ଦୁଇ ଗୋଡ଼ ଅଚଳ ତଥାପି ହାର ମାନିନି ମନୋବଳ…ଭିନ୍ନକ୍ଷମ ହୋଇ ବି ସେ ସକ୍ଷମ…ପୋଲିଓକୁ ଜିତି ଆତ୍ମନିର୍ଭରଶୀଳ ହୋଇ ଅନ୍ୟ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ପ୍ରଶାନ୍ତ

139

କନକ ବ୍ୟୁରୋ: ବ୍ରହ୍ମପୁର ସହରର ଯୁବକ ପ୍ରଶାନ୍ତ କୁମାର ନାୟକ(୪୦)। ପିଲାଟି ଦିନରୁ ପୋଲିଓ ଆକ୍ରାନ୍ତ। ଦୁଇ ଗୋଡ଼ ଅଚଳ। ତଥାପି ସେ ହାରି ନାହାନ୍ତି। ଭିନ୍ନକ୍ଷମ ହୋଇ ବି ସେ ଆଜି ସକ୍ଷମ। ଅନ୍ୟ ପାଇଁ ପ୍ରେରଣାର ଉତ୍ସ। ଉଚ୍ଚଶିକ୍ଷିତ ପ୍ରଶାନ୍ତ ପିଲାଙ୍କୁ ଟ୍ୟୁସନ ପଢ଼ାଇ ଗୁଜୁରାଣ ମେଣ୍ଟାଉଛନ୍ତି। ମାତ୍ର ଏତିକି‌ରେ ସୀମିତ ନାହିଁ ତାଙ୍କ ଦୁନିଆ। ଡିଜିଟାଲ୍‌ ଯୁଗରେ ସାମାଜିକ ଗଣମାଧ୍ୟମରେ ବ୍ଲଗ୍‌ ଲେଖି ପ୍ରଶାନ୍ତ ନିଜେ ରୋଜଗାରକ୍ଷମ ହେବା ସହିତ ଦୁଇ ଜଣ ଯୁବକଙ୍କୁ ରୋଜଗାର ଯୋଗାଇ ପାରିଛନ୍ତି।

ବ୍ରହ୍ମପୁର ସହର ଉତ୍କଳ ସିନେମା ହଲ୍‌ ନିକଟ ମେଦିରି ସାହିର ସନ୍ନ୍ୟାସୀ ନାୟକଙ୍କ ୨ ପୁଅ ଓ ଗୋଟିଏ ଝିଅରେ ସାନପୁଅ ପ୍ରଶାନ୍ତ। ସନ୍ନ୍ୟାସୀ ଜଣେ ଆଲୁମିନିୟମ(ରସ) ଓ ପିତଳ ବ୍ୟବସାୟୀ। ପ୍ରଶାନ୍ତଙ୍କୁ ଯେତେବେଳେ ୩ ବର୍ଷ ସେ ହଠାତ୍ ପୋଲିଓ ଆକ୍ରାନ୍ତ ହେଲେ। ଗୋଡ଼ ଦୁଇଟି ଅକାମୀ ହୋଇଗଲା। ପୁଅର ଏ ଅବସ୍ଥା ସନ୍ନ୍ୟାସୀଙ୍କୁ ବହୁ କଷ୍ଟ ଦେଲା। ହେଲେ ଭାଙ୍ଗି ପଡ଼ି ନ ଥିଲେ ପ୍ରଶାନ୍ତ। ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ରଖି ପାଠ ପଢ଼ି ମାଟ୍ରିକ ପାସ୍‌ କଲେ। ଉଚ୍ଚଶିକ୍ଷିତ ହୋଇ ଚାକିରି କରିବା ଲକ୍ଷ୍ୟ ନେଇ ପ୍ରଶାନ୍ତ ଆଗକୁ ବଢ଼ିଲେ। ଖଲ୍ଲିକୋଟ ସ୍ବୟ˚ଶାସିତ ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ସମ୍ମାନରେ ଯୁକ୍ତ ୩ ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଦୂରଶିକ୍ଷା କେନ୍ଦ୍ରରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପାସ୍‌ କଲେ। ନିଜେ ପଢ଼ିବା ସହ ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ। ପାଠପଢ଼ା ଶେଷରେ କିଭଳି ଚାକିରି ଖଣ୍ଡେ ପାଇବେ ସେଥିଲାଗି ଉଦ୍ୟମ ଜାରି ରଖିଥିଲେ। ୨୦୧୩ ମସିହାରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨ଟି ପଦବି ଲାଗି ନିଯୁକ୍ତି ବିଜ୍ଞାପନ ବାହାରିଥିଲା। ଆବେଦନ କରିବା ଲାଗି ୩ ଚକିଆ ବାଇକ୍‌ରେ ପ୍ରଶାନ୍ତ ଛତ୍ରପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଲା। ବୋଝ ଉପରେ ନଳିତା ବିଡ଼ା ଭଳି ଦୁର୍ଘଟଣାରେ ବାମ ଗୋଡ଼ରେ ଶକ୍ତ ଆଘାତ ଲାଗିଲା। ଅସ୍ତ୍ରୋପଚାର ହୋଇ ଏବେ ଷ୍ଟିଲ୍‌ ରଡ଼୍‌ ଦିଆଯାଇଛି। ଏ ସବୁ ସତ୍ତ୍ବେ ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ସ୍ବରୋଜଗାରକ୍ଷମ ହେବା ପାଇଁ ଲାଗି ପଡ଼ିଛନ୍ତି।

