ଅଗ୍ନିପଥକୁ ନେଇ ବିଜେପି-ଜେଡିୟୁ ମୁହାଁମୁହିଁ । ହିଂସାକାଣ୍ଡକୁ ନେଇ ବିଜେପି କଲା ଟାର୍ଗେଟ, ଜେଡିୟୁ କହିଲା ଅଗ୍ନିପଥ ବାବଦରେ ସନ୍ଦେହ ଦୂର କରୁ କେନ୍ଦ୍ର ସରକାର ।

180

କନକ ବ୍ୟୁରୋ : ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ଜୋରଦାର ବିରୋଧ ଓ ହିଂସା ଜାରି ରହିଛି । ବିକ୍ଷୋଭକାରୀ ସରକାରୀ ସମ୍ପତିକୁ କ୍ଷତି ପହଁଚାଉଛନ୍ତି । ଟ୍ରେନ୍, ବସ ପୋଡାଜଳା କରିବା ସହ ଅଫିସ ଭଙ୍ଗାରୁଜା  ଓ ଲୁଟ ତରାଜ କରୁଛନ୍ତି । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି  ବାୟୁସେନା ମୁଖ୍ୟ ମାର୍ସଲ ଭି ଆର ଚୌଧୁରୀ । ଯୋଜନାକୁ ନେଇ ଏଭଳି ହିଂସା ହେବ ବୋଲି ସେ ଆଦୌ କଳ୍ପନା କରିନଥିବା କହିଛନ୍ତି ବାୟୁସେନା ମୁଖ୍ୟ  । ଏଥିସହ ଉପଦ୍ରବକାରୀଙ୍କୁ ଚେତାବନୀ ଦେଇ ବାୟୁସେନା ମୁଖ୍ୟ କହିଛନ୍ତି କି ଯେଉଁମାନେ ହିଂସାରେ ସାମିଲ ହେବେ ସେମାନଙ୍କୁ ବଡ ମୂଲ୍ୟ ଦବାକୁ ପଡିବ ।  ହିଂସାକୁ ଆଦୌ ବରଦାସ୍ତ କରାଯିବନି  ।ସମ୍ପୃକ୍ତ ବ୍ୟକ୍ତିଙ୍କ ପୁଲିସ କ୍ଲିୟରାନ୍ସ ଦିଆଯିବନି ।  ଅନ୍ୟପଟେ ଏହି ଘଟଣାକୁ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

ଅଗ୍ନିପଥକୁ ନେଇ ବିହାରରେ କେବଳ ହିଂସା ଦେଖିବାକୁ ମିଳିନାହିଁ ବରଂ ରାଜନୈତିକ ଉଷ୍ମତା ମଧ୍ୟ ବଢିଛି । ଏପରିକି ସରକାରରେ ଥିବା ଉଭୟ ଜେଡିୟୁ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି କଥା କଟାକଟି । ବିଜେପି କହିଛି, ଜେଡିୟୁ ବିହାର ହିଂସାକୁ ରୋକିବାକୁ ଅଣଦେଖା କରୁଛି । ସେହିଭଳି ଜେଡିୟୁ କହିଛି, ଅଗ୍ନିପଥ ଯୋଜନାକୁ ନେଇ ଯୁବବର୍ଗଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର ଦେଉ ବିଜେପି ।

ଏସବୁ ଭିତରେ ଅଗ୍ନିପଥକୁ ନେଇ ଦେଖାଦେଇଥିବା ହିଂସାକାଣ୍ଡ ବିହାରରେ ଉଗ୍ର ରୂପ ଧାରଣ କରିଛି । ନୀତିଶ ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣି ବିଜେପି ରାଜ୍ୟ ଅଧ୍ୟକ୍ଷ କହିଛନ୍ତି, ପ୍ରତିବାଦ କରିବା ସମସ୍ତଙ୍କର ଅଧିକାର । କିନ୍ତୁ ପ୍ରଶାସନର ଇସାରାରେ ନିର୍ଦ୍ଦିଷ୍ଟ ଲୋକଙ୍କୁ ଟାର୍ଗେଟ କରିବା ଗ୍ରହଣୀୟ ନୁହେଁ । ଯାହା ଭାରତରେ ହେଉନାହିଁ ତାହା ବିହାରରେ ହେଉଛି । ଯାହାକୁ ବିରୋଧ କରିଛନ୍ତି ବିହାର ବିଜେପିର ରାଜ୍ୟ ସଭାପତି ।

ବିଜେପି ଯେଉଁ ଅଭିଯୋଗ ଆଣିଛି ତାହାର ଜବାବ ରଖିଛି ଜେଡିୟୁ । ଦଳର ନେତା କହିଛନ୍ତି, ଅଗ୍ନିପଥ ଯୋଜନାକୁ ନେଇ ଯେଉଁ ସନ୍ଦେହ ରହିଛି ତାହାକୁ ଦୂର କରିବା ପରିବର୍ତ୍ତେ ପ୍ରଶାସନ ଉପରେ ପ୍ରଶ୍ନ ଉଠାଉଛି ବିଜେପି । ନୀତିଶ କୁମାର ପ୍ରଶାସନ ଚଳାଇବାକୁ ସକ୍ଷମ । ବିଜେପି ଶାସିତ ରାଜ୍ୟରେ ଦେଖାଦେଉଥିବା ହିଂସାକୁ କାହିଁକି କାବୁ କରିପାରୁନାହିଁ ଦଳ । ଏହାପୂର୍ବରୁ ଜେଡିୟୁ ପକ୍ଷରୁ ମଧ୍ୟ ଅଗ୍ନିପଥ ଯୋଜନାକୁ ବିରୋଧ କରାଯାଇଥିଲା । ଦଳ ପକ୍ଷରୁ କୁହାଯାଇଥିଲା ଯେ, ସରକାର ଆଣିଥିବା ଅଗ୍ନିପଥ ଯୋଜନା କେବଳ ବିହାର ନୁହେଁ ବରଂ ପୂରା ଦେଶର ଯୁବବର୍ଗଙ୍କ ମନରେ ଭବିଷ୍ୟତକୁ ନେଇ ଭୟ ଓ ଅନିଶ୍ଚିନ୍ତତା ଭାବନା ସୃଷ୍ଟି କରିଛି ।