ଓ୍ଵିକିଲିକ୍ସର ଖୁଲାସା ! ସିଆଇଏ ହାତରେ ଆଧାର ତଥ୍ୟ

27

ଓ୍ଵିକିଲିକ୍ସ ପକ୍ଷରୁ ସନ୍ଦେହ ପ୍ରକଟ କରାଯାଇଛି ଯେ ଆମେରିକାର ସିଆଇଏ ଆଧାର ସମ୍ପର୍କିତ ତଥ୍ୟ ହାସଲ କରିଛି । ଆମେରିକାର ପ୍ରଯୁକ୍ତି କଂପାନି କ୍ରସ୍ ମ୍ୟାଚ୍ ଟେକ୍ନୋଲୋଜିସ୍ ଦ୍ୱାରା ବିକଶିତ କରାଯାଇଥିବା ପ୍ରଯୁକ୍ତିକୁ ବ୍ୟବହାର କରି ସିଆଇଏ ପକ୍ଷରୁ ଏହି ତଥ୍ୟ ହାସଲ କରାଯାଇଥିବା ସନ୍ଦେହ କରାଯାଉଛି । ଏ ସମ୍ପର୍କରେ ଏକ ୱେବସାଇଟରେ ଖବର ପ୍ରକାଶ ପାଇଥିବା ଓ୍ଵିକିଲିକ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତରେ ଆଧାର କାର୍ଡ ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)କୁ କ୍ରସ୍ ମ୍ୟାଚ୍ ଟେକ୍ନୋଲୋଜିସ୍ ବାୟୋମେଟଅିକ୍ ସମାଧାନ ଯୋଗାଇ ଦେଇଛି । କ୍ରସ୍ ମ୍ୟାଚର ଭାରତୀୟ ଶାଖା କଂପାନି ନାମ ହେଉଛି ସ୍ମାର୍ଟ ଆଇଡେଣ୍ଟିଟି ଡିଭାଇସ୍ ପ୍ରାଇଭେଟ୍ ଲିମିଟେଡ୍ । ଏହି କଂପାନି ୧୨ ଲକ୍ଷ ଭାରତୀୟଙ୍କ ଆଧାର ପଞ୍ଜୀକରଣ କରିବା କାର୍ଯ୍ୟ କରିଛି । ଏହି ଦୃଷ୍ଟିରୁ ସିଆଇଏ ପାଖରେ ଆଧାର ସମ୍ପର୍କିତ ତଥ୍ୟ ପହଞ୍ଚିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ।

ଓ୍ଵିକିଲିକ୍ସ ପକ୍ଷରୁ ଟ୍ଵିଟର୍ ଜରିଆରେ ଆଧାର ତଥ୍ୟ ଲିକ୍ ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଛି । ଏହା ଟୁଇଟ୍ କରି ପ୍ରଶ୍ନ କରିଛି ଭାରତର ଜାତୀୟ ପରିଚୟପତ୍ରର ଯେଉଁ ତଥ୍ୟ ତଥ୍ୟ ଚୋରି ହୋଇଛି ତାହାର ଗୁଇନ୍ଦାଗିରି ସିଆଇଏ କରିଛି କି ? କିଛି ସମୟ ପରେ ଓ୍ଵିକିଲିକ୍ସ ଆଉ ଏକ ଟିୁଇଟ୍ କରିଥିଲା ଯେ ସିଆଇଏ ଆଧାର କାର୍ଡ ତଥ୍ୟକୁ ଚୋରି କରିସାରିଲାଣି କି ?

ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହା ଓ୍ଵିକିଲିକ୍ସର ଲିକ୍ ନୁହେଁ । ଏ ସମ୍ପର୍କିତ ଖବର ଏକ ୱେବସାଇଟରେ ପ୍ରକାଶ ପାଇଛି । କ୍ରସ୍ ମ୍ୟାଚ୍ ହେଉଛି ବିଶ୍ୱ ସ୍ତରର ବାୟୋମେଟ୍ରିକ୍ ଡିଭାଇସ୍ (ଉପକରଣ) ଯୋଗାଣକାରୀ । ମାତ୍ର ଏହି କଂପାନି କିମ୍ବା ଅନ୍ୟ କେହି ଆଧାର ତଥ୍ୟ ହାସଲ କରିପାରିବେ ନାହିଁ । ଲୋକମାନଙ୍କର ଯେଉଁ ତଥ୍ୟ ଭେଣ୍ଡରମାନେ ସଂଗ୍ରହ କରିଛନ୍ତି ତାହା ଏନକ୍ରିପଟେଡ୍ ଏବଂ ତାହା ସଂଗ୍ରହ କରାଯିବା ପରେ ସିଧାସଳଖ ଆଧାର କାର୍ଡ ସର୍ଭରକୁ ଚାଲିଯାଇଥାଏ । ତେଣୁ କୌଣସି ଏଜେନ୍ସି ଦ୍ୱାରା ସେହି ତଥ୍ୟକୁ ହାସଲ କରିବା ସହଜ ନୁହେଁ । ରିପୋର୍ଟରେ ଯାହା ସବୁ ଲେଖାଯାଇଛି ତାହାର କୌଣସି ସତ୍ୟତା ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସିଆଇଏରେ ଏକ ବିଭାଗ ରହିଛି ଯାହାର ନାମ ହେଉଛି ଅଫିସ୍ ଅଫ୍ ଟେକ୍ନିକାଲ୍ ସର୍ଭିସେସ୍ । ଉକ୍ତ ବିଭାଗର ଏକ ବାୟୋମେଟ୍ରିକ୍ ସଂଗ୍ରହ ବିଭାଗ ରହିଛି ଏବଂ ଏହା ସମଗ୍ର ବିଶ୍ୱରେ ସମ୍ପର୍କ ସ୍ଥାପନ ବ୍ୟବସ୍ଥା ପ୍ରଦାନ କରିଥାଏ । କିନ୍ତୁ ଏକ ସ୍ୱତନ୍ତ୍ର ପ୍ରଯୁକ୍ତିକୁ ବ୍ୟବହାର କରି ସିଆଇଏ ଏହି ବ୍ୟବସ୍ଥାରୁ ତଥ୍ୟ ଚୋରି କରିନେଉଥିବା ଓ୍ଵିକିଲିକ୍ସ ଅଭିଯୋଗ କରିଛି ।