କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ସେପ୍ଟେମ୍ବର ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏକ ୫ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ସୂଚନା ମୁତାବକ ଗଣେଷ ଚତୁର୍ଥୀରେ ସଂସଦର ନୂତନ ଗୃହ ଉଦଘାଟନ ହେବା ସହ ଏହି ନୂଆ ଗୃହରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବାକୁ ଯାଉଛି । ୧୮ ତାରିଖର ବୈଠକ ପୁରୁଣା ସଂସଦ ଗୃହରେ ଅନୁଷ୍ଠିତ ହେବ । ମାତ୍ର ୧୯ ରୁ ୨୨ ତାରିଖ ପର୍ଯ୍ୟନ୍ତ ୪ଟି କାର୍ଯ୍ୟ ଦିବସ ନୂଆ ସଂସଦରେ ଅନୁଷ୍ଠିତ ହେବ । ଅନୁମାନ କରାଯାଉଛି କି ଏହି ସ୍ୱତନ୍ତ୍ର ଅଧିବେଶନରେ ସରକାର ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ନେଇ ବିଲ୍ ଉପସ୍ଥାପନ କରିପାରନ୍ତି । ଏହା ବ୍ୟତୀତ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ବିଲ ମଧ୍ୟ ଆଣିପାରନ୍ତି ସରକାର । ସେପେଟ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ନେଇ ଆଜି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

Advertisment

କେନ୍ଦ୍ର ସରକାର ଲୋକସଭା, ରାଜ୍ୟ ବିଧାନସଭା, ନଗରପାଳିକା ଓ ପଞ୍ଚାୟତ ନିର୍ବାଚନ ଏକା ସାଥିରେ କରିବା ପ୍ରସଙ୍ଗରେ ଅନୁଧ୍ୟାନ କରି ତୁରନ୍ତ ପରାମର୍ଶ ଦେବାକୁ ଏକ ୮ ଜଣିଆ କମିଟି ଗଠନ କରିଛନ୍ତି । ଏଥିରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧ୍ୟକ୍ଷ ଭାବେ ରହିଛନ୍ତି ।

ଏହି କମିଟିରେ ଗୃହମନ୍ତ୍ରୀ ଅମିତ୍ ଶାହା, ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘାବାଲ ବିଶେଷ ନିମନ୍ତ୍ରିତ ସଦସ୍ୟ ରହିଛନ୍ତି । ଏହା ପୂର୍ବରୁ ଏହି ପ୍ରସଙ୍ଗରେ ଆଇନମନ୍ତ୍ରାଳୟର ଉଚ୍ଚ ଅଧିକାରୀମାନେ କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିଥିଲେ ।