍କ ପକ୍ଷରୁ ଏନେଇ ସ୍ଥିତି ସ୍ପଷ୍ଟ କରାଯାଇପାରେ ।

କହିରଖୁ କି ଦେଶରେ ଏବେ ଦୁଇଟି ଟିକାର ବ୍ୟବହାର କରାଯାଉଛି, ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ । ସୂଚନା ମୁତାବକ ଅଗଷ୍ଟ ମାସସୁଦ୍ଧା ଭାରତକୁ ଆଉ ୩ ଟି ଟିକା ମିଳିପାରେ । ଏସବୁ ଟିକା ଆସିବା ପରେ ଭାରତରେ ଟିକାକରଣ ଦ୍ରୁତ ହୋଇପାରିବ ଓ ସହଜରେ ସମସ୍ତଙ୍କୁ ଟିକା ପ୍ରଦାନ କରାଯାଇପାରିବ ।