ସମାଜରେ ସତରେ ସୁରକ୍ଷିତ ତ ନାରୀ ? ନାରୀକୁ ମିଳୁଛି ତ ଉଚିତ ସମ୍ମାନ ? ଗୋଟିଏ ଦିନ ନୁହେଁ ସବୁଦିନ ମିଳୁ ନାରୀକୁ ସମ୍ମାନ ।

268

କନକ ବ୍ୟୁରୋ: ଆଜି ନାରୀ ଦିବସ । ମହିଳାଙ୍କ ପାଇଁ ଦିନଟିଏ । ମାର୍ଚ୍ଚ ୮କୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳି ଆସୁଛି ବିଶ୍ୱ । ଆଜିର ଦିନରେ ମହିଳାଙ୍କ ପାଖକୁ ଛୁଟେ ଶୁଭେଚ୍ଛାର ସୁଅ । ମିଠା, ଚକଲେଟ ସହ ଉପହାର ଦେଇ ଜଣାଯାଏ ଅଭିନନ୍ଦନ । ଆଉ କୁହାଯାଏ, ହାପି ୱମେନ୍ସ ଡେ… ମହିଳାଙ୍କ ପାଇଁ ସୋସିଆଲ ମିଡିଆରେ କିଏ ଲେଖେ କେତେ କଥା । ନାରୀଙ୍କୁ ନେଇ ଲେଖାଯାଏ କବିତା, ଗଢାହୁଏ ଗପ । କିଏ ମାଆ ସହ ଫଟୋ ଛାଡେ, ତ କିଏ ଭଉଣୀ, ସ୍ତ୍ରୀ ସହ ଆଉ କିଏ କିଏ ସମାଜର ପରିବର୍ତ୍ତନ ପାଇଁ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥିବା ମହିୟସୀ ମହିଳାଙ୍କ କଥା କହେ, ଗାଥା ଗାଏ । ସେହି ଗୋଟିଏ ଦିନରେ ନାରୀଙ୍କ ଗୁଣଗାନ ଏତେ କରାଯାଏ ଯେ ଏମିତି ଲାଗେ ମହିଳାଙ୍କ ସମ୍ମାନ ପାଇଁ ଆଉ କିଛି ଶବ୍ଦ ହିଁ ନାହିଁ । ଏ ସମାଜ ନାରୀଙ୍କୁ ଉଚିତ ସମ୍ମାନ ଦେଉଛି । ହେଲେ ମାର୍ଚ୍ଚ ୮ର ରାତି ପାହିଗଲେ ସତରେ ମିଳେକି ମହିଳାଙ୍କୁ ସମ୍ମାନ, ନାରୀକୁ ମିଳେ କି ସେତିକି ସୁରକ୍ଷା…?

ଯଦି ପ୍ରକୃତରେ ନାରୀକୁ ସମ୍ମାନ, ସୁରକ୍ଷା ମିଳୁଥାନ୍ତା ତେବେ କଣ ପାଇଁ ଓଡିଶାରେ ପରୀ, ବେବିନା, କୁନ୍ଦୁଲି ଭଳି ଘଟଣା ଘଟୁଛି। ମହିଳାଙ୍କ ମୁଣ୍ଡକାଟ ହେଉଛି। ଏସିଡ ଫିଙ୍ଗା ହେଉଛି। ହାଥରସ ଭଳି ହୃଦୟଥରା ଗଣଦୁଷ୍କର୍ମ ଦେଶକୁ ଦୋହଲାଇ ଦିଅନ୍ତାନି, ଉନ୍ନାଓ ଭଳି ପାଶବିକ କାଣ୍ଡ ପାଇଁ ଦେଶ ଲଜ୍ଜିତ ହୁଅନ୍ତା ନାହିଁ ।
୨୦୨୧ରେ ମଣିଷ ପାଦ ଦେଇଛି ସତ । ହେଲେ ଯୁଗ ସହ ତାଳ ଦେଇ ବଦଳିଛି କି ମାନସିକତା । ଯଦିଓ ନାରୀଟିଏ ଆଉ ହାତେ ଓଢଣା ଟାଣି ଏରୁଣ୍ଡି ଭିତରେ ରହୁନି । ସେ ସ୍ୱାବଲମ୍ବୀ ହେଉଛି, ସଶକ୍ତ ହେଉଛି । ପୁରୁଷଙ୍କ ଭଳି ସେ ବି ଦେଖାଉଛି ପାରିବାପଣିଆ, ଆଉ କହୁଛି ଆମେ ବି କାହାଠୁ କମ ନୁହେଁ । ପାଠ ପଢିବାକୁ, ପେଟ ପୋଷିବାକୁ ନାରୀଟିଏ ପଦାକୁ ବାହରୁଛି । ଶିକ୍ଷିତ ସମାଜରେ ନାରୀକୁ ସମ୍ମାନ ଦିଆଯାଉଥିଲେ ବି କେଉଁଠି ନା କେଉଁଠି ନାରୀଟିଏ ପୁରୁଷର ଲୋଲୁପ ଦୃଷ୍ଟିର ଶିକାର ହେଉଛି ।

