ଅଦ୍ଭୁତ ତୁମେ ଅଭୟ ସାର୍…ନିଜେ ଅନ୍ଧାରରେ ଥାଇ ବୁଣୁଛନ୍ତି ଶିକ୍ଷାର ଆଲୋକ । ଦୀର୍ଘ ୫୦ ବର୍ଷ ହେଲା ଶିକ୍ଷାଦାନ କରି ଗଢୁଛନ୍ତି ଅନେକଙ୍କ ଭବିଷ୍ୟତ ।

158

କନକ ବ୍ୟୁରୋ : ଦୃଷ୍ଟି ଶକ୍ତି ନାହିଁ, ତଥାପି ସେ ଜଣେ ଦକ୍ଷ ଶିକ୍ଷକ । ଦୀର୍ଘ ୫୦ ବର୍ଷ ଧରି ଘରେ ପିଲାଙ୍କୁ ପାଠ ପଢାଇଆସୁଛନ୍ତି ଜଣେ ଦିବ୍ୟାଙ୍ଗ ଶିକ୍ଷକ । ଅଷ୍ଟମ, ନବମ, ଦଶମ ଶ୍ରେଣୀ ସମେତ +୨ ଓ +୩ ପିଲାଙ୍କୁ ଇଂରାଜୀ ପଢାଉଥିବା ଏମିତି ଜଣେ ଦିବ୍ୟାଙ୍ଗ ଶିକ୍ଷକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଂଚଳର ଅଭୟ ଚରଣ ପଟ୍ଟନାୟକ ।

ଦିବ୍ୟାଙ୍ଗ ଶିକ୍ଷକ ‘ଅଭୟ’ । ଆଲୋକ ଦେଖିନଥିବା ‘ଅଭୟ’ ବୁଣୁଛନ୍ତି ଶିକ୍ଷାର ଆଲୋକ । ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଂଚଳର ନିମବସନ୍ତପୁର ଗାଁର ଶିକ୍ଷକ ଅଭୟ ଚରଣ ପଟ୍ଟନାୟକଙ୍କ କାହାଣୀ । ଘରେ ରହି ପିଲାଙ୍କୁ ପାଠପଢାନ୍ତି ଅଭୟ ସାର । ଯୁକ୍ତ ୨ ପାଠ ପଢୁଥିବା ବେଳେ ଦୃଷ୍ଟିଶକ୍ତି ହରାଇଥିଲେ ଅଭୟ ସାର । ମାତ୍ର ତାହା ଶିକ୍ଷକତା କ୍ଷେତ୍ରରେ କୌଣସି ବାଧକ ସାଜିନି । ବର୍ଷ ବର୍ଷ ଧରି ଘରେ ରହି ଶିକ୍ଷାର ଆଲୋକ ବୁଣି ଆସୁଛନ୍ତି ଅଭୟ ସାର ।

୫୦ ବର୍ଷ ହେବ ଇଂରାଜୀ ଶିକ୍ଷକତା କରିଆସୁଛନ୍ତି ଅଭୟ ସାର । ଅଷ୍ଟମ, ନବମ, ଦଶମ ଶ୍ରେଣୀର ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ କଲେଜ ପଢୁଆ ପିଲାଙ୍କୁ ମଧ୍ୟ ସେ ଇଂରାଜୀ ପଢାଇଥାନ୍ତି । +୨, +୩ର ପିଲାଙ୍କୁ ଇଂରାଜୀ ପଢାଇ ସ୍ଥାନୀୟ ଅଂଚଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭୟ ଚରଣ ପଟ୍ଟନାୟକ । ପିଲାଦିନୁ ସୂର୍ଯ୍ୟାଲୋକ କି ଜହ୍ନ ଜ୍ୟୋସ୍ନାକୁ ଦେଖିନଥିବା ଅଭୟ ସାର ଛାତ୍ରଛାତ୍ରୀଙ୍କ ମନରୁ ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ସେମାନଙ୍କ ଭବିଷ୍ୟତକୁ ଆଲୋକିତ କରୁଛନ୍ତି ।