 

ଉଚ୍ଚଶିକ୍ଷିତ ପ୍ରଶାନ୍ତ ୭୫ ପ୍ରତିଶତ ଭିନ୍ନକ୍ଷମ। ସରକାରଙ୍କ ପକ୍ଷରୁ ମାସିକ ୭ଶହ ଟଙ୍କା ଭତ୍ତା ମିଳୁଛି। ସେ ପିଲାଙ୍କୁ ଟ୍ୟୁସନ୍‌ କରିବା ସାଙ୍ଗକୁ ସାମାଜିକ ଗଣମାଧ୍ୟମରେ ବ୍ଲଗ୍‌ ଲେଖିବା ଆରମ୍ଭ କରିଥିଲେ। ଏଥିରୁ ଏବେ ଭଲ ଦି ପଇସା ରୋଜଗାର କରୁଛନ୍ତି। ସେ ସାମାଜିକ ଗଣମାଧ୍ୟମ ଫେସବୁକ୍‌ରେ ନିଜର ଏକ ପେଜ୍‌ ‘ଓଡ଼ିଆ ମୋ ଭାଷା’ ଖୋଲି ବ୍ଲଗ୍‌ଗୁଡ଼ିକୁ ପୋଷ୍ଟ କରୁଛନ୍ତି। ଏଥିସହ ନିଜର ଏକ ବ୍ଲଗ ‘ଓଡ଼ିଆ ଜଗତ.କମ୍‌’ ସୃଷ୍ଟି କରିଛନ୍ତି। ବ୍ଲଗ୍‌ରେ ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା ସହିତ ବଲିଉଡ୍‌ କାହାଣୀର ଓଡ଼ିଆ ରୂପାନ୍ତର ପୋଷ୍ଟ କରୁଛନ୍ତି। ଏଥି ସହିତ ବିଭିନ୍ନ ପୋର୍ଟାଲ ଓ ବ୍ଲଗ୍‌ ପାଇଁ ବଲିଉଡ୍‌ ସମ୍ପର୍କିତ ଲେଖା ଦେଉଛନ୍ତି। ଏହି କାର୍ଯ୍ୟରେ ୨ଜଣ ଶିକ୍ଷିତ ଯୁବକ ତାଙ୍କୁ ସାହାଯ୍ୟ କରୁଛନ୍ତି। ଏଥିଲାଗି ସେମାନଙ୍କୁ ମାସିକ ପାରିଶ୍ରମିକ ପ୍ରଦାନ କରୁଥିବା କହିଛନ୍ତି ପ୍ରଶାନ୍ତ। ଏକ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠା ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ହେଁ କିଛି ସୁଫଳ ମିଳି ନ ଥିଲା। ଶେଷରେ ଏହି ପନ୍ଥା ଆପଣେଇ ନେଇଛନ୍ତି ଓ ସ୍ବରୋଜଗାରକ୍ଷମ ହୋଇ ପାରିଥିବା କହିଛନ୍ତି ପ୍ରଶାନ୍ତ। ୨ବର୍ଷର ପୁ୍ଅ ଏବଂ ପତ୍ନୀଙ୍କୁ ନେଇ ତାଙ୍କ ପରିବାର ଏବେ ସୁରୁଖୁରୁରେ ଚଳି ପାରୁଥିବା ସେ କହିଛନ୍ତି।