ଦେଶ ମାତୃକା ପାଇଁ ଜୀବନକୁ ବଳିଦାନ ଦେଇଥିଲେ ଭଗତ ସିଂ । ହସି ହସି ଚଢିଥିଲେ ଫାଶୀ ଖୁଣ୍ଟ । ସହିଦ ଦିବସରେ ଜାଣନ୍ତୁ ଅମର ଭଗତ ସିଂଙ୍କ ବୀର ଗାଥା…

100

କନକ ବ୍ୟୁରୋ : ବନ୍ଦେ ମାତାରାମ, ବନ୍ଦେ ମାତାରାମ, ବନ୍ଦେ ମାତାରାମ …ଏହି ନାରା ଦେଇ ସେ ଇଂରେଜଙ୍କ ଆଗରେ ଛାତି ଉଚ୍ଚା କରି ଛିଡା ହେଉଥିଲେ । ଆଉ ଇଂରେଜଙ୍କ ବିରୋଧରେ ଲଢେଇ କରିଥିଲେ । ସେହି ବୀର ସ୍ୱାଧିନତା ସଂଗ୍ରାମୀ ହେଉଛନ୍ତି ସହିଦ ଭଗତ ସିଂ । ଆଜି ହେଉଛି ସହିଦ ଭଗତ ସିଂଙ୍କ ଶ୍ରାଦ୍ଧ ବାର୍ଷିକୀ । ଆଜିର ଦିନରେ ହସି ହସି ଫାଶୀ ଖୁଣ୍ଟରେ ଝୁଲିଯାଇଥିଲେ ଭଗତ ସିଂ । ଦେଶ ପାଇଁ ସେ ମୃତ୍ୟୁକୁ ମଧ୍ୟ ଖାତିର କରିନଥିଲେ । ଦେଶ ମାତୃକା ପାଇଁ ତାଙ୍କ ବଳିଦାନକୁ ଆଜି ବି ଭୁଲି ନାହିଁ ଦେଶ । ସେଥିପାଇଁ ଆଜିର ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଉଛି ।

ଭଗତ ସିଂଙ୍କ ବୀର ଗାଥାକୁ ମନେ ପକାଇଲେ ଆଜି ବି ପ୍ରତିଟି ଭାରତୀୟଙ୍କ ଲୋମ ଟାଙ୍କୁରି ଉଠେ । କେବଳ ଭଗତ ସିଂ ନୁହେଁ ତାଙ୍କର ଦୁଇ ସାଥୀ ରାଜଗୁରୁ ଓ ସୁଖଦେବଙ୍କୁ ମଧ୍ୟ ଆଜିର ଦିନରେ ଫାଶୀ ଦିଆଯାଇଥିଲା । ତେବେ ଆସନ୍ତୁ ଆଜିର ଦିନରେ ଜାଣିବା ଭଗତ ସିଂଙ୍କ ବୀର ଗାଥା ବିଷୟରେ…

୧୯୦୭ ମସିହା ସେପ୍ଟେମ୍ବର ୨୮ ତାରିଖ ପଞ୍ଜାବର ଲୟାଲ ପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ଭଗତ ସିଂ । ତାଙ୍କର ଜନ୍ମ ଏକ ଖିଖ ପରିବାରରେ ହୋଇଥିଲା । ତାଙ୍କ ବାପାଙ୍କ ନାଁ କିଷାନ ସିଂ ଓ ମାଙ୍କ ନାଁ ବିଦ୍ୟାବତୀ ଥିଲା । ଡିଏଭି ସ୍କୁଲରୁ ନିଜ ପାଠ ପଢା ଆରମ୍ଭ କରିଥିଲେ ଭଗତ ସିଂ । ପିଲା ବେଳୁ ସେ ବେଶ ଚାଲାକ ଓ ବିଚକ୍ଷଣ ଥିଲେ । ପାଠ ପଢା ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା । ସ୍କୁଲ ସମୟରେ ୫୦ରୁ ଅଧିକ ବହି ପଢିସାରିଥିଲେ ଭଗତ ସିଂ ।

