ଜଗା ଆଶ୍ରାରୁ ଫେରିବା ପରେ ଘରେ ମିଳିଲାନି ଜାଗା । ଯାଜପୁର ବରହଟା ଗାଁ ସ୍କୁଲ ପିଣ୍ଡାରେ ମୁଣ୍ଡ ଗୁଞ୍ଜିଛନ୍ତି ଦିବ୍ୟାଙ୍ଗ ବୃଦ୍ଧ ଦମ୍ପତି

324

କନକ ବ୍ୟୁରୋ : ବସ୍ତୁ ବାଦି ଦୁନିଆରେ ହଜି ଯାଉଛି ମାନବିକାତା । ସମ୍ପତି ଲୋଭରେ ମଣିଷ ଭୁଲି ଯାଉଛି ସଂପର୍କ । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଦଶରଥପୁର ବ୍ଲକ୍ ବିରଜାପୁର ପଂଚାୟତର ବରହଟା ଗ୍ରାମରେ । ଭିନ୍ନକ୍ଷମ ପରିବାରର ସମ୍ପତି ଓ ଘର ଦ୍ୱାରକୁ ଜୋର ଜବରଦସ୍ତ କବଜା କରି ନେଇଛନ୍ତି ସଂପର୍କୀୟ । ଫଳରେ ବାଧ୍ୟ ହୋଇ ଭିନ୍ନକ୍ଷମ ପରିବାର କେତେବେଳେ ସ୍କୁଲ ପିଣ୍ଡା ତ ଆଉ କେତେ ଗାଁର ପରିତ୍ୟକ୍ତ ଘର ମୁଣ୍ଡ ଗୁଂଜୁଛନ୍ତି । ଆଉ ଶେଷରେ ନ୍ୟାୟ ନମିଳିଲେ ଜୀବନ ହାରିବା ହିଁ ଶେଷ ରାସ୍ତା ବୋଲି କୋହଭରା ସ୍ୱରରେ କହିଛନ୍ତି ଭିନ୍ନକ୍ଷମ ଦମ୍ପତି ।

ବାପାଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ସାଥିରେ ଧରି ପୁରୀ ଚାଲି ଯାଇଥିଲେ ବରହଟା ଗାଁ ଦିବ୍ୟାଙ୍ଗ ସନାତନ ପଣ୍ଡା । ସେଠାରେ ଭିକ୍ଷାବୃତି କରି ଚଳୁଥିଲେ । ହେଲେ କରୋନା ଯୋଗୁଁ ମନ୍ଦିର ବନ୍ଦ ହେବା ସହ ଭିକ୍ଷା ବୃତି ବି ବନ୍ଦ ହୋଇଯିବା ପରେ ନିଜ ଭିଟାମାଟିକୁ ଫେରି ଆସିଛନ୍ତି ସନାତନ । ଆଶା ଥିଲା ପୈତୃକ ଘରେ ଦୁଃଖେ କଷ୍ଟେ ଚଳିଯିବେ । କିନ୍ତୁ ଭାଗ୍ୟର ବିଡମ୍ବନା, ନିଜ ଘରେ ମୂୁଣ୍ଡ ଗୁଂଜିବାକୁ ଜାଗା ଦିଲେନି ସଂପର୍କୀୟ । ଶେଷରେ ନିରାଶ ହୋଇ ସବୁ କଷ୍ଟକୁ ଯନ୍ତ୍ରଣା ଛାତିରେ ଜାବୁଡି ଧରି ସ୍କୁଲ ପିଣ୍ଡାରେ ରହୁଛନ୍ତି ଦୃଷ୍ଟିବାଧକ ସନାଜନ ଓ ତାଙ୍କ ପତ୍ନୀ ।

ସନାତନ ୩୦ ବର୍ଷ ହେଲା ପୁରୀରେ ଭିକ୍ଷାବୃତି କରୁଥିଲେ । ଏପଟେ ଗାଁରେ ତାଙ୍କ ପୈତୃକ ସମ୍ପତିକୁ ମାଡି ବସିଛନ୍ତି ସଂପର୍କୀୟ । ଏହାସହ ସରକାରୀ ଯୋଜନା ସନାତନ ପାଇଥିବା ଆବାସ ଗୃହକୁ ବି କବଜା କରିଛନ୍ତି । ଏହାକୁ ନେଇ ଗାଁ ମୁରବୀଙ୍କ ଉପସ୍ଥିତିରେ ଆଲୋଚନା ହୋଇଛି । କିନ୍ତୁ ଜମି ମାଡି ବସିଥିବା ସଂର୍ପକୀୟ ସମ୍ପତି ଦେବାକୁ ନାରାଜ । ନ୍ୟାୟ ପାଇଁ ବୃଦ୍ଧ ଦମ୍ପତି ଜିଲ୍ଲାପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବା ସହ ନିଜର ସୁରକ୍ଷା ଦାବି କରିଛନ୍ତି । ଅନ୍ୟପଟେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ବୃଦ୍ଧ ଦମ୍ପତିଙ୍କ ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି । ଏବଂ ତୁରନ୍ତ ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।