ଏଠି ଘରୁ ଗୋଡ କାଢିଲେ ପଡୋଶୀର କମେଣ୍ଟରେ ଝୁଣ୍ଟିପଡୁଛି ଝିଅଟିଏ । କାହାର କଟାକ୍ଷ, କାହାର କାମନାଭରା ଇସାରାରେ ଭିତତ୍ରସ୍ତ ହୋଇ ଝାଳରେ ବୁଡିଯାଉଛି ନାରୀ । ଭିଡରେ ଭୟ, ଦାଣ୍ଡରେ ଡର । କିଏ ସନାହୁଭୂତି ଦେଖାଇ ସର୍ବନାଶ କରିବାକୁ ଷଡଯନ୍ତ୍ର ରଚେ ତ କିଏ ସାହାଯ୍ୟ ଆଳରେ ସୈତାନ ପାଲଟିଯାଏ । ବସରୁ ବସ୍ତି, ମେଳାରୁ ମହୋତ୍ସବ, କଲେଜରୁ କାର୍ଯ୍ୟାଳୟ । ପ୍ରତି ମୁହୂର୍ତ୍ତରେ, ପ୍ରତି କ୍ଷଣରେ କ୍ଷତାକ୍ତ ହୁଏ ନାରୀଟିଏ । ପୁରୁଷ ସମାଜର ସୈତାନୀ ଆଖି ତାକୁ ବାଟ ଚଲାଇ ଦିଏନି । ନାରୀଟିଏ ପ୍ରତିବାଦ କଲେ କହୁଣୀ ମାଡ, ଚାପୁଡା, ନଖରେ ବି ଆକ୍ରମଣ କରି ଯୌନ ପିପାସୁଙ୍କ ଠାରୁ ନିଜକୁ ରକ୍ଷା କରେ । ହେଲେ କେତେ ଦିନ ସେ ନିଜକୁ ଏମିତି ନିଜେ ନିଜେ ସୁରକ୍ଷା ଦେଉଥିବ, ଘରୁ ବାହାରିବ ନା ନାହିଁ ହଜାର ଥର ଭାବୁଥିବ, ମନରେ ଭୟ ଆଶଙ୍କା ନେଇ ନାରୀଟିଏ କାହିଁକି ବଞ୍ଚିବ । ଯଦିଓ ଦୋଷୀଙ୍କୁ ଦଣ୍ଡ ଦେଉଛି ଆମ ଆଇନ ହେଲେ ପ୍ରକ୍ରିୟା ବିଳମ୍ବ, ସଜ୍ଜା କଠୋର ହେଉନି ବୋଲି ଡରୁନାହାନ୍ତି ସୈତାନୀ ମନସ୍କ ବ୍ୟକ୍ତି ।

ଆଉ କେତେ ଦିନ ଏମିତି ଚାଲିବ ? ନିଜ ସୁରକ୍ଷା ପାଇଁ ପଚାରୁଛି ମହିଳା । ଚାଲନ୍ତୁ ଖାଲି ଗୋଟିଏ ଦିନ ନୁହେଁ ସବୁଦିନ ସେମାନଙ୍କୁ ସମ୍ମାନ ଦେବା, ସୁରକ୍ଷା ଯୋଗାଇବା । ଘରେ, ବାହାରେ ସେମାନଙ୍କ ସ୍ୱର ସାଜିବା । ସେମାନଙ୍କ ତ୍ୟାଗ, ବଳିଦାନକୁ ଆଖିରେ ରଖି ଆପଣାର କରିବା । ଅନ ଉପରକୁ ଆଖି ଯିବା ପୂର୍ବରୁ ନିଜ ପରିବାର ନାରୀମାନଙ୍କ ସ୍ନେହ, ତ୍ୟାଗକୁ ମନେ ପକାଇବା ଦେଖିବେ, ସମାଜରେ ସୁରକ୍ଷିତ ବଞ୍ଚିବ ନାରୀଟିଏ, ରାତି ଅଧ କଣ କିଟିକିଟି ଅନ୍ଧାରରେ ବି ଆରାମରେ ଘରକୁ ଫେରିପାରିବ ମହିଳା । ଆଉ ପୂରା ହେବ ଗାନ୍ଧୀଙ୍କ ସ୍ୱପ୍ନ…