ରାସ୍ତାରେ କେତେ ରହିବ ଆପଣଙ୍କ ଗାଡିର ବେଗ ? ନିର୍ଦ୍ଦେଶନାମା ଜାରି କଲା କମିଶନରେଟ୍ ପୋଲିସ, ସ୍ପିଡରେ ଗଲେ ଗଣିବେ ମୋଟା ଅଙ୍କର ଜୋରିମାନା ।

997

କନକ ବ୍ୟୁରୋ : ଡିସେମ୍ବର ୧ ଅର୍ଥାତ ଆଜିଠାରୁ ପୁଣି ଆରମ୍ଭ ହୋଇ ଯାଇଛି ଟ୍ରାଫିକ୍ ତନାଘନା । ରାଜ୍ୟ ସରକାର କାଗଜ ପତ୍ର ପାଇଁ ଆଉ ତିନି ମାସ କୋହଳ କରିଥିଲେ ମଧ୍ୟ ହେଲମେଟ୍, ସିଟବେଲ୍ଟ, ମୋବାଇଲ ବ୍ୟବହାର, ଭୁଲ ଦିଗରେ ଗାଡି ଚଳାଇବା ଓ ମଦୁଆ ଡ୍ରାଇଭରଙ୍କୁ ଆଜି ଗୋଡାଇ ଥିଲା ପୋଲିସ୍ । ଅନ୍ୟପଟେ ସହର ଭିତରେ କେତେ ରହିବ ଆପଣଙ୍କ ଗାଡିର ବେଗ, ସେନେଇ ଆଜି ନିର୍ଦ୍ଦେଶନାମା ଜାରି କରିଛି କମିସନରେଟ୍ ପୋଲିସ । ତେବେ ଆସନ୍ତୁ ଜାଣିବା କେଉଁଠି କେତେ ରହିବ ଗାଡିର ବେଗ ।

ହାଲୁକା ଓ ଭାରି ଯାନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୫୦ କିଲୋମିଟର ରହିବ । ଆଉ ବେଗ ବଢିଲେ ଚାଳକଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲାଗିବାର ସମ୍ଭାବନା ମଧ୍ୟ ରହିଛି । ସେହିପରି ଜାତୀୟ ରାଜପଥର ପଳାଶୁଣିରୁ ବାଲିକୁଦା ଯାଏଁ ଏହି ନିୟମକୁ ସାମାନ୍ୟ କୋହଳ କରାଯାଇଛି । ଏହି ସ୍ଥାନରେ ଗାଡିର ବେଗ ସର୍ବାଧିକ ୭୦ କିଲୋମିଟର ରହିପାରିବ । ସେହିପରି ଦୁଇ ଚକିଆ ଯାନର ସର୍ବାଧିକ ବେଗ ୫୦ କିଲୋମିଟର ରହିବ । ଆଉ ଏଥିରେ ବ୍ୟତିକ୍ରମ ହେଲେ ଚାଳକଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । କଟକ ଓ ଭୁବନେଶ୍ୱର ପାଇଁ କମିସନରେଟ୍ ପୋଲିସ କିଛି ଏଭଳି ନିର୍ଦ୍ଦେଶନାମା ଜାରି କରିଛି ।