କନକ ବ୍ୟୁରୋ : କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଡାକିଛନ୍ତି । ଏହି ବିଶେଷ ଅଧିବେଶନର ଗୋଟିଏ କାର୍ଯ୍ୟ ଦିବସ ଅର୍ଥାତ ୧୮ ତାରିଖ ଦିବସଟି ପୁରୁଣା ସଂସଦ ଭବନରେ ହେବ ଓ ବାକି ୪ଟି କାର୍ଯ୍ୟଦିବସ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ଏହି କ୍ରମରେ ୧୯ ତାରିଖ ଗଣେଷ ଚତୁର୍ଥି ଦିନ ପୁରୁଣା ସଂସଦ ଭବନରୁ ସମସ୍ତ ବ୍ୟବସ୍ଥା ନୂଆ ସଂସଦ ଭବନକୁ ସ୍ଥାନାନ୍ତରିତ ହେବ । ଏହି କ୍ରମରେ ଏବେ ସୂଚନା ମିଳିଛି ସଂସଦରେ ବିଶେଷ ଅଧିବେଶନ ଠାରୁ ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ନୂଆ ସଂସଦ ଭବନକୁ ସ୍ଥାନାନ୍ତରିତ ହୋଇଯିବ ।

Advertisment

ଏନେଇ ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ କାର୍ଯ୍ୟାଳୟ ଆବଣ୍ଟିତ ହୋଇଛି । ୧୧ଜଣ ବରିଷ୍ଠ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଗ୍ରାଉଣ୍ଡ ଫ୍ଲୋରରେ କାର୍ଯ୍ୟାଳୟ ମିଳିଛି । ସେମାନଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ୍ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମର, ବିଦେଶମନ୍ତ୍ରୀ ଏସ୍ ଜୟଶଂକର, ଜନଜାତୀୟ ମାମଲାମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଟେକ୍ସଟାଇଲ ମନ୍ତ୍ରୀ ସ୍ମୃତି ଇରାନୀ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ କାର୍ଯ୍ୟାଳୟ ଗ୍ରାଉଣ୍ଡ ଫ୍ଲୋରରେ ଚାଲିବ ।

ସେହିଭଳି ପ୍ରଥମ ତାଲାରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ, ସର୍ବାନନ୍ଦ ସୋନୋୱାଲ, ବିରେନ୍ଦ୍ର କୁମାର, ଗିରିରାଜ ସିଂ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି କୁମାର ପାରସ, ଗଜେନ୍ଦ୍ର ସିଂ ଶେଖାୱତ, କିରନ ରିଜଜୁ, ଆର.କେ ସିଂ ଆଦିଙ୍କ କାର୍ଯ୍ୟାଳୟ ରହିବ ।

ସୂଚନା ଥାଉକି ସଂସଦରେ ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ସେପ୍ଟେ୍ମ୍ବର ୧୭ ତାରିଖକୁ ସର୍ବଦଳୀୟ ବୈଠକ ଡାକିଛନ୍ତି । କେନ୍ଦ୍ର ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି କି, ସର୍ବଦଳୀୟ ବୈଠକ ପାଇଁ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଇ-ମେଲ ମାଧ୍ୟମରେ ନିମନ୍ତ୍ରଣ ପଠାଯାଇଛି ।