ବିଶ୍ୱ ବକ୍ସ ଅଫିସରେ ସ୍ପାଇଡର୍-ମ୍ୟାନ୍‌ର ରେକର୍ଡ : ୨୦୧୯ ପରେ ପ୍ରଥମ ଥର ୧୦୦ କୋଟି ଡଲାର୍ ଆୟ !

92

କନକ ବ୍ୟୁରୋ : ମାତ୍ର ୧୧ ଦିନ ତଳେ ସାରା ବିଶ୍ୱରେ ବଡ଼ପରଦାରେ ମୁକ୍ତିଲାଭ କରିଥିବା ‘ସ୍ପାଇଡର୍-ମ୍ୟାନ୍: ନୋ ୱେ ହୋମ୍’ ୨୦୨୧ ମସିହାର ସର୍ବାଧିକ ଆୟକାରୀ ଚଳଚ୍ଚିତ୍ରର ମାନ୍ୟତା ହାସଲ କରିଛି । ଶେଷ ଥର ୨୦୧୯ରେ ମୁକ୍ତିଲାଭ କରିଥିବା ‘ଷ୍ଟାର୍ ଵାର୍‌ସ: ଦି ରାଇଜ୍ ଅଫ୍ ସ୍କାଇଓ୍ୱାକର୍’ ୧୦୦ କୋଟି ଡଲାର୍ ଆୟର ମାଇଲ୍‌ଖୁଣ୍ଟ ଅତିକ୍ରମ କରିଥିଲା । ଏହା ପରେ ମହାମାରୀ ଆରମ୍ଭ ହୋଇଯିବାରୁ ସିନେମା ପ୍ରେକ୍ଷାଳୟ ବ୍ୟବସାୟ ଏକପ୍ରକାର ଠପ୍ ହୋଇଯାଇଥିଲା ।

ଇତିମଧ୍ୟରେ ଇଣ୍ଟରନେଟ୍‌ରେ ଓଟିଟି ମଞ୍ଚର ବିପୁଳ ପ୍ରସାରଲାଭ ଏକପ୍ରକାର ଆଶଙ୍କା ସୃଷ୍ଟି କରିଥିଲା ଯେ ଦର୍ଶକ ଅଭାବରୁ ପ୍ରେକ୍ଷାଳୟଗୁଡ଼ିକ ସବୁଦିନ ପାଇଁ ବନ୍ଦ ହୋଇଯିବ । ତେବେ ‘ସ୍ପାଇଡର୍-ମ୍ୟାନ୍..’ ଏହି ଆଶଙ୍କାକୁ ଭୁଲ୍ ପ୍ରମାଣିତ କରିଛି । ଭାରତୀୟ ପ୍ରେକ୍ଷାଳୟରେ ଏହା ପାଖାପାଖି ୧୭୫ କୋଟି ଟଙ୍କା ଆୟ କରିସାରିଲାଣି । ଏଥିରେ ଟମ୍ ହଲାଣ୍ଡ୍ ସ୍ପାଇଡର୍-ମ୍ୟାନ୍‌ର ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ଅଭିନେତ୍ରୀ ଜେଣ୍ଡେୟା ତାଙ୍କ ବାନ୍ଧବୀ ଭାବେ ଅଭିନୟ କରିଛନ୍ତି । ଡକ୍ଟର୍ ଷ୍ଟ୍ରେଞ୍ଜ୍‌ଙ୍କ ସମେତ ପୁରୁଣା ସ୍ପାଇଡର୍-ମ୍ୟାନ୍ ଚଳଚ୍ଚିତ୍ରର ନାୟକ ଓ ଖଳନାୟକମାନେ ଅନ୍ୟତମ ଆକର୍ଷଣୀୟ ଭୂମିକାରେ ବାହାରି ଦର୍ଶକଙ୍କୁ ଚମତ୍କୃତ କରୁଛନ୍ତି ।