ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ; ଫୋକସରେ ଭାରତର ବ୍ୟାଟିଂକ୍ରମ, ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଫର୍ମ

୨୦୨୦ ଗସ୍ତରେ ଆଡିଲେଡ୍‌ରେ ମାତ୍ର ୩୬ ରନ୍‌ରେ ଅଲ୍‌ଆଉଟ୍ ହେବାର ଭୂତ ମଧ୍ୟ ଭାରତୀୟ ଦଳକୁ ପିଛା‌ କରୁଛି । ତେବେ ପର୍ଥରେ କିମ୍ବଦନ୍ତୀ ବିରାଟ କୋହଲି ଫର୍ମକୁ ଫେରିବା ଏବଂ ଓପନର‌୍ ଯଶସ୍ୱୀ ଜୟସ୍ୱାଲ ଜବରଦସ୍ତ ଫର୍ମରେ ରହିବା ଭାରତର ପଲାକୁ ସାମାନ୍ୟ ଭାରି କରିଛି ।

India vs Australia

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ଦିବା-ରାତ୍ର ଟେଷ୍ଟ୍ ଶୁକ୍ରବାରଠାରୁ ସ୍ଥାନୀୟ ଆଡିଲେଡ୍‌ ଓଭାଲରେ ଖେଳାଯିବ । ଗୋଲାପି ବଲ୍‌ରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଭାରତୀୟ ବ୍ୟାଟିଂକ୍ରମ ଏବଂ ଅଷ୍ଟ୍ରେଲିଆ ବ୍ୟାଟର୍‌ଙ୍କ ଫର୍ମ ଉପରେ ସମସ୍ତଙ୍କ ନଜର ରହିବ ।

ପର୍ଥରେ କଙ୍ଗାରୁ ବ୍ୟାଟର୍‌ ବିଫଳ ହୋଇଥିବାରୁ ଆଡିଲେଡ୍‌ରେ ଲୟ ଫେରି ପାଇବାକୁ ଲକ୍ଷ୍ୟ ରଖିଛନ୍ତି । ଅନ୍ୟପକ୍ଷରେ ପର୍ଥ ଟେଷ୍ଟ୍‌କୁ ୨୯୫ ରନ୍‌ର ବଡ଼ ବ୍ୟବଧାନରେ ଜିତି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ଥିବା ଭାରତ ନିୟମିତ ଅଧିନାୟକ ରୋହିତ ଶର୍ମା ଓ ଯୁବ ବୀର ଶୁବମନ ଗିଲ୍‌ଙ୍କ ପ୍ରତ୍ୟାବର୍ତ୍ତନ ପରେ ବ୍ୟାଟିଂକ୍ରମକୁ ନେଇ ଦ୍ୱନ୍ଦ୍ୱରେ ରହିଛି ।

ସେହିଭଳି ୨୦୨୦ ଗସ୍ତରେ ଆଡିଲେଡ୍‌ରେ ମାତ୍ର ୩୬ ରନ୍‌ରେ ଅଲ୍‌ଆଉଟ୍ ହେବାର ଭୂତ ମଧ୍ୟ ଭାରତୀୟ ଦଳକୁ ପିଛା‌ କରୁଛି । ତେବେ ପର୍ଥରେ କିମ୍ବଦନ୍ତୀ ବିରାଟ କୋହଲି ଫର୍ମକୁ ଫେରିବା ଏବଂ ଓପନର‌୍ ଯଶସ୍ୱୀ ଜୟସ୍ୱାଲ ଜବରଦସ୍ତ ଫର୍ମରେ ରହିବା ଭାରତର ପଲାକୁ ସାମାନ୍ୟ ଭାରି କରିଛି । ସେହିଭଳି ପର୍ଥ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ତଥା ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଭାରତ ପାଇଁ ପୁଣି ଥରେ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ ବୋଲି ପ୍ରଶଂସକ ଆଶା ରଖିଛନ୍ତି ।

ଗୋଲାପି ବଲ୍‌ ଟେଷ୍ଟ୍‌ରେ ଅଷ୍ଟ୍ରେଲିଆ ପାରମ୍ପରିକ ଭାବେ ଆଧିପତ୍ୟ ବିସ୍ତାର କରି ଆସୁଥିଲା ବେଳେ ତାର ସେହି ଗଡ଼କୁ ଧ୍ୱସ୍ତ କରିବାର ଯୋଜନାରେ ମଧ୍ୟ ଭାରତୀୟ ଦଳ ରହିଛି । ଏହି କ୍ଷେତ୍ରରେ ଭାରତ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ ସମ୍ଭବତଃ ଗୋଲାପି ବଲ୍‌ରେ ଖେଳିବାର ଅପେକ୍ଷାକୃତ କମ୍ ଅଭିଜ୍ଞତା ହୋଇପାରେ ।

ଶେଷ ଥର ପାଇଁ ଭାରତ ୨୦୨୨ରେ ହିଁ  ଗୋଲାପି ବଲ୍‌ରେ କୌଣସି ଟେଷ୍ଟ୍ ଖେଳିଥିଲା । ଏଣୁ ଆଡିଲେଡ୍‌ର ଏହି ‘ଗୋଲାପି ପରୀକ୍ଷା’ ଭାରତ ପାଇଁ ନିଶ୍ଚିତ କଷ୍ଟକର ହେବ ବୋଲି ଅନୁମାନ କରାଯାଉଛି । ଭାରତୀୟ ଅଧିନାୟକ ରୋହିତ ଶର୍ମା ଦୃଢ଼ ଆଶା ପୋଷଣ କରିଛନ୍ତି ଯେ ଭାରତ ପୁଣି ଥରେ ବିଜୟୀ ହେବ । ଅନ୍ୟପକ୍ଷରେ ଶୃଙ୍ଖଳାରେ ୧-୦ରେ ପଛୁଆ ରହିବା ପରେ ତାଙ୍କ ଦଳ ଉପରେ ଅତିରିକ୍ତ ଚାପ ରହିଛି ବୋଲି ସ୍ୱୀକାର କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe