କନକ ବ୍ୟୁରୋ : ମା’ ମୋ କଲେଜ ଫିସ୍ ଭରିବା ପାଇଁ ତୁ ଚରମ ନିଷ୍ପତ୍ତି ନେଲୁ । ମୋତେ ହାରିବାକୁ ଦେବୁନି ବୋଲି ତୁ ନିଜ ଜୀବନ ହାରିଦେଲୁ, ଚଳନ୍ତା ବସ୍ ସାମ୍ନାକୁ ଆସି ଆଖି ବୁଜିଦେଲୁ, ମୋତେ ଅଧାବାଟରେ ଛାଡ଼ିଦେଇଗଲୁ । ସରକାର ସିନା ତୋ ଜୀବନର ମୂଲ୍ୟ କେଇ ଲକ୍ଷ ଟଙ୍କାରେ ସୁଝିଦେଲେ, ତୋ ସ୍ନେହ ମମତାର ମୂଲକୁ କ’ଣ ସାତ ଜନ୍ମରେ ସୁଝି ହେବ କି? ମୁଁ ନପଢ଼ିଥିଲେ ବି ତୋତେ ପାଖରେ ରଖି ସେବା କରିଥାନ୍ତି, ହେଲେ ଯେଉଁ ଗର୍ଭ ଯନ୍ତ୍ରଣା ସହି ମୋତେ ଦୁନିଆକୁ ଆଣିଥିଲୁ ସେ ଋଣରେ ମୋତେ ପୁଣି ତୁ ଋଣି କରିଦେଲୁ ।

Advertisment

ଜାଣିଛି ଆମେ ଗରିବ ହେଲେ ଜୀବନର ମୂଲ୍ୟ ପରା ଦିନେ ତୁ ବୁଝାଉଥିଲୁ । ମୋ ପାଠପଢ଼ାଠୁ ତୋ ପଣତର ଛାଇ ମୋତେ ଅଧିକ ଦରକାର ଥିଲା ମା’ । କଲେଜ ଫିସଠୁ ତୋ କୋଳର ସାହାରା ଜରୁରୀ ଥିଲା ମା’ । ତୋଠୁ ମୂଲ୍ୟବାନ ମୋ ପାଇଁ କ’ଣ ଥିଲା ମା’, ତୋ ଆଖିର ତାରା କହୁଥିଲୁ ହେଲେ ପୃଥିବୀ ଭଳି ତୋ ପଣତ ଛାଇକୁ ଛଡ଼ାଇ ନେଲୁ । ହଁ ମୁଁ ପଖାଳ କଂସା ପାଖରେ ବସିଲାବେଳେ ଅଳି କରିଦେଉଥିଲି, ତୋ ହାତକୁ ପାଟିପାଖରୁ ଛାଟି ଦେଉଥିଲି, କହିଦେଉଥିଲି ପଇସା ନାହିଁ ଆଉ ପଢ଼ିବିନି... ତା’ ବୋଲି ମା’ ତୁ ମୋତେ ଅନାଥ କରିଦେଇ ଚାଲିଯିବୁ?

ତାମିଲନାଡୁର ଜଣେ ମା’ ଜୀବନ ହାରିବା ବେଳର ଭିଡ଼ିଓ ଭାଇରାଲ ପରେ ଭାଇରାଲ ହେଉଛି... ଏହି ମମତାମୟୀ ମା’ର ଆତ୍ମହତ୍ୟା ପଛର କାରଣ, ତା’ ପିଲାର କଲେଜ ଫିସ୍ ଭରିବା । ଅର୍ଥ ଅଭାବ ଆଉ ଗରିବୀର ଛାଟ ଭିତରେ ସ୍ୱାମୀ ହାତଛାଡ଼ି ଦେଇ କୁଆଡେ ପଳାଇଲା । ଦୁଇ ପୁଅଙ୍କୁ ଧରି ଜୀବନ ବିତାଉଥିବା ତାମିଲନାଡୁର ୪୦ ବର୍ଷିୟା ପପାପଥି, ଜିଲ୍ଲାପାଳଙ୍କ ଅଫିସରେ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ହେଲେ ତାଙ୍କର ଦରମା ଯେତିକି ସେତିକିରେ ପିଲାର କଲେଜ ଫିସ୍ ଭରିବାକୁ ଅସମର୍ଥ ଥିଲେ । ଦୁର୍ଘଟଣାରେ ଜୀବନ ହାରିଦେଲେ ସରକାର କ୍ଷତିପୂରଣ ଟଙ୍କା ପରିବାରବର୍ଗକୁ ଦେବେ ଭାବି ଭାବି ଶେଷରେ ଚରମ ନିଷ୍ପତି ନେଲେ ।

ଆଉ ନିଜ ପିଲାର ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ନିଜ ଜୀବନ ଦୀପ ଲିଭାଇଦେଲେ । ଭିଡ଼ିଓଟି ଦେଖିହେବନି କିମ୍ବା ଦେଖାଇହେବନି ବୋଲି ଶବ୍ଦ-ଚିତ୍ରରେ ଏ ମା’ର ଚରମ ନିଷ୍ପତ୍ତିକୁ ବଖାଣିବାର ସାହସ କରିଲୁ । ମା’ ଜଣକ ପୁଅ ପାଇଁ ଶବ ହେବାକୁବି ପଛାଇଲାନି । ଥରେ ନୁହେଁ ଏହା ପୂର୍ବରୁ ବି ମା’ ଜଣକ ଏକ ଚଳନ୍ତା ଟ୍ରକ୍ ସମ୍ମୁଖକୁ ଆସି ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଥିଲେ, କିନ୍ତୁ ଶେଷରେ ବସ୍ ଆଗକୁ ଚାଲିଯାଇ ଜୀବନ ହାରିଦେଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ତଦନ୍ତ ଆରମ୍ଭ କରିଥିଲା । ପରେ ଏସବୁର ଖୁଲାସା ହେବା ପରେ ସମସ୍ତଙ୍କ ମନରେ ଆଲୋଡନ ଖେଳିଯାଇଛି ।ପୁଅର କଲେଜ ଫିସ୍ ପାଇଁ ବସ୍ ଆଗକୁ ଡେଇଁ ପଡ଼ିଲା ମାଆ : ସରକାର କ୍ଷତିପୂରଣ ଦେବେ ଭାବି ପୁଅର ଭବିଷ୍ୟତ ପାଇଁ ଜୀବନ ହାରିଲା ଜନ୍ମଦାତ୍ରୀ