ଭଗତ ସିଂ ଏଭଳି ପରିବେଶରେ ବଢିଥିଲେ ଯେଉଁଠି କେବଳ ଆଜାଦିର ସ୍ୱର ପ୍ରତିଦିନ ଗୁଞ୍ଜରି ଉଠୁଥିଲା । ଭଗତି ସିଂଙ୍କ ପରିବାର ଦେଶର ସ୍ୱାଧୀନତା ପାଇଁ ଲଢେଇ କରୁଥିଲେ । ଏଥିପାଇଁ ତାଙ୍କ ବାପା ଓ ଦାଦା ଜେଲରେ ବନ୍ଦୀ ମଧ୍ୟ ରହିଥିଲେ । ତେବେ ପିଲା ବେଳୁ ଏହି ପରିବେଶ ସହ ନିଜକୁ ମଜବୁତ କରିଥିଲେ ଭଗତ ସିଂ । ପିଲାବେଳୁ ତାଙ୍କ ଭିତରେ ଦେଶପ୍ରେମ ଜାଗ୍ରତ ହୋଇଥିଲା ।

ନିଜ ଆଖିରେ ସେ ଦେଖିଥିଲେ ୧୯୧୯ ମସିହା ଜାଲିଆନାୱାଲା ବାଗ ହତ୍ୟାକାଣ୍ଡର ସେହି ଭୟଙ୍କର ଦୃଶ୍ୟ । କୁହାଯାଏ ଭଗତ ସିଂ ୪୦ କିଲୋମିଟର ପାଦରେ ଚାଲି ନିଜ ଦେଶବାସୀଙ୍କ ରକ୍ତ ଭିଜା ମାଟିକୁ ଦେଖିବାକୁ ଜାଲିଆନାୱାଲା ବାଗରେ ପହଞ୍ଚିଥିଲେ ।
ଏହାପରେ ଧିରେ ଧିରେ ବଡ ହୋଇ ଭଗତ ସିଂ ଇଂରେଜଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଭାରତକୁ ଆଜାଦି ଦେବାକୁ ସେ ଅନେକ ସଂଗଠନରେ ଯୋଗ ଦେଇଥିଲେ ଓ ଅନେକ ସଂଗଠନ ତିଆରି ମଧ୍ୟ କରିଥିଲେ । ସଂଗଠନରେ ମିଶି ଇଂରେଜମାନଙ୍କ ବିରୋଧରେ ଲଢେଇ କରୁଥିଲେ । କାଳ କ୍ରମେ ଭଗତ ସିଂ ଇଂରେଜମାନଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଯାଇଥିଲେ । ସେତେବେଳେ ଭଗତ ସିଂଙ୍କ ନାଁ ଶୁଣିଲେ ଭୟଭୀତ ହୋଇପଡୁଥିଲେ ଇଂରେଜ । ତେଣୁ ଭଗତ ସିଂଙ୍କୁ ରାସ୍ତାରୁ ହଟାଇବାକୁ ତାଙ୍କୁ ଇଂରେଜମାନେ ବନ୍ଦୀ କରିଦେଇଥିଲେ ।

ଭଗତ ସିଂ ଜେଲରେ ରହି ମଧ୍ୟ ତାଙ୍କର ଦୁଃସାହସିକ କାମ ବନ୍ଦ କରିନଥିଲେ । ତେଣୁ ବ୍ରିଟିଶ ସରକାର ଏହାକୁ ତୁରନ୍ତ ସମାଧାନ କରିବାକୁ ଚାହୁଁଥିଲେ । ସେଥିପାଇଁ ବ୍ରିଟିଶ ସରକାର ୧୯୩୦ ମସିହା ମେ ୧ ତାରିଖରେ ଏକ ଟ୍ରିବ୍ୟୁନାଲ ବୈଠକ ଡକାଇଥିଲେ । ବୈଠକରେ ଭଗତ ସିଂ ଓ ତାଙ୍କ ସାଥୀମାନଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା । ୨୪ ମାର୍ଚ୍ଚ ୧୯୩୧ ମସିହାରେ ଭଗତ ସିଂଙ୍କୁ ଫାଶୀ ଦେବାକୁ ନିଷ୍ପତ୍ତି ହୋଇଥିଲା ହେଲେ ଜନ ଆନ୍ଦୋଳନକୁ ଆଖିଆଗରେ ରଖି ଭଗତ ସିଂ, ସୁଖ ଦେବ ଓ ରାଜଗୁରୁଙ୍କୁ ମାର୍ଚ୍ଚ ୨୩ ତାରିଖରେ ଫାଶି ଦିଆଯାଇଥିଲା ।

Comments are closed.